ବସରେ ଯାତ୍ରାକଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, କଟକ ଓ ପୁରୀବାସୀଙ୍କ ଲାଗି ମୋ ବସ୍‍ ସେବା ଆରମ୍ଭ କରିବା ସହିତ ନିଜେ ବସରେ ବସି ଯାତ୍ରା କରିଛନ୍ତି । ଶ୍ରୀ ପଟ୍ଟନାୟକ ବିମାନବନ୍ଦର ନିକଟରୁ ସଚିବାଳୟ ପର୍ଯ୍ୟନ୍ତ ସାଧାରଣ ଯାତ୍ରୀଙ୍କ ସହିତ ବସ୍‍ରେ ଯାତ୍ରା କରିଥିବାବେଳେ କୌଣସି ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନେଇନଥିଲେ ।

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍‍ସପୋର୍ଟ ସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ଏହି ବସ୍‍ ସେବା ‘ମୋ ବସ୍‍’ରେ ଆଜି ୧୦୦ ରୁ ଅଧିକ ନୂତନ ବସ୍‍ ଚଳାଚଳ ଆରମ୍ଭ କରିଛି । ଆଗାମୀ ଦିନରେ ତିନି ସହରରେ ୩୦୦ ଟି ବସ୍‍ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି ବସ୍‍ରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବାଲାଗି ୱାଇଫାଇ ବ୍ୟବସ୍ଥା ଥିବାବେଳେ ମହିଳା ଯାତ୍ରୀଙ୍କ ସୁବିଧା ପାଇଁ ସିସି ଟିଭି କ୍ୟାମେରା ଲଗାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଅନ୍‍ଲାଇନ୍‍ ଟିକଟ ବ୍ୟବସ୍ଥା ଓ ବିଭିନ୍ନ ଜରୁରୀ ସୂଚନା ପାଇଁ ମୋବାଇଲ୍‍ ଆପ୍‍ ପ୍ରସ୍ତୁତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ବସ୍‍ ଗୁଡିକରେ କଣ୍ଡକ୍ଟରମାନଙ୍କୁ ବସ୍‍ ଗାଇଡ୍‍ ବୋଲି କୁହାଯିବ ଏବଂ ଏଥିରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ବସ୍‍ରେ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିବ ।

ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ବସ୍‍ସେବାର ଶୁଭାରମ୍ଭ କରିବାପରେ ମୁଖ୍ୟମନ୍ତ୍ରୀ ନିଜେ ବସରେ ବସିଥିଲେ । ସେଠାରୁ ବିଧାନସଭା ଆସିବାପାଇଁ ମୁଖ୍ୟମନ୍ତ୍ରୀ ୧୦ଟଙ୍କା ଦେଇଥିବାବେଳେ ଭଡା ବାବଦରେ ୮ଟଙ୍କା ରଖି ବସ୍‍ ଗାଇଡ୍‍ ତାଙ୍କୁ ୨ ଟଙ୍କା ଫେରସ୍ତ କରିଥିଲେ ।

ଏହି ସ୍ୱଳ୍ପ ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ନିକଟରେ ବସିଥିବା ଯାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ କେତେକ ଯାତ୍ରୀଙ୍କ ସହ ସେଲ୍‍ଫି ଉଠାଇଥିଲେ ।