ଆଇ.ସି.ୟୁ ଶଯ୍ୟା ବୃଦ୍ଧି ପ୍ରସ୍ତାବ ଦିଅ

ରାଜ୍ୟର ସରକାରୀ ଡାକ୍ତଖାନା ମାନଙ୍କରେ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଇ.ସି.ୟୁ ଶଯ୍ୟା ବୃଦ୍ଧି କରାଯିବା ତଥା ନୂତନ ଆଇ.ସି.ୟୁ ପ୍ରତିଷ୍ଠା କରିବା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଗୁରୁତ୍ୱ ଆରୋପ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା ସ୍ୱାସ୍ଥ୍ୟ ବିଭାଗର ଭିତିଭୂମିର ବିକାଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ସରକାରୀ ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଡାକ୍ତରଖାନାମାନଙ୍କରେ ରୋଗୀ ସଂଖ୍ୟା ଦୃଷ୍ଟିରୁ ଆଇ.ସି.ୟୁ କିମ୍ବା ହାଇ ଡିପେଣ୍ଡାନ୍ସି ୟୁନିଟ୍ ପ୍ରତିଷ୍ଠା କରାଯିବା ସଂପର୍କରେ ଅନୁଶୀଳନ କରି ଖୁବ୍ଶୀଘ୍ର ବିଧିବଧ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ଆବଶ୍ୟକ ମାନବ ସମ୍ବଳର ଆବଶ୍ୟକତା ମଧ୍ୟ ଦର୍ଶାଇବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଭିତିଭୂମିର ବିକାଶ ପାଇଁ ନିର୍ମାଣାଧୀନ ନୂତନ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ଏବଂ ଯେଉଁ ସବୁ ପ୍ରକଳ୍ପଗୁଡିକର କାର୍ଯ୍ୟ ଆରମ୍ଭ ହୋଇନାହିଁ, ସେହି ସବୁର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସେହିପରି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସେ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ଚେୟାରମ୍ୟାନ ଡାଃ ଟି.ପି.ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।