ଜଙ୍ଗଲ ପାଇଁ ବାଘ ଜରୁରୀ

ରାଜ୍ୟରେ ବାଘ ବଂଶ ନ ରହିଲେ ଜଙ୍ଗଲ ସମ୍ପଦ ଧ୍ୱଂସ ପାଇଯିବ । ଜଙ୍ଗଲ ସୁରକ୍ଷା ପାଇଁ ସରକାର ମଧ୍ୟପ୍ରଦେଶ ଢାଞ୍ଚାରେ ବାଘ ବଂଶ ବୃଦ୍ଧି ଲାଗି ଜନବସତି ସ୍ଥାନାନ୍ତର ସକାଶେ ଓଡ଼ିଶା କୃଷକ ମହାସଂଘ ଦାବି କରିଛି ।

ମହାସଂଘର ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ସମଗ୍ର ଦେଶରେ ବାଘ ସଂଖ୍ୟା ୪୦ ହଜାର ଥିବା ବେଳେ ଆମ ରାଜ୍ୟରେ ପ୍ରାୟ ୫ ହଜାର ବାଘ ଥିଲେ ।

ଏବେ ଦେଶରେ ବାଘ ସଂଖ୍ୟା ୪୦୦ରେ ପହଞ୍ଚିଥିବା ବେଳେ କେନ୍ଦ୍ର ସରକାରଙ୍କ ଏନ୍‍ଟିସିଏ ଗଣନା ଅନୁସାରେ ରାଜ୍ୟରେ ବାଘ ସଂଖ୍ୟା ୨୮ ଓ ରାଜ୍ୟ ସରକାରଙ୍କ ଗଣନାରେ ଏହା ୪୦ ରହିଛି । ସୁରକ୍ଷା ଓ ରହଣି ନିମନ୍ତେ ଘଞ୍ଚ ଜଙ୍ଗଲ ଓ ଖାଦ୍ୟ ଅଭାବରୁ ଭାରତର ବାଘ ବଂଶ ଚାରି ଦଶନ୍ଧି ମଧ୍ୟରେ ଲୋପ ପାଇଯିବ ବୋଲି ରୁଷିଆର ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି ।

ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ଲାଗି ସରକାର ମଧ୍ୟପ୍ରଦେଶରୁ ବାଘ ଛୁଆ ଆଣି ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିଥିବା ବେଳେ ଏହି ବାଘଟି ମଣିଷ ମାରିବା ଅଭିଯୋଗ କରି ବ୍ୟାପକ ଜନଆନ୍ଦୋଳନ ହେଉଛି ।

ସରକାର ମଧ୍ୟ ମଣିଷଖିଆ ବାଘକୁ ଧରିବା ପାଇଁ ଦିନରାତି ଏକ୍‍ କରିଦେଇଛନ୍ତି । ଏପରିକି ରାଜ୍ୟ ବାହାରୁ ଟ୍ରାଙ୍କୁଲାଇଜର୍‍ ବିଶେଷଜ୍ଞ ଦଳକୁ ଅଣାଯାଇଛି ।

ମାତ୍ର ବାଘ ସ୍ଥାନାନ୍ତରିତ କରାଗଲେ ଜଙ୍ଗଲ ମାଫିଆମାନଙ୍କ ଦ୍ୱାରା ସାତକୋଶିଆ ଧ୍ୱଂସ ପାଇଯିବ ବୋଲି ଶ୍ରୀ ଦାସ କହିଛନ୍ତି । ସେ କହିଛନ୍ତି ଯେ ଅନୁଗୁଳ ଶିଳ୍ପାଞ୍ଚଳରେ ପରିବେଶ ଭୟାନକ ହେବା ସଙ୍ଗେ ସଙ୍ଗେ ବର୍ଷାର ପରିମାଣ ହ୍ରାସ ପାଉଥିବାରୁ ଆଗାମୀ ଦିନରେ କୃଷି କାର୍ଯ୍ୟ ନିମନ୍ତେ ଆଉ ଜଳ ମିଳିବ ନାହିଁ । ତେଣୁ ମଧ୍ୟପ୍ରଦେଶ ସରକାରଙ୍କ ଥଇଥାନ ନୀତି ଅନୁସାରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମଧ୍ୟପ୍ରଦେଶ ସରକାର ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ୪୫ଟି ଗ୍ରାମକୁ ସ୍ଥାନାନ୍ତର କରିଛନ୍ତି । ଏଥିପାଇଁ ଉଜୁଡ଼ା ଜଙ୍ଗଲ କାଟି ତାହାକୁ ଚାଷୋପଯୋଗୀ କରିବା ସହିତ ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ବାଦ୍‍ ୫ ଏକର ଚାଷ ଜମି ଯୋଗାଯାଇଛି ।

ଏଥିସହିତ ସ୍ଥାନାନ୍ତର ହେଉଥିବା ଲୋକଙ୍କ ପାଇଁ ସରକାର ଆଦର୍ଶ କଲୋନୀ ନିର୍ମାଣ କରିଛନ୍ତି । ଏହି କଲୋନୀ ମଧ୍ୟରେ ବିଦ୍ୟାଳୟ, ଚିକିତ୍ସାଳୟ ସହିତ ପାନୀୟ ଜଳ ଓ ବସ୍‍ ଚଳାଚଳର ସୁବିଧା ରହିଛି । ଏଥିଯୋଗୁ ସେଠାକାର ଲୋକେ ସ୍ଥାନାନ୍ତର ବିରୋଧ କରୁନାହାନ୍ତି ।

ତେଣୁ ଓଡ଼ିଶା ସରକାର ଉକ୍ତ ଥଇଥାନ ନୀତି ଅନୁସରଣ କରି ଯୁଦ୍ଧକାଳୀନ ଭିତ୍ତିରେ ସାତକୋଶିଆ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମବାସୀଙ୍କୁ ଥଇଥାନ କରିବା ସହ ପ୍ରତ୍ୟେକ ପରିବାରରୁ ଜଣକୁ ଜଙ୍ଗଲ ବିଭାଗରେ ଖାଲିଥିବା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି ଲାଗି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।