ଓଡ଼ିଶାର ସମୃଦ୍ଧି ଗ୍ରାମ ସ୍ୱରାଜ

ଦାରିଦ୍ର୍ୟ ଓ ଅନଗ୍ରସରତାର ଉକ୍ରଟ ବ୍ୟାଧିରୁ ନିସ୍ତାର ସହିତ ସମୃଦ୍ଧି ପଥରେ ଓଡ଼ିଶାକୁ ଆଗେଇ ନେବା ପାଇଁ ଗୋଟିଏ ମାତ୍ର ବାଟ ଅଛି ତାହା ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ।

ବଡ଼ ବଡ଼ କଳ କାରଖାନା ମାଧ୍ୟମରେ ଗରିବ ଲୋକଙ୍କ ଉତ୍‍ଥାନ ହୋଇପାରିବ ନାହିଁ, ଏଥିଲାଗି କେବଳ କୃଷିର ବିକାଶ ସହିତ କୃଷିଜୀବିମାନଙ୍କର ଅଧିକ ରୋଜଗାର ପାଇଁ କୂଟୀର ଓ ଗ୍ରାମ୍ୟ ଶିଳ୍ପକୁ ସମୃଦ୍ଧ କରିବାକୁ ହେବ । ଓଡ଼ିଶାରେ ଗାନ୍ଧୀଜୀ ଶୀର୍ଷକ ଏକ ଜାତୀୟ ସମ୍ପାନରେ ଅଂଶଗ୍ରହଣ କରି ବହୁ ବୁଦ୍ଧିଜୀବି, ଗବେଷକ ଓ ଗାନ୍ଧୀବାଦୀ ଏଭଳି ଯୁକ୍ତି ସମ୍ମତ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ।

ଗାନ୍ଧୀଜୀଙ୍କ ସମାଧୀ ପୀଠ ରାଜଘାଟ ନିକଟରେ ଥିବା ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ପରିସରରେ ଇଣ୍ଟେଲେକ୍ଟ ସଂସ୍ଥାର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ସଂଯୋଜନାରେ ଦୁଇଦିନିଆ ସମ୍ପାନ ଅନୁଷ୍ଠିତ ହୋଇଥିଲା ।

ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡ. ଏସ୍‍.ଏନ୍‍ ସୁବାରାଓ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତିର ନିର୍ଦ୍ଦେଶକ ଦୀପଙ୍କର ଜ୍ଞାନ, ବରିଷ୍ଠ ପ୍ରଶାସକ ଅରବିନ୍ଦ ପାଢ଼ୀ, ଉକ୍ରଳ ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ଅଧ୍ୟକ୍ଷ ପ୍ରହଲାଦ ସିଂହ, ହରିଜନ ସେବକ ସଂଘର ଉପାଧ୍ୟକ୍ଷ ଲକ୍ଷ୍ମୀ ଦାସ, ବିଶିଷ୍ଟ ଶିକ୍ଷାବିତ୍‍ ଦାସ ବେନହୁର, ଅଭିରାମ ବିଶ୍ୱାଳ, ଡ. ଭଗବାନ ପ୍ରକାଶ, ଉଦୟନାଥ ସାହୁ, ଅନ୍ନପୂର୍ଣ୍ଣା ପାଣ୍ଡେ, ଗାନ୍ଧୀ ଜାତୀୟ ସଂଗ୍ରାହଳୟର ନିର୍ଦ୍ଦେଶକ ଆନ୍ନା ମଲ୍ଲାଇ, ସତ୍ୟନାରାୟଣ ସାହୁ, ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ସଞ୍ଜୟ ସିଂହ ପ୍ରମୁଖ ବିଭିନ୍ନ ଦିଗରୁ ଦେଶର ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିବା ସହିତ ଗାନ୍ଧୀ ମାର୍ଗରୁ ବିଚ୍ୟୁତ ହେବା ଫଳରେ ଭାରତର ସ୍ୱାଧୀନତା ପ୍ରାପ୍ତି ପରେ ବ୍ୟାପକ କ୍ଷତି ଘଟିଛି ବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଦେଶକୁ ସମୃଦ୍ଧିର ପଥରେ ଆଗେଇ ନେବା ପାଇଁ ଗାନ୍ଧୀ ଦର୍ଶନକୁ ଠିକଣା ଭାବେ ଗାଁସ୍ତରରୁ ରୂପାୟିତ କରିବା ପାଇଁ ମତ ଦେଇଛନ୍ତି ।

ଓଡ଼ିଶା ମହାତ୍ମାଗାନ୍ଧୀଙ୍କ ପାଇଁ ଏକ ତୀର୍ଥଭୂମି ଥିବା ସେ ନିଜେ ବାରମ୍ବାର ସ୍ୱୀକାର କରିଥିଲେ । ରାଜ୍ୟରେ ଲାଗି ରହୁଥିବା ଦାରିଦ୍ର୍ୟ ପାଇଁ ନିଶା, ଆଳସ୍ୟ ଓ ଜଡ଼ତା ଦାୟୀ ବୋଲି ଗାନ୍ଧୀଜୀ ଉଲ୍ଲେଖ କରିବା ସହିତ ଓଡ଼ିଶାବାସୀ ଏହି ତିନୋଟି ଦୁଷ୍କୃତିରୁ ମୁକ୍ତ ହୋଇ ସେମାନଙ୍କ ପାରିଦର୍ଶିତା ପ୍ରତିପାଦନ କରିପାରିଲେ ଓଡ଼ିଶା ଦେଶର ଖାଦ୍ୟ ଓ ଖଦିର ଭଣ୍ଡାର ହୋଇପାରିବ ଏବଂ କୂଟୀର ଶିଳ୍ପ ଗାଁରେ ଗାଁରେ ଚାଲିଲେ କୃଷି ସହିତ ଲୋକେ ଏହାକୁ ଆଦରି ନେଇ ନିଜ ପରିବାର ତଥା ଗାଁକୁ ସମୃଦ୍ଧ କରିବା ସହିତ ରାଜ୍ୟର ପ୍ରଗତି କରିପାରିବେ ବୋଲି ଗାନ୍ଧୀଜୀ ଯେଉଁ ସୂତ୍ର ଦେଇଥିଲେ ତାହାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ପ୍ରୟୋଗ କରିବାକୁ ଆଲୋଚକମାନେ ଆହ୍ୱାନ ଦେଇଛନ୍ତି ।

ଏହାଛଡ଼ା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ସହିତ ପରିବେଶର ସୁରକ୍ଷା ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡ. ଅରୁନ୍ଧତୀ ଦେବୀ, କେ.ଏସ୍‍ ବିଜେନ୍ଦର, ରମେଶ ଚନ୍ଦ୍ର ଭରଦ୍ୱାଜ, କମଳାକାନ୍ତ ରାଉଳ, ସୁବାସିନୀ ବାରିକ, ଅଭଦେଶ କୁମାର, ଶଶାଙ୍କ କଲରା, ବିଶାଲ ସିଂ, ବିଶ୍ୱଜିତ, ଜ୍ଞାନରଞ୍ଜନ ପ୍ରମୁଖ ବିଭିନ୍ନ ଦୃଷ୍ଟିକୋଣରୁ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀ ଦର୍ଶନର ଗଣ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବିଶେଷ କରି ଗାନ୍ଧୀଜୀଙ୍କ ଏକାଦଶ ବ୍ରତର ଅନୁପାଳନ ସହିତ ସେ ସତର୍କ କରାଇ ଯାଇଥିବା ୭ଟି ସାମାଜିକ ପାପରୁ ଦୂରେଇ ରହିବା, ତାଙ୍କ ପ୍ରଦର୍ଶୀତ ରଚନାତ୍ମକ କାର୍ଯ୍ୟକ୍ରମକୁ ନିଷ୍ଠାର ସହ ସରକାରୀ ଓ ବେସରକାରୀ ସ୍ତରରେ ଅନୁପାଳନ କରିବା ଏବଂ ସର୍ବୋପରି ଦୁର୍ନୀତି ଓ ଭ୍ରଷ୍ଟାଚାରରୁ ଊଦ୍ଧ୍ୱର୍ରେ ରହି ସହନଶୀଳତା ଓ ସମ୍ବେଦନାର ସହିତ ରାଜନେତା, ଯୋଜନା ପ୍ରଣୟନକାରୀ ଓ ପ୍ରଶାସକମାନେ କାର୍ଯ୍ୟ କରିବାକୁ ବହୁ ବକ୍ତା ମତବ୍ୟକ୍ତ କରିଛନ୍ତି ।