ଆଞ୍ଚଳିକ ଦଳ ସମ୍ପତି ୩ ଗୁଣ ବୃଦ୍ଧି

ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ସମ୍ପତି ଗତ ୫ ବର୍ଷ ଭିତରେ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି । ୨୦୧୧-୧୨ ମସିହାରେ ଦେଶର ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ମୋଟ୍‍ ସମ୍ପତି ୪୮୨ କୋଟି ୧୨ ଲକ୍ଷ ଟଙ୍କା ଥିବା ବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ବୃଦ୍ଧି ପାଇ ୧୩୧୫ କୋଟି ଟଙ୍କାକୁ ଟପି ଯାଇଛି ।

ନ୍ୟାସନାଲ୍‍ ଇଲେକ୍ସନ୍‍ ୱାଚ୍‍ ଓ ଆସୋସିଏସନ୍‍ ଫର୍‍ ଡେମୋକ୍ରାଟିକ୍‍ ରିଫର୍ମସ୍‍ (ଏଡିଆର୍‍) ଦ୍ୱାରା ରାଜନୈତିକ ଦଳଗୁଡ଼ିକର ସମ୍ପତି ତାଲିକାକୁ ନେଇ ହୋଇଥିବା ବିଶ୍ଳେଷଣରୁ ଏହା ଜଣାପଡ଼ିଛି । ଏହି ସୂଚନାନୁଯାୟୀ ୨୦ଟି ରାଜନୈତିକ ଦଳର ଘୋଷିତ ସମ୍ପତି ୨୦୧୧-୧୨ ମସିହାରେ ୨୪ କୋଟି ୧୧ ଲକ୍ଷ ଟଙ୍କା ଥିବା ବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ୬୫ କୋଟି ୭୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଆନ୍ଧ୍ରପ୍ରଦେଶର ୱାଇଏସ୍‍ଆର୍‍ କଂଗ୍ରେସ ଓ ଆମ୍‍ ଆଦ୍‍ମି ପାର୍ଟି(ଆପ୍‍)ର ସମ୍ପତି ୨୦୧୨-୧୩ ବର୍ଷରେ ୧ କୋଟି ଟଙ୍କାରୁ ସାମାନ୍ୟ ଅଧିକ ଥିବା ବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ପାଖାପାଖି ୪ କୋଟି ଟଙ୍କାରେ ପହଞ୍ଚିଥିଲା ।

ବିଜୁ ଜନତା ଦଳ (ବିଜେଡି)ର ସମ୍ପତି ୨୦୧୨-୧୩ ବର୍ଷରେ ୨ କୋଟି ୩୨ ଲକ୍ଷ ଟଙ୍କା ଥିବା ବେଳେ ୨୦୧୩-୧୪ରେ ୯ କୋଟି ୨୬ ଲକ୍ଷ, ୨୦୧୪-୧୫ରେ ୧୭ କୋଟି ୯୯ ଲକ୍ଷ ଓ ୨୦୧୫-୧୬ରେ ଏହା ୧୮ କୋଟି ୭୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।

ସେହିପରି ସମାଜବାଦୀ ପାର୍ଟିର ସମ୍ପତି ୨୦୧୧-୧୨ରେ ୨୧୨ କୋଟି ଟଙ୍କା ଥିବା ବେଳେ ୨୦୧୫-୧୬ ବେଳକୁ ଏହା ୧୯୮ ପ୍ରତିଶତ ବୃଦ୍ଧି ପାଇ ୬୩୫ କୋଟି ଟଙ୍କାରେ ପହଞ୍ଚିଥିଲା । ଏହି ସମୟ ମଧ୍ୟରେ ଏଆଇଏଡିଏମ୍‍କେର ସମ୍ପତି ୧୫୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଶିବସେନାର ସମ୍ପତି ୯୨ ପ୍ରତିଶତ ବଢ଼ିଥିଲା ।

ଏହି ଆଞ୍ଚଳିକ ଦଳଗୁଡ଼ିକ ନିକଟରେ ଥିବା ଅର୍ଥର ମୁଖ୍ୟ ସ୍ରୋତ ଗଚ୍ଛିତ ଜମା, ଋଣ ଏବଂ ଅଗ୍ରୀମ, ଏଫ୍‍ଡିଆର୍‍, ଟିଡିଏସ୍‍, ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ସୂତ୍ରରୁ ଆସିଥିବା ଏଡିଆର୍‍ ଦର୍ଶାଇଛି । ୨୦୧୧-୧୨ ବର୍ଷରେ ଆଞ୍ଚଳିକ ଦଳଗୁଡ଼ିକ ନିକଟରେ ୩୩୧ କୋଟି ୫୪ ଲକ୍ଷ ଟଙ୍କାର ଜମା ଥିବା ଦର୍ଶାଇଥିଲେ ଯାହାକି ମୋଟ୍‍ ସମ୍ପତିର ୬୮.୭୭ ପ୍ରତିଶତ ଥିଲା । ୨୦୧୫-୧୬ ବର୍ଷ ବେଳକୁ ଏହା ୧୦୫୪ କୋଟି ୮୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ଯାହାକି ମୋଟ୍‍ ସମ୍ପତିର ୮୦.୧୯ ପ୍ରତିଶତ ।  



Powered by Catalyst IT Solutions Pvt. Ltd.