ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ

ଓଡିଶା ଓ ଛତିଶଗଡ ମଧ୍ୟରେ ଦେଖା ଦେଇଥିବା ଜଳ ବିବାଦର ସମାଧାନ ଲାଗି ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ଅଧ୍ୟକ୍ଷଙ୍କ ସମେତ ଦୁଇ ସଦସ୍ୟଙ୍କୁ ନେଇ ଗଠିତ ଏହି ଟ୍ରିବ୍ୟୁନାଲ ନାମ ରହିଛି ‘ ଦି ମହାନଦୀ ୱାଟର ଡିସ୍‍ପ୍ୟୁଟ୍‍ ଟ୍ରିବ୍ୟୁନାଲ’ ।

ଆନ୍ତଃରାଜ୍ୟ ଜଳ ବିବାଦ ଆଇନ୍‍ ୧୯୫୬ ଅନୁଯାୟୀ ଛତିଶଗଡ ସହିତ ଲାଗି ରହିଥିବା ଜଳ ବିବାଦର ସମାଧାନ ପାଇଁ ଓଡିଶା ସରକାର ଆବେଦନ କରିଥିଲେ । ଗତବର୍ଷ ସୁପ୍ରିମ୍‍କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅରିଜିନାଲ ସୁଟ୍‍ ଦାଖଲ ହୋଇଥିଲା । ଏହାକୁ ବିଚାରକରି ସୁପ୍ରିମ୍‍କୋର୍ଟ ଚଳିତବର୍ଷ ଜାନୁୟାରୀ ୨୩ ତାରିଖରେ ୱାଟର ଡିସ୍‍ପ୍ୟୁଟ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ କେନ୍ଦ୍ର ସରକାର ଏହି ଟ୍ରବ୍ୟୁନାଲ ଗଠନ କରିଛନ୍ତି । ଏହାର ମୁଖ୍ୟାଳୟ ନୂଆ ଦିଲ୍ଲୀରେ ରହିବା ସହିତ ଏହାର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାମ ତାଲିକା ପ୍ରକାଶ ପାଇଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ସୁପ୍ରିମ୍‍କୋର୍ଟର ବିଚାରପତି ଜଷ୍ଟିସ୍‍ ଏ.ଏମ୍‍.ଖାନ୍‍ୱିଲକରଙ୍କୁ ନିଯୁକ୍ତି ମିଳିଥିବାବେଳେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ଇନ୍ଦରମିତ୍‍ କୌର କୋଚର ସଦସ୍ୟ ଭାବେ ଏଥିରେ ସ୍ଥାନ ପାଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ଛୋଟ ବଡ କରି ୧୨ଟି ବ୍ୟାରେଜ ନିର୍ମାଣ କରିବା ଫଳରେ ଭବିଷ୍ୟତରେ ମହାନଦୀରେ ଜଳସଙ୍କଟର ଆଶଙ୍କାକରି ବ୍ୟାରେଜ ନିର୍ମାଣ ବନ୍ଦପାଇଁ ଓଡିଶା ସରକାର ଦାବିକରି ଆସୁଛନ୍ତି । ପ୍ରଥମେ ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଆପତ୍ତି ଉଠାଇ ବିଫଳ ହେବାପରେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଅଦାଲତର ଆଶ୍ରୟ ନେଇଥିଲେ । ମହାନଦୀ ଜଳ ବିବାଦକୁ ନେଇ ଓଡିଶାରେ ବ୍ୟାପକ ଆନ୍ଦୋଳନ ଚାଲିଥିବାବେଳେ ଛତିଶଗଡ ସରକାର ମଧ୍ୟ ବ୍ୟାରେଜ ନିର୍ମାଣ ସପକ୍ଷରେ ଯୁକ୍ତି ବାଢି ଆସୁଛନ୍ତି । ଆଜି ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ଜଳସମ୍ପଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବାରେ ମାମଲାର ସମାଧାନ ନେଇ ଆଶା ସଞ୍ଚାର ହୋଇଛି । 



Powered by Catalyst IT Solutions Pvt. Ltd.