ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଜିଲ୍ଲା ଯୋଜନାରେ ସାମିଲ ପାଇଁ ସର୍ତ

ଦେଶର ଅତି ପଛୁଆ ଜିଲ୍ଲା ବିକାଶ ଲାଗି ନୀତି ଆୟୋଗ ଆରମ୍ଭ କରିଥିବା ଯୋଜନାରେ ସାମିଲପାଇଁ ରାଜ୍ୟ ସରକାର ରାଜିହେବା ସହିତ କେତେକ ସର୍ତ ରଖିଛନ୍ତି । ଜିଲ୍ଲା ତାଲିକାରେ ପରିବର୍ତନ ସହିତ ନୂଆ ପ୍ରଭାରୀ ଅଫିସର ନିଯୁକ୍ତ କରାଗଲେ ଓଡିଶା ଏଥିରେ ସାମିଲ ହେବବୋଲି କହିଛି ।

ରାଜ୍ୟର ୯ଟି ଜିଲ୍ଲାକୁ ଏଥିରେ ସାମିଲ ସହିତ ସ୍ୱତନ୍ତ୍ର ଅର୍ଥ ବରାଦ କରାଗଲେ ଓଡିଶାରେ ଏହି ଯୋଜନାରେ ସାମିଲ ହେବବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ସଙ୍କେତ ଦେଇଛନ୍ତି । ଏହି ମର୍ମରେ ରାଜ୍ୟ ପକ୍ଷରୁ ନୀତି ଆୟୋଗଙ୍କୁ ଅନୁରୋଧ କରାଯାଇଛି । ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରର ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିବାବେଳେ ନିକଟରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଓଡିଶା ଆସି ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ । ଏହାପରେ ରାଜ୍ୟ ସରକାର ଏଥିରେ ସାମିଲ ଲାଗି ରାଜିହେବା ସହିତ କେତେକ ସର୍ତ ଆରୋପ କରିଛନ୍ତି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ମର୍ମରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ୍‍ଙ୍କୁ ପତ୍ର ଲେଖିଥିବା ଜଣାଯାଇଛି ।

ପୂର୍ବରୁ ରାଜ୍ୟର ୮ଟି ଜିଲ୍ଲାକୁ ପଛୁଆ ଭାବେ ଆୟୋଗ ପକ୍ଷରୁ ଚିହ୍ନଟ କରାଯାଇଥିଲା । ଏହି ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ମାଲକାନଗିରି, କୋରାପୁଟ, ବଲାଙ୍ଗିର ଏବଂ ଢେଙ୍କାନାଳ । ହେଲେ ରାଜ୍ୟ ସରକାର ତାଲିକାରୁ ଢେଙ୍କାନାଳକୁ ବାଦ୍‍ଦେଇ ଆଦିବାସୀ ବହୁଳ ନବରଙ୍ଗପୁର ଓ ନୂଆପଡାକୁ ସାମିଲପାଇଁ କହିଛନ୍ତି । ରାଜ୍ୟ ପକ୍ଷରୁ କୁହାଯାଇଛି ଉଭୟ ଆଦିବାସୀ ବହୁଳ ଜିଲ୍ଲା ତୁଳନାରେ ଢେଙ୍କାନାଳ ଆର୍ôଥକ ଓ ସାମାଜିକ ବିକାଶ କ୍ଷେତ୍ରରେ ଆଗରେ ରହିଛି ।

ରାଜ୍ୟ ସରକାର କହିଛନ୍ତି ଯେ ସର୍ବଶେଷ ସାମାଜିକ ଆର୍ôଥକ ସୂଚକାଙ୍କ ଆଧାରରେ ରାଜ୍ୟ ପକ୍ଷରୁ ଦିଆଯାଉଥିବା ଜିଲ୍ଲା ତାଲିକାକୁ ଆୟୋଗ ପକ୍ଷରୁ ଗ୍ରହଣ କରାଯିବା ଆବଶ୍ୟକ । ଏଥି ସହିତ ଜିଲ୍ଲା ଗୁଡିକୁ ପଛୁଆ ତାଲିକାରେ ସାମିଲ କରିବା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ । ଏହା ନହେଲେ କେନ୍ଦ୍ରର ଲକ୍ଷ୍ୟ ପୂରଣ ହୋଇପାରିବାନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନୀତି ଆୟୋଗଙ୍କ ପକ୍ଷରୁ ଦେଶର ୧୧୫ଟି ଜିଲ୍ଲାକୁ ଅତି ପଛୁଆ ଭାବେ ଚିହ୍ନଟ କରାଯିବା ସହିତ ସ୍ୱତନ୍ତ୍ର ବିକାଶ ଲାଗି ପଦକ୍ଷେପ ନିଆଯାଉଛି ।

ଅନୁରୂପ ଭାବେ ରାଜ୍ୟ ସରକାର ଆୟୋଗଙ୍କ ଦ୍ୱାରା ଜାରି ପ୍ରଭାରୀ ଅଫିସର ତାଲିକାକୁ ଖାରଜ କରିବା ସହିତ ନୂଆ ପ୍ରଭାରୀ ଅଫିସର ତାଲିକା ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ଯେ ନୂଆ ପ୍ରଭାରୀ ଅଫିସରମାନେ ଜିଲ୍ଲାସ୍ତରରେ ରାଜ୍ୟ ସରକାର ନିଯୁକ୍ତ କରିଥିବା ସଚିବମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ । ରାଜ୍ୟ ସ୍ତରରେ ଉନ୍ନୟନ କମିଶନରଙ୍କୁ ନୋଡାଲ ଅଫିସର ଭାବେ ମନୋନୀତି କରାଯିବା ସହିତ ପ୍ରଭାରୀ ଅଫିସର ଏବଂ ଜିଲ୍ଲାପାଇଁ ଚିହ୍ନଟ ସଚିବ କିମ୍ବା ତଦୁର୍ଦ୍ଧ ପାହ୍ୟାର ଅଫିସରମାନେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟରେ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ । ଏହାପରେ କେନ୍ଦ୍ର ସରକାର ଗଠନ କରିଥିବା ସଚିବ ସ୍ତରୀୟ କମିଟି ନିକଟରେ ପ୍ରଭାରୀ ଅଫିସରମାନେ ସେମାନଙ୍କ ରିପୋର୍ଟ ଦାଖଲ କରିପାରିବେ । ରାଜ୍ୟ ସରକାର ଦେଇଥିବା ନୂଆ ଜିଲ୍ଲାକୁ ସାମିଲ ସହିତ ମନୋନିତ ପ୍ରଭାରୀ ଅଫିସରଙ୍କୁ ନିଯୁକ୍ତି ଏବଂ ଜିଲ୍ଲାଗସ୍ତ ବ୍ୟବସ୍ଥାକୁ ନୀତି ଆୟୋଗ ଓ କେନ୍ଦ୍ର ସରକାର ଗ୍ରହଣ କଲେ ସମ୍ପୃକ୍ତ ଅଞ୍ଚଳରେ ମିଳିତ ଭାବେ କାର୍ଯ୍ୟ ସମ୍ଭବ ବୋଲି କୁହାଯାଇଛି । (ତଥ୍ୟ)