ସହରାଞ୍ଚଳ ପରିବହନ ପାଇଁ ଅର୍ଥ ସଙ୍କଟ

ସହରାଞ୍ଚଳରେ ବସ୍‍ ଚଳାଚଳ ପାଇଁ ଏବେ ଅର୍ଥ ସଙ୍କଟ । ଅମୃତ ଯୋଜନାରେ ଆବଶ୍ୟକ ଅର୍ଥ ମିଳୁନଥିବାରୁ ବସ୍‍ ଚଳାଚଳ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଜବାହରଲାଲ ନେହେରୁ ଜାତୀୟ ସହରାଞ୍ଚଳ ବିକାଶ ଯୋଜନା (ଜେଏନଏନୟୁଆରଏମ୍‍) ରେ ମଞ୍ଜୁରୀ ପାଇଥିବା ରାଜ୍ୟର କେତେକ ସହରାଞ୍ଚଳରେ ପରିବହନ ବ୍ୟବସ୍ଥା ଲାଗି ଆବଶ୍ୟକ ସଂଖ୍ୟକ ଅର୍ଥ କେନ୍ଦ୍ରରୁ ମିଳୁନାହିଁ । ଏଗୁଡିକ ହେଲା କଟକ-ଚୌଦ୍ୱାର, ଜୟପୁର-କୋରାପୁଟ ଓ ବାଲେଶ୍ୱର-ଭଦ୍ରକ । କେନ୍ଦ୍ରୀୟ ଯୋଜନାର ଅନ୍ତିମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଗୁଡିକୁ ମଞ୍ଜୁରୀ ମିଳିଥିବାବଳେ ପରବର୍ତୀ ସମୟରେ ଏଥିପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ।

୨୦୦୫ ମସିହାରେ ଜେଏନ୍‍ଏନ୍‍ୟୁଆରଏମ୍‍ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯାଇଥିଲା । ତଦନୁଯାୟୀ ଭୁବନେଶ୍ୱର-ପୁରୀ ବସ୍‍ ପରିବହନ ସେବା ଆରମ୍ଭ ହୋଇଥିବାବେଳେ କେନ୍ଦ୍ର ସରକାର ଏଥିପାଇଁ ୧୫କୋଟି ୮୪ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ଏହି ଯୋଜନାରେ କେନ୍ଦ୍ର ସରକାର ୮୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ ଅର୍ଥ ପ୍ରଦାନ କରିଥିଲେ ।

କେନ୍ଦ୍ରୀୟ ଯୋଜନାର ଅବଧି ୨୦୧୨ ମାର୍ଚ୍ଚ ମାସରେ ସରିଥିବାବେଳେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ସାରିବାଲାଗି ଏହାକୁ ଆଉ ଦୁଇବର୍ଷ ବଢାଇ ଦିଆଯାଇଥିଲା । ଏହି ପରବର୍ଦ୍ଧିତ ସମୟ ମଧ୍ୟରେ ଓଡିଶା ତିନିଟି ନୂଆ ଜୋନ୍‍ରେ ସହରାଞ୍ଚଳ ପରିବହନ ସେବା ଆରମ୍ଭକୁ ମଞ୍ଜୁରୀ ମିଳିଥିଲା । ତେବେ ୨୦୧୪ ମାର୍ଚ୍ଚ ମାସରେ ଜେଏନ୍‍ଏନ୍‍ୟୁଆରଏମ୍‍ ଯୋଜନା ବନ୍ଦ ହୋଇଯାଇଥିଲା ।

ସହରାଞ୍ଚଳରେ ବିଭିନ୍ନ ବିକାଶ କାର୍ଯ୍ୟ ଚଳାଇବାଲାଗି ୨୦୧୫ ମସିହାରେ ଅମୃତ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ବି ସହରାଞ୍ଚଳ ପରିବହନ ସେବାକୁ ସାମିଲ କରାଯାଇଛି । ତେବେ ଅମୃତ ଯୋଜନାରେ ଜଳଯୋଗାଣ, ସ୍ୱରେଜ ଓ ଡ୍ରେନେଜକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ପରିବହନ ବ୍ୟବସ୍ଥାକୁ ଚତୁର୍ଥ ସ୍ଥାନରେ ରଖାଯାଇଛି । ତେଣୁ ଏଥିପାଇଁ ଆବଶ୍ୟକ ଅର୍ଥ ମିଳିପାରୁନ।।ହିଁ । ଫଳରେ ରାଜ୍ୟର ଯେଉଁ ତିନିଟି ଜୋନ୍‍ରେ କେନ୍ଦ୍ରୀୟ ଯୋଜନାରେ ପରିବହନ ପାଇଁ ଅନୁମତି ମିଳିଥିଲା ତାହା ଚଳାଇବା କଷ୍ଟକର ହୋଇପଡିଛି । ଇତି ମଧ୍ୟରେ ସହରାଞ୍ଚଳ ପରିହବନ ସେବାକୁ ରାଜ୍ୟ ସରକାରମାନେ ନିଜ ଖର୍ଚ୍ଚରେ ତୁଲାଇବାପାଇଁ କେନ୍ଦ୍ର ସରକାର କହିଛନ୍ତି । ଏଭଳି ସ୍ଥଳେ ମଞ୍ଜୁର ହୋଇଥିବା ଜୋନ୍‍ରେ କିଭଳି ଗାଡି ଚଳାଚଳ କରିବ ତାହା ଏବେ ଚିନ୍ତାର କାରଣ ହୋଇଛି । (ତଥ୍ୟ) 



Powered by Catalyst IT Solutions Pvt. Ltd.