ବିଶ୍ୱବିଦ୍ୟାଳୟ ପାଇଁ ସମନ୍ୱିତ ଯୋଜନା

ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଲାଗି ଏବେ ରାଜ୍ୟ ସରକାର ସମନ୍ୱିତ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ସଂକ୍ରାନ୍ତରେ କୁଳପତି ଓ ଶିକ୍ଷାବିତ୍‍ମାନଙ୍କ ସହିତ ପରାମର୍ଶ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି ।

ନିକଟରେ ଅନୁଷ୍ଠିତ ହୋଇଥିବା କୁଳପତି ସମ୍ମିଳନୀରେ ରାଜ୍ୟର ଗୋଟିଏ ହେଲେ ବିଶ୍ୱବିଦ୍ୟାଳୟ ଦେଶର ୧୦୦ଟି ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇନଥିବା ନଜରକୁ ଆସିଥିଲା । ତେଣୁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ କିଭଳି ଭାବେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇବେ ସେ ଦିଗରେ ପଦକ୍ଷେପ ନିଆଯାଉଛି ।

ମିଳିଥିବା ସୂଚନାନୁଯାୟୀ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କୁଳପତି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଲାଗି କେତେକ ପଦକ୍ଷେପ ଗ୍ରହଣ ଲାଗି ପରାମର୍ଶ ଦେଇଛନ୍ତି । ଏଥି ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନରେ ଏକକ ନାମଲେଖା ଲାଗି ପୋର୍ଟାଲ୍‍ ବ୍ୟବସ୍ଥା କରିବାକୁ ମନ୍ତ୍ରୀ କହିଛନ୍ତି । ଠିକଣା ସମୟରେ ପରୀକ୍ଷା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍‍ ବଣ୍ଟନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଛି ।

ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ଏକକ ଶିକ୍ଷା କ୍ୟାଲେଣ୍ଡର ବ୍ୟବସ୍ଥା ନ ଥିବାରୁ ତାହା ଶିକ୍ଷାଦାନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି । ପରୀକ୍ଷା ଖାତା ମୂଲ୍ୟାୟନ, ଠିକଣା ସମୟରେ ଫଳ ପ୍ରକାଶନ ନ ହେବା ଏବଂ ସାର୍ଟିଫିକେଟ୍‍ ବଣ୍ଟନ ଆଦିରେ ବିଳମ୍ବ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପହଞ୍ଚିବାରେ ଲାଗିଛି ।

ଡିଗ୍ରୀ ସାର୍ଟିଫିକେଟ୍‍ ବଣ୍ଟନ କ୍ଷେତ୍ରରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅନ୍ୟମାନଙ୍କ ଠାରୁ ଢେର୍‍ ପଛରେ ପଡ଼ିଛି । ୨ ଲକ୍ଷରୁ ଅଧିକ ସାର୍ଟିଫିକେଟ୍‍ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟାଯାଇ ପାରିନାହିଁ । ସାର୍ଟିଫିକେଟ୍‍ ବଣ୍ଟନ ଲାଗି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିବା ବେଳେ ଉକ୍ରଳ ବିଶ୍ୱବିଦ୍ୟାଳୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହିଁ ।

ଆସନ୍ତା ୪ ମାସ ମଧ୍ୟରେ ପଡ଼ି ରହିଥିବା ସମସ୍ତ ସାର୍ଟିଫିକେଟ୍‍ଗୁଡ଼ିକର ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିଶ୍ରୁତି ଦେଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ପଦବୀ ପୂରଣରେ ବିଳମ୍ବ ହେଉଥିବାବେଳେ କୁଳପତିମାନଙ୍କୁ ବିଶ୍ୱବିଦ୍ୟାଳୟରେ ବାୟୋମେଟ୍ରିକ୍ସ ଲଗାଇବା ପାଇଁ କୁହାଯାଇଛି ।

ଏହାଦ୍ୱାରା କର୍ମଚାରୀମାନେ ଠିକଣା ସମୟରେ ଆସି କାର୍ଯ୍ୟ କରିପାରିବେ । ଓଡ଼ିଶାରେ କୁପଳତି ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ ରହୁଥିବାରୁ ତାହାକୁ ସମଗ୍ର ଦେଶରେ ପ୍ରଶଂସା କରାଯାଇଛି । ବରିଷ୍ଠ ଅଧିକାରୀମାନଙ୍କ ମତରେ କୁଳାଧିପତି ତଥା ରାଜ୍ୟପାଳଙ୍କ ଦପ୍ତର କୁଳପତି ଚୟନ ପ୍ରକ୍ରିୟା ସଠିକ୍‍ ଭାବେ କରୁଥିବାରୁ ଦକ୍ଷ, ନିଷ୍ଠାପର, ଗବେଷକ ତଥା ଶିକ୍ଷାବିତ୍‍ମାନେ ଆମ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ନେବାରେ ସକ୍ଷମ ହେଉଛନ୍ତି ।