ଚାଷୀଙ୍କୁ ମିଳିଲା ସବୁଜ ସାର

ଚଳିତବର୍ଷ ରାଜ୍ୟ ସରକାର ଚାଷୀମାନଙ୍କୁ ସବୁଜସାର ବା ଧନିଚା ବିହନ ଯୋଗାଇଛନ୍ତି । ରିହାତି ଦରରେ ଚାଷୀଙ୍କୁ ୫୫୦୦ କୁଇଣ୍ଟାଲ ଧନିଚା ବିହନ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇବର୍ଷ ଧରି ସରକାର ରିହାତି ଦରରେ ଧନିଚା ବିହନ ଯୋଗାଉ ନଥିଲେ । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ବାହାର ରାଜ୍ୟରୁ ଧନିଚା ବିହନ ଆଣିଥିବାବେଳେ ଏଥିରୁ ୧୦୦୦ କୁଇଣ୍ଟାଲ ବିହନ ନିଗମ ଜରିଆରେ ଓ ଅବଶିଷ୍ଟ ୪୫୦୦ କୁଇଣ୍ଟାଲ ବିଭାଗ ସିଧାସଳଖ ଚାଷୀମାନଙ୍କୁ ଯୋଗାଇ ଦେଉଛି । ରିହାତି ପ୍ରଦାନ ପରେ ଧନିଚା ବିହନ କିଲୋପ୍ରତି ୩୦ ଟଙ୍କା ଦରରେ ଚାଷୀଙ୍କୁ ବିକ୍ରି କରାଯାଉଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସବୁଜ ସାର ବା ଧନିଚା ବ୍ୟବହାର ଉପରେ କୃଷି ବିଜ୍ଞାନିମାନେ ଗୁରୁତ୍ୱ ଦେଇ ଆସୁଛନ୍ତି । ଧନିଚା ବ୍ୟବହାର କଲେ ରସାୟନିକ ସାର ବ୍ୟବହାର ପରିମାଣ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇବା ସହିତ ଚାଷୀମାନେ ବ୍ୟାପକ ଖର୍ଚ୍ଚାନ୍ତରୁ ରକ୍ଷା ପାଇପାରୁଛନ୍ତି । ଏଥି ସହିତ ଏହାର ଅନୁକୂଳ ପ୍ରଭାବ ବି ପରିବେଶ ଉପରେ ପଡୁଛି । ଧନିଚା ଗଛ ଦ୍ୱାରା କିଛିଦିନ ପାଇଁ ସବୁଜ ବଳୟ ସୃଷ୍ଟି ହେଉଛି ।

ଚାଷପ୍ରଣାଣୀ ଅନୁଯାୟୀ ଧାନଚାଷର କିଛିଦିନ ପୂର୍ବରୁ ଚାଷୀମାନେ ନିଜ ନିଜ ଜମିରେ ଧନିଚା ବିହନ ବୁଣିଥାନ୍ତି । ଚାଷକାମ ଆରମ୍ଭ ହେଲା ବେଳକୁ ଧନିଚା ଗଛ ଦେଢ ଫୁଟରୁ ଦୁଇଫୁଟ ପର୍ଯ୍ୟନ୍ତ ବଢିଥାଏ । ସେତେବେଳେ ଏହାକୁ ହଳକରି ମାଟିରେ ମିଶାଇ ଦିଆଯାଏ । ସବୁଜ ଗଛ ଗୁଡିକ ମାଟିରେ ମିଶି ସଢିଯିବାପରେ ସାର ଭାବେ କାର୍ଯ୍ୟ କରିଥାଏ । ସ୍ୱଳ୍ପ ଖର୍ଚ୍ଚରେ ଚାଷୀମାନେ ୩୦ପ୍ରତିଶତ ପର୍ଯ୍ୟନ୍ତ ସାର ପାଇପାରୁ ଥିବାରୁ ଧନିଚା ବ୍ୟବହାର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଧନିଚା ଚାଷକୁ ପାରମ୍ପରିକ କୃଷି ବିକାଶ ଯୋଜନା (ପିକେଭିୱାଇ) ରେ ସାମିଲ କରାଯାଇଛି । ଆମ ରାଜ୍ୟରେ ଧନିଚା ବିହନ ଉତ୍ପାଦନ ହେଉନଥିବାବେଳେ ବର୍ତ୍ତମାନ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହା ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି ।