ଶ୍ରମମୁକ୍ତ ଜୀବନ ଶିଶୁଙ୍କ ଅଧିକାର

ପ୍ରତ୍ୟେକ ଶିଶୁଙ୍କର ଶୋଷଣ ମୁକ୍ତ ତଥା ଶିଶୁ ଶ୍ରମମୁକ୍ତ ଜୀବନ ଯାପନ କରିବାର ଅଧିକାର ରହିଛି ଓ ପ୍ରତ୍ୟେକ ବୟସ୍କ ଶ୍ରମିକଙ୍କର ଏକ ନିରାପଦ ତଥା ସ୍ୱାସ୍ଥ୍ୟକର କାର୍ଯ୍ୟ ପରିସରର ଅଧିକାର ରହିଛି ।

ବିଶ୍ୱ ଶିଶୁଶ୍ରମ ବିରୋଧ ଦିବସ ପରିପ୍ରେକ୍ଷିରେ ସ୍ୱେତ୍ସାସେବୀ ଅନୁଷ୍ଠାନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରି କ୍ଲବ୍ ହେରିଟେଜ୍, ଭୂବନେଶ୍ୱରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଏହିମତ ପ୍ରକାଶ ପାଇଛି ।

ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ଆଇନ୍‍ ପ୍ରତିଷ୍ଠାନର ଡିନ୍‍ ପ୍ରଫେସର ପ୍ରବିର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଶିଶୁ ଅଧିକାର ବିଶେଷଜ୍ଞ ତଥା ଶିଶୁ ଶ୍ରମ ବିରୋଧି ଅଭିଯାନର ଅନ୍ୟତମ ପ୍ରତିଷ୍ଠାତା ସି.ଜେ.ଜର୍ଜ ଶିଶୁଙ୍କ ଶିକ୍ଷା ଅଧିକାର ଉପରେ ଗୁରୁତ୍ୱ ଦେଇଥିଲେ ।

ସେ କହିଥିଲେ ଯେ ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିପାରିଲେ ଏକ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ କରିବାରେ ସହାୟକ ହୋଇପାରିବ ।

ଫ୍ୟାକ୍ଟ୍ରି ଏବଂ ବ୍ରଏଲର ର ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଶିଳ୍ପ ଜନିତ ଦୁର୍ଘଟଣାକୁ ବନ୍ଦ କରିବା ପାଇଁ ସମୂହ ସଚେତନତା ତଥା ଦୃଢ ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପିକକ୍‍ର ଅଧ୍ୟକ୍ଷା ଆଦରମଣୀ ବରାଳ, ଶିକ୍ଷା ଅଧିକାର ଫୋରମ୍ର ରାଜ୍ୟ ସଂଯୋଜକ ଅନିଲ ପ୍ରଧାନ, ରୋଟାରି କ୍ଲବ୍ ହେରିଟେଜ୍, ଭୂବନେଶ୍ୱରର ସଭାପତି ଦିବ୍ୟ ରଞ୍ଜନ ଦାସ, ରୋଟାରିଆନ୍ ଶୁଭେନ୍ଦୁ ଦାସ ଏବଂ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ୧୮ବର୍ଷରୁ କମ୍ ପିଲାମାନଙ୍କୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରିଥିଲେ ।

୧୮ ରୁ ୨୪ ବର୍ଷ ପର୍ଯ୍ୟନ୍ତ ଯୁବ ଶ୍ରମିକ ମାନଙ୍କ ପାଇଁ ନିରାପଦ ଓ ସ୍ୱାସ୍ଥ୍ୟକର କାର୍ଯ୍ୟ ପରିବେଶର ବର୍ତ୍ତମାନ ସମୟରେ ଆବଶ୍ୟକତା ରହିଛି ବୋଲି ସମସ୍ତ ବକ୍ତା ମତ ଦେଇଥିଲେ ।

ପିକକ୍‍ର ମୂଖ୍ୟ କାର୍ଯ୍ୟନିର୍ବାହି ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।