୭୦ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଆସନ୍ତା ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିବା ସହିତ ଏଥିରେ ରାଜ୍ୟର ୭୦ଲକ୍ଷରୁ ଉର୍ଧ ପରିବାର ସାମିଲ ହେବେ ଓ ପ୍ରତି ପରିବାରକୁ ୫ଲକ୍ଷ ଟଙ୍କାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା' ହେବ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ । ଏହି ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ମାଗଣା ଚିକିତ୍ସାସେବା ଉପଲବ୍ଧ ହେବ । ରାଜ୍ୟର ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକରେ ବାର୍ଷିକ ପ୍ରାୟ ୪.୮୪ କୋଟି ରୋଗୀ-ଉପସ୍ଥାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ରୋଗ ପାଇଁ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦିଆଯିବ ।

ରାଜ୍ୟ ସରକାର ଆରମ୍ଭ କରୁଥିବା ଏହି ଯୋଜନାରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଓ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ପରିବାରଗୁଡିକ ପାଇଁ ପ୍ରାଥମିକ ଠାରୁ ଆରମ୍ଭ କରି ଶୀର୍ଷସ୍ତରୀୟ ଚିକିତ୍ସାସେବା ନିମନ୍ତେ ବର୍ଷକୁ ୫ ଲକ୍ଷ ଟଙ୍କାର ସୁବିଧା ମିଳିପାରିବ ଏବଂ ଏହାଦ୍ୱାରା ରାଜ୍ୟର ୭୦ଲକ୍ଷ ପରିବାର ସ୍ୱାସ୍ଥ୍ୟ ସୁରକ୍ଷା ପାଇପାରିବେ ।

ରାଜ୍ୟରେ ସମସ୍ତ ସରକାରୀ ଡାକ୍ତରଖାନାରେ ମିଳୁଥିବା ସବୁପ୍ରକାର ସ୍ୱାସ୍ଥ୍ୟସେବାକୁ ନିଃଶୁଳ୍କ କରାଇବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତରଖାନାଗୁଡିକରେ ୟୁଜର୍ସ ଫି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ଲାଗୁ ହୋଇଛି ।

ଫଳରେ ଓଡିଶାର ସମସ୍ତ ଜନସାଧାରଣ ସବୁପ୍ରକାର ପ୍ରାଥମିକ ଓ ଉଚ୍ଚତର ସ୍ୱାସ୍ଥ୍ୟସେବା ବିନାମୂଲ୍ୟରେ ପାଇପାରିବେ । ଆସନ୍ତା ଅଗଷ୍ଟ ୧୫ ତାରିଖ ଠାରୁ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକୁ ଆସୁଥିବା ସମସ୍ତ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁଙ୍କୁ ସ୍ୱାସ୍ଥ୍ୟାନୁଷ୍ଠାନରୁ ନିଜ ଘରକୁ ଫେରିବା ନିମନ୍ତେ ୫ ଶହ ଟଙ୍କାର ଯାତାୟତ ଖର୍ଚ୍ଚ ପ୍ରଦାନ କରାଯିବ । ଏହା ଫଳରେ ବର୍ଷକୁ ୬.୫ଲକ୍ଷରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁ ଉପକୃତ ହେବେ ।

ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଜନିତ ଆର୍ଥିକ ବୋଝରୁ ମୁକ୍ତି ଦେବା ସହିତ ଗୁଣାତ୍ମକ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଏହି କ୍ରମରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ରାଜ୍ୟ ବଜେଟ୍ରୁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ଅଧିକ ଅନୁଦାନ ପ୍ରଦାନ କରାଯାଇଛି ।

ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନାରେ ନିରାମୟ, ନିଦାନ, ସହାୟ, ସରକାରୀ ଡାକ୍ତରଖାନାରେ ପ୍ରସବକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ୧ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ରାଶି, ରକ୍ତ ସମସ୍ୟାରେ ଆକ୍ରାନ୍ତ ରୋଗୀମାନଙ୍କୁ ଯାତାୟତ ଖର୍ଚ୍ଚ ବାବଦରେ ମାସିକ ୫୦୦ ଟଙ୍କା ପ୍ରଦାନ ଆଦି ରହିଛି ।

ରାଜ୍ୟରେ ଉପଲବ୍ଧ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ , ଗୁଣାତ୍ମକ , ସୁଦୃଢ ଓ ଅଧିକ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଉପରୋକ୍ତ ତିନିଗୋଟି ନୂତନ କାର୍ଯ୍ୟକ୍ରମ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା' ଗଠନ ମିଶନକୁ ସଫଳ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

 



Powered by Catalyst IT Solutions Pvt. Ltd.