ଭୂତଳ ଜଳ ସରିଆସୁଛି

ବଙ୍ଗୋପସାଗର କୂଳରେ ଥିବା ଶ୍ରୀକ୍ଷେତ୍ର ପୁରୀରେ ପାନୀୟ ଜଳ ସଙ୍କଟ ଗୁରୁତର ହେବାରେ ଲାଗିଛି । ଏହି ସମସ୍ୟାର ତ୍ୱରିତ ପ୍ରତିକାର କରାନଗଲେ ଆଉ କିଛି ବର୍ଷ ପରେ ପୁରୀର ବାସିନ୍ଦା ଓ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ।

ଏ ପ୍ରସଙ୍ଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଅବହିତ ଅଛନ୍ତି ଏବଂ ହାଇକୋର୍ଟରେ ବି ବାରମ୍ବାର ଏ ସମସ୍ୟା ଉଠୁଛି । ନଗର ଉନ୍ନୟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଓଡ଼ିଶାର କୋଷ୍ଟାଲ୍‍ ଜୋନ୍‍ ମ୍ୟାନେଜ୍‍ମେଣ୍ଟ ଅଥରିଟି କିଛି ବର୍ଷ ମଧ୍ୟରେ ଏ ପ୍ରସଙ୍ଗରେ ଅନେକ ବିଜ୍ଞପ୍ତି ମଧ୍ୟ ଜାରି କଲେଣି । ଏମିତିକି କେନ୍ଦ୍ରାଞ୍ଚଳ ଆର୍‍ଡିସି ବି ବିଭିନ୍ନ ବୈଠକରେ ଏଥିଘେନି ଉଦ୍‍ବେଗ ପ୍ରକାଶ କରିଆସୁଛନ୍ତି ।

ସହରର ବଳିଆପଣ୍ଡା ଓ ଚକ୍ରତୀର୍ଥ ଅଞ୍ଚଳରେ ମହଜୁଦ ଥିବା ଭୂତଳ ମଧୁର ପାନୀୟ ଜଳର ସଂରକ୍ଷଣ ଲାଗି ବ୍ରିଟିଶ୍‍ ସରକାର ସମୟରୁ ଅଭିଯାନ ଆରମ୍ଭ ହୋଇଛି । ଗତ ଶତାବ୍ଦୀର ତୃତୀୟ ଦଶକରେ ଏହି ଅଞ୍ଚଳରେ ବସତି ସ୍ଥାପନ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଉପରେ ବ୍ରିଟିଶ୍‍ ସରକାର ନିଷିଦ୍ଧାଦେଶ ଜାରି କରିଥିଲେ ।

କିନ୍ତୁ ସ୍ୱାଧୀନୋତ୍ତର ଭାରତବର୍ଷରେ ଆଇନର ଗଳାବାଟ ଦେଇ ବେଆଇନ୍‍ କାର୍ଯ୍ୟକଳାପ ଚଳାଯିବା ଫଳରେ ଏହି ଅଞ୍ଚଳରେ ମହଜୁଦ ଥିବା ମଧୁର ଜଳର ଅନ୍ୟୁନ ୭୦ ପ୍ରତିଶତ ନଷ୍ଟ ହୋଇସାରିଲାଣି ବୋଲି ପରିବେଶ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ବିଶେଷ କରି ପୁରୀ ପୌର ସଂସ୍ଥା, ପୁରୀ କୋଣାର୍କ ଉନ୍ନୟନ ପ୍ରାଧିକରଣ, ପରିବେଶ ବିଭାଗ, ଜିଲ୍ଲା ପ୍ରଶାସନ ଆଦିର କେତେକ ନ୍ୟସ୍ତ ସ୍ୱାର୍ଥ ଅଧିକାରୀଙ୍କ ସଲାସୁତୁରାରେ ଏହି ନିଷିଦ୍ଧାଞ୍ଚଳରେ ବ୍ୟାପକ ସଂଖ୍ୟକ ହୋଟେଲ, ଲଜିଂ, ଆପାର୍ଟମେଣ୍ଟ ଆଦି ନିର୍ମାଣ କରାଯାଇଛି ବୋଲି ଓଡ଼ିଶା କୃଷକ ମହାସଂଘ ଖୋଲା ଅଭିଯୋଗ କରିଛି । ଏହି ଅଞ୍ଚଳରେ ଗଚ୍ଛିତ ଥିବା ଭୂତଳ ମଧୁର ଜଳର ଆଖିବୁଜା ଉତ୍ତୋଳନ ଯୋଗୁ ଜଳସ୍ତର ହ୍ରାସ ପାଇବା ସଙ୍ଗେ ସଙ୍ଗେ ବହୁ ଅଞ୍ଚଳରେ ମଧୁର ଜଳ ପରିବର୍ତ୍ତେ ମାଟିତଳେ ଲୁଣାପାଣି ମିଳୁଛି ।

ବଳିଆପଣ୍ଡା ଅଞ୍ଚଳରେ ହୋଇଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ବାରମ୍ବାର ନିର୍ଦ୍ଦେଶ ଦେଇଆସୁଛନ୍ତି । ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଆର୍‍ଡିସି ମଧ୍ୟ ଏହି ସମସ୍ୟା ଘେନି ଉଦ୍‍ବେଗ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ସମୁଦ୍ର କୂଳରେ ଥିବା ୩୪ଟି ହୋଟେଲକୁ ଜନସ୍ୱାସ୍ଥ୍ୟ ବିଭାଗ ନୋଟିସ୍‍ ଜାରି କରି ସପ୍ତାହକ ମଧ୍ୟରେ ଭୂତଳ ଜଳ ଉତ୍ତୋଳନ ବନ୍ଦ ନ କଲେ ହୋଟେଲ ବନ୍ଦ କରିଦିଆଯିବ ବୋଲି ଧମକ ଦେଇଛି ।

ତେବେ ପୂର୍ବରୁ ଏହି ସଂସ୍ଥା ପ୍ରାୟ ୭୦ଟି ହୋଟେଲ ଓ ଲଜିଂ ବେଆଇନ୍‍ ଭୂତଳ ଜଳ ଉତ୍ତୋଳନ ଚିହ୍ନଟ କରିଥିବା ବେଳେ କାହିଁକି ୩୪ଟିକୁ ନୋଟିସ୍‍ ଦିଆଯାଇଛି ଓ ଅନ୍ୟମାନେ କ’ଣ ଭୂତଳ ଜଳ ଉତ୍ତୋଳନ ବନ୍ଦ କରିଦେଇଛନ୍ତି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ପୁରୀର ଭୂତଳ ମଧୁର ଜଳ ସଂରକ୍ଷଣ କୋଷ୍ଟାଲ୍‍ ଜୋନ୍‍ ମ୍ୟାନେଜ୍‍ମେଣ୍ଟ ଅଥରିଟିର ଦାୟିତ୍ୱ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ତଦନୁଯାୟୀ ଗତବର୍ଷ ଏହି ଅଥରିଟି ଏକ ନିର୍ଦ୍ଦେଶନାମା ଜାରି କରି ଚକ୍ରତୀର୍ଥ ଓ ବଳିଆପଣ୍ଡା ଅଞ୍ଚଳର ଭୂତଳ ଜଳ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ଏହି ଅଞ୍ଚଳରେ ସରକାରୀ ଜମି ଉପରେ ଯେତେସବୁ ନିର୍ମାଣ କାର୍ଯ୍ୟ ହେଉଛି ତାହାକୁ ବେଆଇନ୍‍ ବୋଲି ଦର୍ଶାଇଛନ୍ତି ।

ଏଥିସହିତ ଭୂତଳ ଜଳର ସଂରକ୍ଷଣ ଓ ବିକାଶ କିଭଳି ହୋଇପାରିବ ସେ ସଂକ୍ରାନ୍ତରେ ମଧ୍ୟ ଏହି ସଂସ୍ଥା ପୂର୍ବରୁ ମାର୍ଗ ନିର୍ଦ୍ଦେଶିକା ଜାରି କରିଛି । ଏହି ଅଞ୍ଚଳରେ ଜମିର ଲିଜ୍‍ ଓ କିଣାବିକା ଉପରେ କଟକଣା ଜାରି ସହିତ ଆଖିବୁଜା ଭୂତଳ ଜଳ ଉତ୍ତୋଳନ ନ କରିବା ପାଇଁ ମଧ୍ୟ ଏହା ଚେତାବନୀ ଦେଇଛି ।

ଇତିମଧ୍ୟରେ କେନ୍ଦ୍ର ଭୂତଳ ଜଳ ବୋର୍ଡର ଅଧ୍ୟକ୍ଷ ପୁରୀ ଜିଲ୍ଲାପାଳଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ବି ବଳିଆପଣ୍ଡା ଓ ଚକ୍ରତୀର୍ଥ ଅଞ୍ଚଳରେ ଭୂତଳ ମଧୁର ଜଳ ଭଣ୍ଡାରର ବିକାଶ ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ।