ସେବାକେନ୍ଦ୍ର ପାଇଁ ବ୍ୟାଙ୍କ୍‍ ଅମଙ୍ଗ

ବ୍ୟାଙ୍କଶାଖା ନଥିବା ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ୍‍ସେବା ଯୋଗାଣ ପାଇଁ ଗ୍ରାହକ ସେବାକେନ୍ଦ୍ର ପ୍ରତିଷ୍ଠା ଯୋଜନା ଏବେ ଅଧାପନ୍ତରିଆ । ଏଥିପାଇଁ ବିଭିନ୍ନ ସଂସ୍ଥାଙ୍କୁ ନିୟୋଜିତ କରାଯାଇଥିଲେ ମଧ୍ୟ ବ୍ୟାଙ୍କ୍‍ ଗୁଡିକ ଅମଙ୍ଗ ହେଉଥିବାରୁ ଗାଁ ଗହଳରେ ସେବାକେନ୍ଦ୍ର ପ୍ରତିଷ୍ଠା ହୋଇପାରୁନାହିଁ ।

ରାଜ୍ୟରେ ଏବେ ପ୍ରାୟ ୪ହଜାର ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନାହିଁ । ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ଯୋଜନା ଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତାରେ ସମସ୍ୟା ଦେଖାଦେଉଛି । ବିଶେଷକରି ଯେଉଁସବୁ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ୍‍ଖାତାକୁ ସିଧାସଳଖ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି ତାହା ପଇଠ ହୋଇପାରୁନାହିଁ । ତେଣୁ ଗାଁ ଗହଳରେ ବ୍ୟାଙ୍କ୍‍ଶାଖା ଖୋଲିବାପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ।

ଉଭୟ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ୍‍ ଗୁଡିକ ପଞ୍ଚାୟତ ସ୍ତରରେ ବ୍ୟାଙ୍କ୍‍ଶାଖା ଖୋଲିବାପାଇଁ ଅମଙ୍ଗ ହେବାରୁ ସେହିସବୁ ସ୍ଥାନରେ ଗ୍ରାହକ ସେବାକେନ୍ଦ୍ର ଖୋଲିବାପାଇଁ ସ୍ଥିର ହୋଇଥିଲା । ବିଶେଷକରି ସମ୍ପୃକ୍ତ ପଞ୍ଚାୟତର ଶିକ୍ଷିତ ଯୁବକମାନଙ୍କୁ ସେବାକେନ୍ଦ୍ର ଜରିଆରେ ଆତ୍ମନିଯୁକ୍ତି ପ୍ରଦାନ ସହିତ ଲୋକଙ୍କୁ ବ୍ୟାଙ୍କ୍‍ସେବା ଯୋଗାଇବା ଥିଲା ମୁଖ୍ୟ ଲକ୍ଷ୍ୟ ।

ଏଥିପାଇଁ ଜାତୀୟ ସ୍ତରର କେତେକ ସଂସ୍ଥାଙ୍କୁ ରାଜ୍ୟରେ ନିୟୋଜିତ ବି କରାଯାଇଛି । ଏମାନେ ସ୍ଥାନୀୟ ଯୁବକ ଓ ବ୍ୟାଙ୍କ୍‍ ମଧ୍ୟରେ ଯୋଗସୂତ୍ର ରକ୍ଷାକରି ଗ୍ରାହକ ସେବାକେନ୍ଦ୍ର ଖୋଲିବାକଥା ।

ହେଲେ ଗ୍ରାହକ ସେବାକେନ୍ଦ୍ର ଟିଏ ଖୋଲିବାପାଇଁ ଆବେଦନକରି ବର୍ଷ ବର୍ଷ ଧରି ଗାଁ ଗହଳର ଯୁବକମାନେ ଅପେକ୍ଷାକରି ବସିଛନ୍ତି । ସେବାକେନ୍ଦ୍ର ଖୋଲିବାପାଇଁ ଜମି ପଟ୍ଟା ଠାରୁ ଆରମ୍ଭକରି ଅନ୍ୟାନ୍ୟ କାଗଜପତ୍ର ଓ ସେହି ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ୍‍ ଶାଖାରୁ ଆପତ୍ତି ବିହୀନ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି । ଏଥିପାଇଁ ବେକାର ଯୁବକମାନଙ୍କୁ ଖର୍ଚ୍ଚାନ୍ତ ବି ହେବାକୁ ପଡିଛି ।

ଅନ୍ୟାନ୍ୟ ବ୍ୟାଙ୍କ୍‍ ତ ଦୂରରକଥା ଖୋଦ୍‍ ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଏହି ଗ୍ରାହକସେବା କେନ୍ଦ୍ର ଖୋଲିବାପାଇଁ ବି ଅନୁମତି ପ୍ରଦାନ କରୁନାହାନ୍ତି । ରାଜ୍ୟର କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ଜଗତ୍‍ସିଂହପୁର ଭଳି ଉପକୂଳ ଜିଲ୍ଲାରେ ବର୍ଷ ବର୍ଷ ଧରି ଆବେଦନକରିଥିବା ଆଶାୟୀମାନଙ୍କୁ ସେବାକେନ୍ଦ୍ର ପ୍ରତିଷ୍ଠାଲାଗି ଅନୁମତି ମିଳୁନାହିଁ । ଏଥିପାଇଁ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଓ ସେବାକେନ୍ଦ୍ର ଖୋଲିବା ଦାୟିତ୍ୱରେ ସଂସ୍ଥା ପରସ୍ପର ଉପରକୁ ଦୋଷ ଠେଲିବାରେ ଲାଗିଛନ୍ତି ।

ଏଭଳି ସ୍ଥିତିରେ ଯେଉଁସବୁ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନାହିଁ ସେଠାରେ ସେବାକେନ୍ଦ୍ର ଟିଏ ଖୋଲିବା ସହଜ ହୋଇପାରୁନାହିଁ । ବ୍ୟାପକ ଅର୍ଥ ବ୍ୟୟକରି ଘରଭଡା ନେବା ସହିତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଖରିଦ କରିଥିବା ଯୁବକମାନେ କେବଳ ହତାଶ ହେବା ସାର ହୋଇଛି ।