ବଦଳିଲେ ଶ୍ରୀମନ୍ଦିର ପ୍ରଶାସକ

ବରିଷ୍ଠ ଆଇଏଏସ୍‍ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜ୍ୟ ସରକାର ଆଜି ଶ୍ରୀମନ୍ଦିର ପ୍ରଶାସକ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକ ଥିବା ଆଇଏଏସ୍‍ ଅଫିସର ପ୍ରଦୀପ ଜେନାଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।

୧୯୮୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଶ୍ରୀ ମହାପାତ୍ର ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଥିବାବେଳେ ଅତିରିକ୍ତ ଭାବେ ଶ୍ରୀମନ୍ଦିର ପ୍ରଶାସକ ପଦରେ କାର୍ଯ୍ୟ କରିବେ ।

ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ୧୯୮୯ ବ୍ୟାଚ୍‍ ଆଇଏଏସ୍‍ ଶ୍ରୀ ଜେନା ମଧ୍ୟ ଅତିରିକ୍ତ ଭାବେ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ତୁଲାଉଥିଲେ ।

ଗତ କିଛିଦିନ ଧରି ପୁରୀ ଶ୍ରୀମନ୍ଦିରରେ ବିବାଦ ଲାଗି ରହିଥିବାବେଳେ ଆଜି ରାଜ୍ୟ ସରକାର ପ୍ରଶାସକ ପଦବୀରେ ପରିବର୍ତ୍ତନ କରିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିଶ୍‍କୁ ନେଇ ରାଜ୍ୟ ସରକାର କାଠଗଡାରେ ଛିଡା ହୋଇଥିବାବେଳେ ଏହାପରେ ରତ୍ନଭଣ୍ଡାର ଚାବି ନିଖୋଜ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଲାଗି ରହିଛି ।

ରତ୍ନଭଣ୍ଡାର ଚାକି ନିଖୋଜ ଘଟଣାକୁ ରାଜ୍ୟ ବିଜେପି ପ୍ରସଙ୍ଗ କରିବା ସହିତ ସାରା ରାଜ୍ୟରେ ଆଜିଠାରୁ ଆନ୍ଦୋଳନ ଆରମ୍ଭ କରିଦେଇଛି । ଏହି ଘଟଣାରେ ଦଳ ପକ୍ଷରୁ ଥାନାରେ ଏତାଲା ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଚାବି ନିଖୋଜ ଘଟଣାରେ ରାଜ୍ୟ ସରକାର ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଛନ୍ତି । ତିନିମାସ ମଧ୍ୟରେ କମିଶନ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି ।

ଚାବି ବିବାଦ ଜାରି ରହିଥିବାବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥକୁ ସେବାୟତମାନେ ନେଇପାରିବେ ନାହିଁ ବୋଲି ସୁପ୍ରିମ୍‍କୋର୍ଟ ରାୟ ଦେଇଛନ୍ତି । ଏହାକୁ କିଭଳି କାର୍ଯ୍ୟକାରୀ ହେବ ସେଥିନେଇ ଶ୍ରୀମନ୍ଦିର ପ୍ରଶାସନ ବିଚାର ଆଲୋଚନା ଚଳାଇଥିବାବେଳେ ସେବାୟତମାନେ ଦାନ ଅର୍ଥ ନେବାପାଇଁ ଅଡି ବସିଛନ୍ତି ।

ଏହାଛଡା ଗତ କିଛିଦିନ ଧରି ଶ୍ରୀମନ୍ଦିର ପରିସରରେ ସେବାୟତ ମାନଙ୍କର ଭକ୍ତଙ୍କୁ ମାଡ ସହିତ ମହିଳା ଭକ୍ତଙ୍କୁ ଅସଦାଚରଣ ଏପରିକି ମନ୍ଦିରରେ ନିୟୋଜିତ ପୁଲିସ୍‍ କର୍ମଚାରୀଙ୍କୁ ପିଟିବା ଭଳି ଘଟଣା ଘଟିବାରେ ଲାଗିଛି ।

ସମଗ୍ର ରାଜ୍ୟରେ ଶ୍ରୀମନ୍ଦିର ପ୍ରସଙ୍ଗ ଚର୍ଚ୍ଚାରେ ଥିବାବେଳେ ଆଜି ରାଜ୍ୟ ସରକାର ନିଯୁକ୍ତି କରିଥିବା ନୂତନ ପ୍ରଶାସକଙ୍କ ଉପରେ ଏବେ ସମସ୍ତଙ୍କ ନଜର । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଶ୍ରୀ ମହାପାତ୍ର ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।