ତିତଲି ନେଉଛି କରାଳ ରୂପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ତିତଲି ଧିରେ ଧିରେ ଭୟଙ୍କର ରୂପ ଧାରଣ କରୁଛି । ଏହା ଏବେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ବର୍ତମାନ ଏହା ଗୋପାଳପୁର ବନ୍ଦର ଠାରୁ ୩୨୦ କିଲୋମିଟର ଏବଂ କଳିଙ୍ଗପଟନମ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ।

ଆସନ୍ତାକାଲି ସକାଳ ୫.୩୦ ମିନିଟ ସୁଦ୍ଧା ଏହା ସ୍ଥଳ ଭାଗରେ ମାଡ଼ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋପାଳପୁର ଓ କଳିଙ୍ଗପଟନମ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ ।

ତିତଲି ପ୍ରଭାବରେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ସାମୁଦ୍ରିକ ଝଡ଼ ତିତଲି ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ତେବେ ସ୍ଥଳ ଭାଗ ଛୁଇଁବା ବେଳେ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ସମେତ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ସମୟରେ ପବର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବ ପାଣିପାଗ ବିଭାଗ ସୂଚନା ଦେଇଛି ।

୫ଟି ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ୭ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଦିଆଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ରେଡ୍ ଅଲର୍ଟ ଦିଆଯାଇଥିବା ବେଳେ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ତିତଲି ମୁକାବିଲା ନେଇ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଛି ସମୀକ୍ଷା ବୈଠକ । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି ଯେ ତିତଲି ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଗତ ଦିନରେ ଫାଇଲିନ ପାଇଁ ଯେଉଁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ସେହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଜିରୋ କାଜୁଆଲିଟି ବା ଶୂନ୍ୟ ଦୁର୍ଘଟଣା ନିରାକରଣ ନେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଅନ୍ୟପଟେ ଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ତିତଲିର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ୍, ଏନଡିଆରଏଫ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିକଟସ୍ଥ ସ୍କୁଲ କଲେଜକୁ ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ଟି ଜିଲ୍ଲାରେ ଏନଡିଆରଏଫ୍ ମୁତୟନ ଅଛନ୍ତି ।

ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଦରକାର ପଡ଼ିଲେ ବାୟୁସେନା ଓ ନୌସେନାର ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି । ଏହିସବୁ ଜିଲ୍ଲାରେ ୮୩୬ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଯାଇଛି । ଆସନ୍ତା ଦୁଇ ଦିନ ୧୧ ଓ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସସସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରାଇଯାଇଛି । ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବା ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଏସଆରସି ବିଷ୍ଣୁପଦ ସେଠୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍, ପୁଲିସ ଡିଜି ଆର.ପି ଶର୍ମାଙ୍କ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ଖାଦ୍ୟ ସାମଗ୍ରୀ ନେଇ ଲୋକମାନେ ଭୟଭୀତ ହୁଅନ୍ତି ନାହିଁ । ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

କୌଣସି ସ୍ଥାନରେ କଳାବାଜରୀ କିମ୍ବା ଯଦି କୌଣସି ବେକାରୀ ଚଢ଼ା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଜଣାପଡ଼ିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।