ଖଣିଜ ଟିକସରେ ୬୭ପ୍ରତିଶତ ଅଭିବୃଦ୍ଧି

ଖଣି ଓ ଖଣିଜ ଭିତ୍ତିକ ଶିଳ୍ପରୁ ରାଜ୍ୟ ସରକାରଙ୍କ ଆୟ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ସରକାର ଏ କ୍ଷେତ୍ରରୁ ପ୍ରାୟ ୬୭ପ୍ରତିଶତ ଅଧିକ ରାଜସ୍ୱ ଆଦାୟ କରିଛନ୍ତି ।

ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ସରକାର ଖଣି ଏବଂ ଖଣିଜ ଶିଳ୍ପରୁ ୩୭୯୦ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି ଯାହାକି ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ମାତ୍ର ୨୨୬୮ କୋଟି ଟଙ୍କା ଥିଲା । ସର୍ବଶେଷ ରାଜସ୍ୱ ଆଦାୟ ହିସାବ ଅନୁଯାୟୀ କେବଳ ଅଗଷ୍ଟ ମାସରେ ଖଣିଜ କ୍ଷେତ୍ରରୁ ୭୩୧ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ଏକ ସର୍ବକାଳୀନ ରେକର୍ଡ ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉଭୟ ଟିକସ ଓ ଅଣଟିକସ ଆଦାୟ ୧୬,୨୪୪ କୋଟି ୯୮ ଲକ୍ଷ ଟଙ୍କା ହୋଇଥିବାବେଳେ ଗତବର୍ଷ ଏହି ସମୟ ମଧ୍ୟରେ ସରକାର ଉଭୟ ଟିକସ ବାବଦରେ ୧୧,୭୮୮ କୋଟି ୭୫ଲକ୍ଷ ଟଙ୍କା ପାଇଥିଲେ ।

୨୦୧୮-୧୯ଆର୍ôଥକ ବର୍ଷରେ ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ୩୯,୮୫୦ କୋଟି ଟଙ୍କା ଆଦାୟ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ତଦନୁଯାୟୀ ଟିକସ ଆଦାୟ ତ୍ୱରାନ୍ୱିତ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିଜସ୍ୱ ଟିକଟ ବାବଦରେ ସରକାର ୨୩୬୫କୋଟି ୯୦ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୩୨.୪୫ ପ୍ରତିଶତ ଅଧିକ । ସେହିଭଳି ବିକ୍ରିକର ବାବଦରେ ୨୯.୬୦ ପ୍ରତିଶତ ଅଭିବୃଦ୍ଧି ଘଟି ୧୪୬୭କୋଟି ୭୯ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ଏହି ଅଭିବୃଦ୍ଧି ୨୫.୧୦ ପ୍ରତିଶତ ରହିଥିଲା ।

ଷ୍ଟାମ୍ପ ଓ ପଞ୍ଜିକରଣ ବାବଦରେ କିନ୍ତୁ ୩୮.୩୮ପ୍ରତିଶତ କମ୍‍ ରାଜସ୍ୱ ମିଳିଛି ଯାହାକି ଟିକସ ଆଦାୟ କ୍ଷେତ୍ରରେ ଏକ ବଡ କ୍ଷତି ବୋଲି ଅଧିକାରୀମାନେ ବିଚାରୁଛନ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି କ୍ଷେତ୍ରରୁ ଅତି ବେଶିରେ ୪୪୨କୋଟି ଟଙ୍କା ଆଦାୟ ହୋଇଛି । ଗତବର୍ଷ ଏହି ଟିକସ ପରିମାଣ ୧୧୫୨କୋଟି ଟଙ୍କା ଥିଲା ।

ଅଣଟିକସ ରାଜସ୍ୱ ଆଦାୟ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୪୪୩୨କୋଟି ୭୧ ଟଙ୍କା ହୋଇଥିବାବେଳେ ଏଥିରେ ଖଣିଜ ଟିକସର ଅବଦାନ ୩୭୯୦କୋଟି ଟଙ୍କା ରହିଛି । ଚଳିତ ଆର୍ôଥକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ଆକାରରେ ୨୪,୭୬୪ କୋଟି ଟଙ୍କା ମିଳିବାର ଆଶା ଥିବାବେଳେ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର ୧୦,୫୪୯କୋଟି ୮୫ଲକ୍ଷ ଟଙ୍କା ପାଇଛନ୍ତି ।

କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ବାବଦରେ ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ୩୬,୫୮୫ କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଅଗଷ୍ଟ ଶେଷସୁଦ୍ଧା ଏ ବାବଦରେ ୧୨,୪୧୦କୋଟି ଟଙ୍କା ମିଳିଛି ।

ତେଣୁ ଟିକସ, ଅଣଟିକସ, କେନ୍ଦ୍ରୀୟ ଟିକସରୁ ଅଂଶ ଓ ଅନୁଦାନ ବାବଦରେ ରାଜ୍ୟ ସରକାର ଅଗଷ୍ଟ ୩୧ ସୁଦ୍ଧା ମୋଟ୍‍ ୩୯,୨୦୫କୋଟି ୧୪ ଲକ୍ଷ ଟଙ୍କା ପାଇଛନ୍ତି ଯାହାକି ଗତବର୍ଷ ଏହି ସମୟରେ ୩୦,୬୪୪ କୋଟି ୮୧ଲକ୍ଷ ଟଙ୍କା ଥିଲା । ଗତବର୍ଷ ତୁଳନାରେ ଏହି ଅଭିବୃଦ୍ଧି ପାଖାପାଖି ୨୮ ପ୍ରତିଶତ ରହିଛି ।

ରାଜ୍ୟ ଦ୍ରବ୍ୟ ଓ ସେବା କର (ଏସ୍‍ଜିଏସ୍‍ଟି)ରୁ ୩୩୩୬କୋଟି ୬୭ ଲକ୍ଷ ଟଙ୍କା ମିଳିଥିବାବେଳେ ଏଭଳି କମ୍‍ ଟିକସ ଆଦାୟକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ଚିନ୍ତିତ । କମ୍‍ ପରିମାଣରେ ଜିଏସ୍‍ଟି ଆଦାୟ ଯୋଗୁଁ କେନ୍ଦ୍ର ସରକାର କ୍ଷତିପୂରଣ ପ୍ରଦାନ ପରିମାଣ ହ୍ରାସ କରିବାରେ ଲାଗିଛନ୍ତି ।

ରାଜ୍ୟ ସରକାର ଜୁଲାଇ ମାସର ଜିଏସ୍‍ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ଠାରୁ ୨୮୨ କୋଟି ଟଙ୍କା ପାଇଛନ୍ତି । ଏଭଳି ସ୍ଥଳେ ରାଜ୍ୟ ସରକାର ଅଧିକ ଜିଏସ୍‍ଟି ଆଦାୟ କରିବାଲାଗି କେନ୍ଦ୍ର ଅର୍ଥ ସଚିବ କହିଥିବା ଜଣାଯାଇଛି ।