କୃଷି ବିଶ୍ୱବିଦ୍ୟାଳୟରେ ୩୬୪ ପଦବୀ ଖାଲି

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ୧୧୯ଟି ଶିକ୍ଷକ ପଦବୀ ସମେତ ମୋଟ୍‍ ୩୬୪ଟି ପଦବୀ ବିଭିନ୍ନ ପାହ୍ୟାରେ ଖାଲିପଡ଼ିଛି । ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ୱୀକାର କରିଛନ୍ତି । 

ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୧୦ଟି ଶିକ୍ଷାନୁଷ୍ଠାନ ରହିଛି । ଏଗୁଡ଼ିକ ପାଇଁ ୫୦ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବା ବେଳେ ସେଥିରୁ ୧୯ଟି ଖାଲିପଡ଼ିଛି । ସେହିପରି ୯୧ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ଅଧ୍ୟାପକ ପଦବୀରୁ ୩୩ଟି ଖାଲି ପଡ଼ିଥିବା ବେଳେ ୨୩୦ଟି ଅଧ୍ୟାପକ ପଦବୀରୁ ୬୭ଟି ଖାଲି ।

କୃଷି ମହାବିଦ୍ୟାଳୟରେ ୩୫ଟି ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପଶୁପାଳନ ମହାବିଦ୍ୟାଳୟରେ ୩୮ଟି ଶିକ୍ଷକ ପଦବୀ ଖାଲି । ବନ ମହାବିଦ୍ୟାଳୟରେ ୧୧ଟି ଶିକ୍ଷକ ପଦବୀ ଖାଲି ଥିବା ବେଳେ କୃଷି ଯାନ୍ତ୍ରିକ ମହାବିଦ୍ୟାଳୟରେ ମାତ୍ର ଗୋଟିଏ ପ୍ରଫେସର ପଦବୀ ଖାଲିପଡ଼ିଛି ।

ବେସିକ୍‍ ସାଇନ୍ସ କଲେଜରେ ୧୨ଟି ଶିକ୍ଷକ ପଦବୀ ଖାଲି ଥିବା ବେଳେ ଗୃହ ବିଜ୍ଞାନ, ଚିପିଲିମାର କୃଷି ଓ ଉଦ୍ୟାନ କୃଷି କଲେଜ, ଭବାନୀପାଟଣାର କୃଷି କଲେଜ ଓ ରଙ୍ଗେଇଲୁଣ୍ଡାର ମତ୍ସ୍ୟ କଲେଜରେ ବି ବହୁ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ରହିଛି । ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୩ଟି ପ୍ରଶାସକ ପଦବୀ ସମେତ ୨୪୫ଟି ଅଣଶିକ୍ଷକ ପଦବୀ ମଧ୍ୟ ଖାଲିଥିବା କୃଷିମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

କୃଷି ମହାବିଦ୍ୟାଳୟରେ ସର୍ବାଧିକ ୧୦୨ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ପଶୁପାଳନ ମହାବିଦ୍ୟାଳୟରେ ୪୦ଟି, ଭବାନୀପାଟଣା କୃଷି କଲେଜରେ ୨୫ଟି ଓ ଚିପିଲିମା କୃଷି କଲେଜରେ ୨୦ଟି ଅଣଶିକ୍ଷକ ପଦବୀ ଖାଲି । କୃଷି ଯାନ୍ତ୍ରିକ କଲେଜରେ ୧୮ଟି, ବନ ମହାବିଦ୍ୟାଳୟରେ ୧୩ଟି ଓ ବେସିକ୍‍ ସାଇନ୍ସ କଲେଜରେ ୧୨ଟି ଅଣଶିକ୍ଷକ ପଦବୀ ଖାଲିଥିବା ବେଳେ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ କିଛି ପଦବୀ ଖାଲି ପଡ଼ିଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ କୃଷି, ପଶୁପାଳନ, ମାଛ ଚାଷ ଆଦି କ୍ଷେତ୍ର ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱାରୋପ କରୁଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ଶିକ୍ଷାନୁଷ୍ଠାନଗୁଡ଼ିକର ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବିଶେଷ କରି ଗବେଷଣାଲବ୍ଧ ଜ୍ଞାନକୁ କ୍ଷେତ୍ରରେ ପ୍ରୟୋଗ କରି କୃଷକ ପରିବାରଙ୍କ ରୋଜଗାର ବୃଦ୍ଧି ସହିତ ଆତ୍ମନିଯୁକ୍ତି କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଓ ତାହାର ଅନୁବନ୍ଧିତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଶଂସନୀୟ ଭୂମିକା ରହିଥିବା ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦର୍ଶାଇଛନ୍ତି ।

ଓଡ଼ିଶାର ଅର୍ଥନୀତି ମୁଖ୍ୟତଃ କୃଷିଭିତ୍ତିକ ହୋଇଥିବା ଏବଂ ଦେଶର ବହୁ ରାଜ୍ୟ ତୁଳନାରେ ଓଡ଼ିଶାରେ କୃଷକ ପରିବାରର ଆୟ ଆନୁପାତିକ ଭାବେ ଢେର୍‍ କମ୍‍ ରହିଥିବା ଉଲ୍ଲେଖ କରି କୃଷି ବିଶ୍ୱବିଦ୍ୟାଳୟର ଖାଲି ପଦବୀ ସମେତ କୃଷି ବିଭାଗରେ ଖାଲି ପଡ଼ିଥିବା ୬ ହଜାରରୁ ଊଦ୍ଧ୍ୱର୍ ପଦବୀ ତୁରନ୍ତ ପୂରଣ ପାଇଁ ଶ୍ରୀ ରାୟ ଦାବି କରିଛନ୍ତି ।