୨୦୧୯ ମାର୍ଚ୍ଚ ସୁଦ୍ଧା ଖଣି ଉତ୍ତୋଳନ ସାର

ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୩୧ଜଣ ଖଣି ଲିଜ୍‍ଧାରୀ ସେମାନଙ୍କ ଖନନ କାର୍ଯ୍ୟ ସାରିବାପାଇଁ ରାଜ୍ୟ ସରକାର କହିଛନ୍ତି । ଏମାନଙ୍କର ଲିଜ୍‍ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ପୂରିବାକୁ ଥିବାବେଳେ ଏହିସବୁ ଖଣିରୁ ବର୍ତ୍ତମାନ ଖଣିଜ ଉତ୍ତୋଳନ ଜାରି ରହିଛି ।

ଏହି ଖଣି ଲିଜ୍‍ଧାରୀମାନଙ୍କୁ ଏକ ବର୍ଷ ପୂର୍ବରୁ ଖଣିଜ ଉତ୍ତୋଳନ କାର୍ଯ୍ୟ ସାରିବାପାଇଁ ସମୟ ଦିଆଯାଇଛି । ଫଳରେ ବର୍ଷକ ମଧ୍ୟରେ ଏହି ଖଣି ଗୁଡିକୁ ନିଲାମପାଇଁ ପ୍ରସ୍ତୁତ କରାଯିବା ସହିତ ୨୦୨୦ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଏହାର ନିଲାମ ହୋଇପାରିବ ।

ଇସ୍ପାତ ଓ ଖଣି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏମ୍‍ଏମ୍‍ଡିଆରର ଆଇନ୍‍ ଅନୁଯାୟୀ ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଲିଜ୍‍ ଅବଧି ପୂରି ଯାଉଥିବା ୩୧ ଖଣିର ତାଲିକା ପ୍ରସ୍ତୁତ ହୋଇଛି ।

ଖଣି ଖନନର ନିୟମିତ ଅନୁଧ୍ୟାନରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା ୮ଜଣ ଲିଜ୍‍ଧାରୀ ଜି୨/ଜି୧ ସ୍ତରର ଖଣିଜ ଉତ୍ତୋଳନ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଏହିସବୁ ଖଣି ଗୁଡିକ ମଧ୍ୟରେ ରହିଛି କେ.ଏନ୍‍.ରାମ ଆଣ୍ଡ କମ୍ପାନୀର ରୋଇଡା ଲୁହାପଥର ଖଣି, ନାରାୟଣୀପୋଷି ଲୁହାପଥର ଓ ମାଙ୍ଗାନିଜ ଖଣି ଏବଂ ଏମ୍‍ଟିସିକୁ ମିଳିଥିବା ମହୁଲଶୁଖା ମାଙ୍ଗାନିଜ ଓ ଲୁହାପଥର ଖଣି ଲିଜ୍‍ ।

ସେହିଭଳି ବି.୧ କମ୍ପାନୀକୁ ମିଳିଥିବା ନଦୀଡିହୀ ଲୁହାପଥର ଲିଜ୍‍, ଟାଟାକୁ ମିଳିଥିବା ସୁକିନ୍ଦା କ୍ରୋମାଇଟ୍‍ ଖଣିଜ ଲିଜ୍‍, କଳିଙ୍ଗ ଖଣି ନିଗମକୁ ମିଳିଥିବା ଜୁରୁଡି ଲୁହାପଥର ଖଣି, ଫିଗ୍ରେଡ୍‍ ଏବଂ କମ୍ପାନୀକୁ ମିଳିଥିବା ନଦୀଡିହ ରେଙ୍ଗଲବେଡା ଲୁହାପଥର ଓ ମାଙ୍ଗାନିଜ ଖଣି ଏବଂ ବିକୋ ଲିମିଟେଡ୍‍କୁ ମିଳିଥିବା ତେହେରି ଲୁହାପଥର ଓ ମାଙ୍ଗାନିଜ ଖଣି ।

ତେବେ ଅନ୍ୟ ଖଣି ଲିଜ୍‍ଧାରୀମାନଙ୍କୁ ମଧ୍ୟ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖଣି ଉତ୍ତୋଳନ କାର୍ଯ୍ୟ ସାରିବାପାଇଁ କୁହାଯାଇଛି ।

ଫଳରେ ସେହିସବୁ ଖଣିର ଧାର୍ଯ୍ୟ ସମୟ ମଧ୍ୟରେ ଭୂତାତ୍ୱିକ ରିପୋର୍ଟ ପ୍ରସ୍ତୁତ ସହିତ ଡିଜିପିଏସ୍‍ ସର୍ଭେ କରାଯାଇ ପାରିବ । ଏହା ଫଳରେ ଖଣି ବ୍ଲକ ଗୁଡିକୁ ୩୧ମାର୍ଚ୍ଚ ୨୦୨୦ ସୁଦ୍ଧା ନିଲାମ ଲାଗି ପ୍ରସ୍ତୁତ କରାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ଏଥିରୁ ଉତ୍ତୋଳନ ହୋଇପାରିବ ।

ଜଙ୍ଗଲ ଅନୁମତି ଆଇନ୍‍ ୧୯୮୦ ଅନୁଯାୟୀ ସମ୍ପୃକ୍ତ ଲିଜ୍‍ଧାରୀମାନଙ୍କୁ ଜଙ୍ଗଲ ଅନୁମତି ମିଳୁନଥିବାରୁ ଏଠାରେ ଉତ୍ତୋଳନ କରିବା କାଠିକରପାଠ ହୋଇପଡୁଛି । ତଦନୁଯାୟୀ ତୁରନ୍ତ ଜଙ୍ଗଲ ଅନୁମତି ପାଇଁ ଆବେଦନ ଲାଗି ସ୍ଥିର ହୋଇଛି ।

ଯେଉଁଠାରେ ଜଙ୍ଗଲ ଅନୁମତିର ଆବେଦନ ବିଚାର ସ୍ତରରେ ରହିଛି ସେଠାରେ ସମସ୍ତ କାଗଜପତ୍ର ଦେବା ସହିତ ଯେଭଳି ତୁରନ୍ତ ଅନୁମତି ମିଳିବ ସେ ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଛି ।

ଆବଶ୍ୟକ ସ୍ଥଳେ ଏହି ମାମଲାକୁ ଖଣି ନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣିଲେ ସିଏ ତାହାକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହିତ ଆଲୋଚନା କରିବେ । ଚଳିତବର୍ଷ ଶେଷ ସୁଦ୍ଧା ସମସ୍ତ ଲିଜ୍‍ଧାରୀମାନେ ଉତ୍ତୋଳନ କାର୍ଯ୍ୟ ସାରିବାକୁ ଆଶା କରାଯାଉଛି ।

ୟୁଏନ୍‍ଏଫ୍‍ସି ଗାଇଡ୍‍ ଲାଇନ୍‍ ଅନୁଯାୟୀ ସେମାନେ ଜି୨ ସ୍ତରର ଉତ୍ତୋଳନ କରିପାରିବେ । ସମସ୍ତ ପ୍ରକ୍ରିୟା ସରିଲା ପରେ ୩୧ମାର୍ଚ୍ଚ ୨୦୨୦ ରେ ଲିଜ୍‍ ଅବଧି ସରୁଥିବା ଖଣି ଗୁଡିକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଇ ପାରିବ ।