ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଦାମୋଦରଙ୍କୁ ବହିଷ୍କାର

ବରିଷ୍ଠ ରାଜନୀତିଜ୍ଞ ଡାକ୍ତର ଦାମୋଦର ରାଉତଙ୍କୁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି । ଫଳରେ କିଛିଦିନ ଧରି ଦାମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚାଲିଥିବା ଚର୍ଚ୍ଚାର ଏକ ପ୍ରକାର ଅବସାନ ଘଟିଛି ।

ସାତ ଥରର ବିଧାୟକ ୭୬ ବର୍ଷ ବୟସ୍କ ଡାକ୍ତର ରାଉତ ଗତ କିଛିଦିନ ଧରି ବିଶେଷକରି ଚାଲିଥିବା ବିଧାନସଭାର ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହିତ ଦଳ ବିରୁଦ୍ଧରେ କେତେକ ମନ୍ତବ୍ୟ ଦେଇ ଆସୁଥିଲେ ।

ପ୍ରଥମେ ଯାଜପୁର ଜିଲ୍ଲାର ଡଙ୍କାରୀ ପାହାଡ ଦୁର୍ନୀତି କଥା ଉଠାଇଥିବାବେଳେ ପରବର୍ତ୍ତୀ ଅବସ୍ଥାରେ ଓମ୍‍ଫେଡରେ ଜରି କିଣା ଦୁର୍ନୀତି, ଚାରା ଦୁର୍ନୀତି, ସମବାୟ ଦୁର୍ନୀତି, ଯାଜପୁରରେ ରାମ୍‍କୋ ସିମେଣ୍ଟ କାରଖାନା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇଥିଲେ ।

ବିଧାନସଭା ଚାଲିଥିବାରୁ ବିରୋଧିଦଳ ମଧ୍ୟ ଦାମଙ୍କର ଏହି ବାଣକୁ ଅସ୍ତ୍ର କରି ବିଧାନସଭାକୁ ଏକପ୍ରକାର ଅଚଳ କରି ରଖିଥିବାବେଳେ ଦାମଙ୍କ ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ।

କେବଳ ଦୁର୍ନୀତି ନୁହେଁ ବିଜେଡିରେ ଚାଲିଥିବା ଦଳୀୟ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ ଦାମୋଦର ଖୋଲାଖୋଲି ବକ୍ତବ୍ୟ ଦେଇଥିଲେ । ଏପରିକି ଦଳରେ ତିନି ଜଣ ବିଧାୟକ କିଭଳି ସବୁକିଛି କରୁଛନ୍ତି ତାହା କହିଥିଲେ ।

ଦାମଙ୍କର ଏଭଳି ଶାଣିତ ଆକ୍ରମଣ ଜାରି ରହିଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାମଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ଫେରାଦ ହୋଇଥିଲେ । ଏପରିକି ଏହି ଦୁଇ ନେତାଙ୍କ ସହିତ ଜଗତ୍‍ସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଫୁଲ ସାମଲଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଆସି ନବୀନଙ୍କ ନିକଟରେ ଦାମଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ।

ନେତା ଓ କର୍ମୀଙ୍କ ଫେରାଦ ପରେ ଦାମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଜଣାପଡିଥିଲା । ହେଲେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ସେଥିନେଇ କେବଳ କଳ୍ପନା ଜଳ୍ପନା ଚାଲିଥିଲା ।

ଆଜି କିନ୍ତୁ ଏହାର ଅନ୍ତ ଘଟିଛି । ପୂର୍ବରୁ ଡାକ୍ତର ରାଉତଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳ, ବିଜେଡିର ଉପସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବିଦା କରାଯାଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ସାଧାରଣ ସମ୍ପାଦକ ବିଜୟ ନାକଙ୍କ ଦାମଙ୍କ ବହିଷ୍କାର ଆଦେଶ ଗଣମାଧ୍ୟମକୁ ପଠାଇଛନ୍ତି ।