ସ୍ମୃତିସ୍ତମ୍ଭ ପାଇଁ କଳସ ସ୍ଥାପନ

ଓଡିଶାର ସହିଦଙ୍କ ସ୍ମୃତିରେ ନିର୍ମାଣ ହେଉଥିବା ସ୍ମୃତିସ୍ତମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ସହିଦ ପୀଠରୁ ଆସିଥିବା ପବିତ୍ର ମାଟିର କଳସକୁ ସଂସ୍ଥାପନ କରିଛନ୍ତି । ପ୍ରାୟ ୩୮ଟି ସ୍ଥାନରୁ ଆସିଥିବା ମାଟି ସ୍ମୃତିସ୍ତମ୍ଭରେ ରଖାଯାଇଛି ।

ଏଥି ସହିତ ସହିଦ ସ୍ମାରକୀ ସ୍ୱାଧିନତା ସଂଗ୍ରାମୀ ସଦନଠାରେ ଅଗଷ୍ଟ ୯ କ୍ରାନ୍ତି ଦବସରେ ସହିଦମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଉପସ୍ଥିତ ଅତିଥିମାନେ କହିଛନ୍ତି ଯେ ଦେଶର ସ୍ୱାଧିନତା ଆନ୍ଦୋଳନରେ ଓଡ଼ିଶାର ବୀର ସହିଦ ସଂଗ୍ରାମୀମାନଙ୍କ ବଳିଦାନ ଅବିସ୍ମରଣୀୟ ।

ସେମାନଙ୍କ ପ୍ରତିଟି ରକ୍ତ ବିନ୍ଦୁର ମୂଲ୍ୟରେ ଆମେ ସ୍ୱାଧିନତା ପାଇଛୁ । ଅଗଷ୍ଟ କ୍ରାନ୍ତି ଦିବସରେ ସେମାନଙ୍କୁ ଏ ଦେଶ ପ୍ରଣାମ କରୁଛି । ଆଗାମୀ ପୀଢି ଲାଗି ସେମାନଙ୍କ ତ୍ୟାଗ ପ୍ରେରଣାର ଉତ୍ସ ।

ରାଜ୍ୟ ସ୍ୱାଧିନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଅମର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ପ୍ରକାଶିକ ପୁସ୍ତିକା ‘ସହିଦ ସ୍ମାରକୀ’ର ଉନ୍ମୋଚନ କରିଥିଲେ ।

ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟ ସଭାପତି ସାଂସଦ ଭର୍ତ୍ତୃହରୀ ମହତାବ ୧୮୦୭ ମସିହାରୁ ଆରମ୍ଭ କରି ୧୯୪୨ ପର୍ଯ୍ୟନ୍ତ ଓଡିଶାର ଅମର ସହିଦମାନଙ୍କ ପବିତ୍ର ପୀଠରୁ କିଭଳି ବିଗତ ଦୁଇମାସ ମଧ୍ୟରେ ମାଟି ସଂଗ୍ରହ କରାଯାଇଛି ଓ ରାଜ୍ୟ ବ୍ୟାପୀ ସ୍ୱାଗତ ସମ୍ବର୍ଦ୍ଧନା ସହ ସଂଗ୍ରାମୀ ସଦନକୁ ଅଣାଯାଇଛି ସେ ସଂପର୍କରେ ସୂଚନା ଦେଇଥିଲେ ।

୪୨ ଫୁଟ ଉଚ୍ଚତାର ସ୍ମୃତିସ୍ତମ୍ଭରେ ସ୍ୱାଧୀନତା ଆନ୍ଦୋଳନର ଓଡିଶାର ଅମର ସହିଦମାନଙ୍କ ନାମ ଉଲ୍ଲେଖ ରହିବା ସହିତ ସେମାନଙ୍କ ସ୍ମୃତିରେ ପବିତ୍ର ମୃତ୍ତିକା ଚିରଦିନ ଲାଗି ସଂରକ୍ଷିତ ହୋଇ ରହିବ ବୋଲି ଶ୍ରୀ ମହତାବ କହିଥିଲେ ।

ସମାରୋହରେ କେନ୍ଦ୍ରାପଡା ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ ସଂଗ୍ରାମୀଙ୍କ ଦାୟଦ ତଥା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ , ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ରମେଶ ମାଝି, ବିଧାୟକ ପ୍ରଭାତ ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂଦେଓ, ରବିନାରାୟଣ ମହାପାତ୍ର, ମୁକ୍ତିକାନ୍ତ ମଣ୍ଡଳ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ପ୍ରମୁଖ ଉଦବୋଧନ ଦେଇଥିଲେ ।

ସହୀଦ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଉପେନ୍ଦ୍ର ପାଢୀ ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ରାଜ୍ୟ ସଂପାଦକ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ସହିଦ ପୀଠରୁ ମାଟି ଆଣିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ।