ପ୍ଲାଷ୍ଟିକ ମୁକ୍ତ ଯୋଜନା ତ୍ୱରାନ୍ୱିତ

ଆସନ୍ତା ଗାନ୍ଧୀ ଜୟନ୍ତୀରୁ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବାବେଳେ ରାଜ୍ୟ ପ୍ରଶାସନ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଗ୍ରହଣ କରାଯାଇଥିବା କେତେକ ନିଷ୍ପତ୍ତି ସଂକ୍ରାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚଳିତମାସ ଶେଷ ସୁଦ୍ଧା ପ୍ଲାଷ୍ଟିକ ମୁକ୍ତ ପାଇଁ ନୂଆ ନୀତିର ରୂପରେଖ ଜାରି ହେବ । ଏହି ନୀତି ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ ନିମନ୍ତେ ୧୫ ଦିନ ସମୟ ରହିବ ।

ଲୋକେ ଏ ସଂକ୍ରାନ୍ତରେ ସେମାନଙ୍କର ମତାମତ ଦେବାପରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ନୂଆ ନିୟମ ପ୍ରସ୍ତୁତ ହୋଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।

ରାଜ୍ୟକୁ ପ୍ଲାଷ୍ଟିକମୁକ୍ତ ପାଇଁ ଘରକୁ ଘର ବୁଲି ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହପାଇଁ ନିଷ୍ପତ୍ତି ହୋଇଥିବାବେଳେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ପୌରାଞ୍ଚଳରେ ଏହି କାର୍ଯ୍ୟ ଆରମ୍ଭ ଲାଗି ମୁଖ୍ୟ ସଚିବ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ବ୍ୟବହୃତ ପ୍ଲାଷ୍ଟିକ ଓ ଥର୍ମକୁଲ ସାମଗ୍ରୀ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିବାବେଳେ ଘରକୁ ଘର ବୁଲି ଏହା ସଂଗ୍ରହ କରାଗଲେ ଲୋକେ ସଚେତନ ହୋଇପାରିବେ ବୋଲି ବୈଠକରେ ମତପ୍ରକାଶ ପାଇଛି । ଏଥିପାଇଁ କେତେକ ସଂସ୍ଥାଙ୍କୁ ନିୟୋଜିତ କରାଯିବ । ସେମାନେ ଲୋକଙ୍କ ନିକଟକୁ ଯାଇ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ କିଣି ଆଣିବେ ।

ସେହିଭଳି ଲୋକଙ୍କୁ ପ୍ଲାଷ୍ଟିକ ଓ ଥର୍ମକୁଲ୍‍ ସାମଗ୍ରୀ ବ୍ୟବହାରର କୁପରିମାଣ ସହିତ ଏହାର ଠିକଣା ବିଘଟନ ସଂକ୍ରାନ୍ତରେ ସଚେତନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ସଚିବ କହିଛନ୍ତି ।

ଆଜିର ଏହି ବୈଠକରେ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ଅର୍ଥ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସଚିବ ବିଶାଳ ଗଗନ, ପରିବେଶ ନିର୍ଦ୍ଦେଶକ କେ.ମୁରୁଗେସାନ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ପ୍ରମୁଖ ଉପସ୍ଥିତ ଥିଲେ ।