ପାନ ଉତ୍ପାଦନରେ ଦ୍ୱିତୀୟ

ପାନ ଉତ୍ପାଦନ କ୍ଷେତ୍ରରେ ପଶ୍ଚିମବଙ୍ଗ ଦେଶରେ ଶୀର୍ଷ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ବର୍ଷକୁ ବର୍ଷ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପାନ ଉତ୍ପାଦନ ବଢ଼ି ଚାଲିଛି ।

ସଦ୍ୟ ପ୍ରକାଶିତ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ବିଭାଗର ରିପୋର୍ଟ ଅନୁଯାୟୀ ଦେଶରେ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ପାନ ଉତ୍ପାଦିତ ହେଉଛି ।

ଏଥିମଧ୍ୟରୁ ପଶ୍ଚିମବଙ୍ଗ ପାଖାପାଖି ୧୦ ହଜାର କୋଟି ଟଙ୍କାର ପାନ ଉତ୍ପାଦନ କରୁଥିବା ବେଳେ ଓଡ଼ିଶାରେ ଏହି ପରିମାଣ ହଜାରେ କୋଟି ଟଙ୍କାରୁ କମ୍‍ ରହୁଛି । ତେବେ ବିଗତ ବର୍ଷମାନଙ୍କ ତୁଳନାରେ ଓଡ଼ିଶାରେ ପାନ ଉତ୍ପାଦନ ପରିମାଣ ବଢ଼ିଛି ।

କେରଳରେ ବାର୍ଷିକ ପ୍ରାୟ ୨୮୬ କୋଟି ଟଙ୍କାର ପାନ ଉତ୍ପାଦିତ ହେଉଛି । ତେବେ ୨୦୧୧-୧୨ ତୁଳନାରେ ୨୦୧୫-୧୬ ବେଳକୁ କେରଳରେ ପାନ ଉତ୍ପାଦନ କମିଛି । ତ୍ରିପୁରା ବାର୍ଷିକ ପ୍ରାୟ ୪୬ କୋଟି ଟଙ୍କାର ପାନ ଉତ୍ପାଦନ କରୁଛି ।

ଏଠାରେ ଉଲ୍ଲେଖନୀୟ ଯେ ତ୍ରିପୁରାରେ ୨୦୧୧-୧୨ ବେଳକୁ ବାର୍ଷିକ ୧୭ କୋଟି ଟଙ୍କାର ପାନ ଉତ୍ପାଦିତ ହେଉଥିଲା । ମେଘାଳୟ, ମଣିପୁର, ଲାକ୍ଷାଦ୍ୱୀପ ଆଦିରେ ପାନ ଉତ୍ପାଦିତ ହେଉଥିଲେ ମଧ୍ୟ ଏହାର ପରିମାଣ ସେତେ ବେଶୀ ନୁହେଁ । ତେବେ ପାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଠାରୁ ପଛରେ ଥିଲେ ମଧ୍ୟ ଆସାମ ଓ ଆନ୍ଧ୍ରପ୍ରଦେଶ ଅଗ୍ରଗତି କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ ବାର୍ଷିକ ୬୨୩ କୋଟି ଟଙ୍କାର ପାନ ଉତ୍ପାଦିତ ହେଉଛି । ଗୋଟିଏ ସମୟରେ ଆନ୍ଧ୍ରରେ ବାର୍ଷିକ ପାଖାପାଖି ୧୨୦୦ କୋଟି ଟଙ୍କାର ପାନ ଉତ୍ପାଦିତ ହେଉଥିବା ବେଳେ ଏହାର ପରିମାଣ କିନ୍ତୁ ସେଠାରେ କମିଛି ।

ଆସାମରେ କିନ୍ତୁ ପାନ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ଲକ୍ଷ୍ୟ କରାଯାଉଛି । ୨୦୧୧-୧୨ ବେଳକୁ ଆସାମରେ ବାର୍ଷିକ ୩୭୧ କୋଟି ଟଙ୍କାର ପାନ ଉତ୍ପାଦିତ ହୋଇଥିବା ବେଳେ ୨୦୧୫-୧୬ ବେଳକୁ ତାହା ୪୩୬ କୋଟି ଟଙ୍କାକୁ ଟପିଥିଲା ।

ଓଡ଼ିଶା ଓ ପଶ୍ଚିମବଙ୍ଗରେ ଉତ୍ପାଦିତ ପାନ ଉନ୍ନତ ମାନର ରହୁଥିବାରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ର, ତେଲେଙ୍ଗାନା ଆଦି ବହୁ ରାଜ୍ୟକୁ ଏଠାରୁ ପ୍ରଚୁର ପରିମାଣର ପାନ ପଠାଯାଇଥାଏ ।

ରାଜ୍ୟର ଅଗ୍ରଣୀ ପାନ ଚାଷୀମାନେ କହୁଛନ୍ତି ଯେ ମହାବାତ୍ୟା ପରଠାରୁ ଓଡ଼ିଶାରେ ପାନ ଚାଷ ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ହୁଡ୍‍ହୁଡ୍‍, ଫାଇଲିନ୍‍ ସହିତ ଅନ୍ୟାନ୍ୟ ଝଡ଼ବତାଶରେ ଅନେକ ପାନବରଜ ଉଜୁଡ଼ୁଥିବା ବେଳେ ସେଗୁଡ଼ିକୁ ଠିକଣା ଭାବେ ଠିଆ କରାଯାଇପାରିଲା ନାହିଁ । ସେହିପରି ପୋସ୍କୋ କମ୍ପାନୀ ପାଇଁ ଜମି ଅଧିଗ୍ରହଣରେ ଅନେକ ପାନବରଜ ବଳି ପଡ଼ିଗଲା ।

ଜଳବାୟୁରେ ପରିବର୍ତ୍ତନ ଜନିତ କାରଣ ବି ପାନ ଚାଷର ଅନ୍ୟତମ ପ୍ରତିବନ୍ଧକ ହୋଇଛି । ଏହାଛଡ଼ା ଟଙ୍କିକିଆ ଚାଉଳ ପ୍ରଭାବରେ ଆବଶ୍ୟକ ସଂଖ୍ୟକ ଶ୍ରମିକ ନ ମିଳିବା ଏବଂ ଯେଉଁଠି ବି ଶ୍ରମିକ ମିଳୁଛନ୍ତି ସେଠାରେ ମଜୁରି ଅଧିକ ରହୁଥିବାରୁ ପାନ ଚାଷ କରିବା କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି ।

ଅନ୍ୟପକ୍ଷରେ ଗୁଟ୍‍ଖା, ପାନ ମସଲା ଆଦି ପାଉଚ୍‍ରେ ଉପଲବ୍ଧ ହେଉଥିବାରୁ ପାନଖିଆ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି । ଏଭଳି ପରିସ୍ଥିତି ଲାଗି ରହିଲେ ଅଳ୍ପ କେତେ ବର୍ଷ ମଧ୍ୟରେ ଓଡ଼ିଶାରୁ ପାନ ଚାଷ ଡୁବି ଯିବ ।

ତେବେ ଅନ୍ୟପକ୍ଷରେ ପାନ ମସଲା, ଗୁଟ୍‍ଖାର ପ୍ରସାର ସତ୍ତେ୍ୱ ପଶ୍ଚିମବଙ୍ଗରେ କିନ୍ତୁ ସୌଖିନ ଲୋକେ ପାନ ଖିଆ ଛାଡ଼ୁ ନଥିବାରୁ ସେଠାରେ ପାନର ଚାହିଦା ବଢ଼ୁଛି ।