ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ଜମିହରାଙ୍କୁ ମିଳୁନି ଅଂଶଧନ

ଶିଳ୍ପ ପାଇଁ ଜମି ହରାଉଥିବା ଲୋକଙ୍କୁ ସମ୍ପୃକ୍ତ କମ୍ପାନୀର ଲାଭାଂଶ ଅର୍ଥ ପ୍ରଦାନ ଲାଗି ଥିବା ଯୋଜନା ଆଇନ୍‍ଗତ ଓ ପ୍ରଶାସନିକ ବାଧା ଯୋଗୁଁ କାର୍ଯ୍ୟକାରୀ ହୋଇପାରୁନାହିଁ । ୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ଜମିହରାମାନଙ୍କୁ କମ୍ପାନୀର ଅଂଶଧନ ଦିଆଯିବ ବୋଲି କୁହାଯାଇଥିବାବେଳେ ୪ବର୍ଷ ପରେ ବି ତାହା ଲାଗୁ ହୋଇନାହିଁ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭାଗର ସଫଳତା ବଖାଣିବା ସମୟରେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନେଇନଥିବା ଦୃଷ୍ଟିକୁ ଆସିଛି । ଅନୁରୂପ ଭାବେ ବିଜେଡି ତାହାର ନିର୍ବାଚନୀ ଇସ୍ତାହାରରେ ଶିଳ୍ପସଂସ୍ଥାମାନେ ଗ୍ରାମପଞ୍ଚାୟତକୁ ଅଂଶଧନ ଦେବା ବାଧ୍ୟତାମୂଳକ ହେବବୋଲି କହିଥିଲା ।

ଏହାଦ୍ୱାରା ଗ୍ରାମପଞ୍ଚାୟତ ଓ ଜମିହରାମାନେ ନିୟମିତ ଭାବେ ଅର୍ଥ ପାଇବାର ବ୍ୟବସ୍ଥା ରହିଥିଲା । ଏଭଳି ଚିନ୍ତାଧାରାକୁ ରାଜ୍ୟର ମାନବ ଅଧିକାର ଓ ସାମାଜିକ କର୍ମୀମାନେ ପ୍ରଶଂସା କରିଥିବାବେଳେ ପ୍ରଥମ ରାଜ୍ୟଭାବେ ଓଡିଶା ଏଭଳି ପଦକ୍ଷେପ ନେଇଥିଲା ।

କିନ୍ତୁ ଚାରିବର୍ଷ ପରେ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଇତି ମଧ୍ୟରେ କର୍ପୋରେଟ ସଂସ୍ଥା ଗୁଡିକ ଏହାକୁ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନାକୁ କାର୍ଯ୍ୟକାରୀ କରାଇ ଦେଉନଥିବା ସାମାଜିକ କର୍ମୀମାନେ କହୁଛନ୍ତି ।

୨୦୧୪ ମସିହାରେ ଚତୁର୍ଥଥର ପାଇଁ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକରେ ଜମିହରା ଓ ପଞ୍ଚାୟତ ଗୁଡିକ କିଭଳି କମ୍ପାନୀ ଠାରୁ ଅର୍ଥ ପାଇବେ ସେଥିପାଇଁ ନିୟମାବଳୀ ପ୍ରସ୍ତୁତ ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ କହିଥିଲେ । ତଦନୁଯାୟୀ ବିଭାଗମାନେ ଏ ସଂକ୍ରାନ୍ତରେ ସେମାନଙ୍କର ମତାମତ ପ୍ରଦାନ ସହିତ ଆଇନ୍‍ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକଥା ।

କିନ୍ତୁ ବିଭାଗମାନେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରବ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବଳବତ୍ତର ଥିବା ସ୍ୱଚ୍ଛ ଜମି ଅଧିଗ୍ରହଣ, ଥଇଥାନ ଓ ପୁର୍ନବାସ, କ୍ଷତିପୂରଣ ପ୍ରଦାନ ଅଧିକାର ଆଇନ୍‍ ୨୦୧୩ ରେ ସଂଶୋଧନ ଆଣି ସେଥିରେ ଲାଭାଂଶ ଅଂଶଧନ ସାମିଲର ଆବଶ୍ୟକତା ରହିଛି । ହେଲେ ଆଇନ୍‍ ଅଧିକାରୀମାନେ ଏଭଳି ଉତ୍ତମ ପ୍ରସ୍ତାବକୁ ସାମିଲ ପାଇଁ କୁଣ୍ଠାପ୍ରକାଶ କରୁଛନ୍ତି । ଏହି ଆଇନ୍‍ଟି ସଂସଦର ଅନୁମୋଦନ ଲାଭ ସହିତ ସମଗ୍ର ଦେଶରେ ଜମି ଅଧିଗ୍ରହଣ ସହିତ କ୍ଷତିପୂରଣ ପ୍ରଦାନ, ଥଇଥାନ ଓ ପୁର୍ନବାସ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ଆଇନ୍‍ ବିଶେଷଜ୍ଞମାନେ ଭାବୁଛନ୍ତି ଯେ କେନ୍ଦ୍ରର ଏହି ଆଇନ୍‍କୁ ରାଜ୍ୟ ବିଧାନସଭାରେ ସଂଶୋଧନ କରାଯାଇ ପାରିବନାହିଁ । ତେଣୁ ସେମାନେ ଏ ଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅନୁରୂପ ଭାବେ କମ୍ପାନୀପାଇଁ ଜମି ଅଧିଗ୍ରହଣ କରୁଥିବା ବିଭାଗ ମଧ୍ୟ ଏ କ୍ଷେତ୍ରରେ ନିରବତା ଅବଲମ୍ବନ କରୁଛି । ଫଳରେ ବିଜେଡି ସରକାର ଲୋକଙ୍କ ନିକଟରେ କରିଥିବା ଏତେ ବଡ ପ୍ରତିଶ୍ରୁତି ବର୍ତ୍ତମାନସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନାହିଁ ।