ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକ  ୮୭ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ  ଡ. ପଣ୍ଡା ହେଉଛନ୍ତି ଇମ୍ଫା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା  ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  ଡ. ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ  

ଏଡ୍‍ସ ମୃତ୍ୟୁ ଉଦ୍‍ବେଗଜନକ

ରାଜ୍ୟରେ ଏଡ୍‍ସରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୬,୮୪୪ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦୦ରୁ ଅଧିକ ଛୋଟ ପିଲା ଅଛନ୍ତି । ଏଡ୍‍ସ ନିୟନ୍ତ୍ରଣ ପାଇଁ ବ୍ୟାପକ ଅର୍ଥ ବ୍ୟୟରେ ଅନେକ ଯୋଜନା ହାତକୁ ନିଆଯାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।

ଚଳିତବର୍ଷ ଫେବୃଆରୀ ସୁଦ୍ଧା ରାଜ୍ୟରେ ମୃତ୍ୟୁବରଣ କରିଥିବା ଏଚ୍‍ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ୪,୯୦୨ ଜଣ ପୁରୁଷ ଥିବା ବେଳେ ୧,୭୦୧ ଜଣ ମହିଳା ଅଛନ୍ତି । ସେହିଭଳି ମୃତ୍ୟୁମୁଖରେ ପଡ଼ୁଥିବା ୨୪୧ ଜଣ ଶିଶୁଙ୍କ ମଧ୍ୟରେ ଛୋଟ ଝିଅଙ୍କ ସଂଖ୍ୟା ୧୦୩ ରହିଛି ।

ଏଚ୍‍ଆଇଭିରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୪୪,୨୪୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୨୫,୬୫୪ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୫,୭୪୩ ରହିଛି ।

ଉଦ୍‍ବେଗଜନକ ବିଷୟ ହେଉଛି ଯେ ଏଚ୍‍ଆଇଭି ଆକ୍ରାନ୍ତଙ୍କ ମଧ୍ୟରେ ୨୮୫୧ ଜଣ କୋମଳମତି ଶିଶୁ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୨୭୭ ହେଉଛନ୍ତି ବାଳିକା ।

ରାଜ୍ୟରେ ଏଚ୍‍ଆଇଭି ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ଏଡ୍‍ସ ନିୟନ୍ତ୍ରଣ ସମିତି ଗଠନ ହୋଇଥିବା ବେଳେ ଏଠାରେ ମାଳମାଳ ଅଧିକାରୀ ଓ ଚିକିତ୍ସକ ନିଯୁକ୍ତ ହୋଇଛନ୍ତି । ଲୋକଙ୍କୁ ସଚେତନ କରିବା ଲାଗି ବି ପାଣି ଭଳି ପଇସା ଖର୍ଚ୍ଚ ହେଉଛି । ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଅର୍ଥକୁ କର୍ତୃପକ୍ଷ ବ୍ୟୟ କରୁଛନ୍ତି ।

ରାଜ୍ୟରେ ଏଡ୍‍ସର ନିୟନ୍ତ୍ରଣ ଲାଗି ଜାତୀୟ ଏଡ୍‍ସ ନିୟନ୍ତ୍ରଣ ସଂସ୍ଥା (ନାକୋ) ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ୧୨୬ କୋଟି ୪୮ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ସାରିଲେଣି । ୨୦୧୩-୧୪ ମସିହାରେ ଅନୁଦାନ ଆକାରରେ ରାଜ୍ୟକୁ ୨୫ କୋଟି ୬୩ ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୧୬-୧୭ରେ ୨୯କୋଟି ୫୯ ଲକ୍ଷ ଓ ଗତ ଆର୍ଥିକ ବର୍ଷରେ ୨୯ କୋଟି ୨୬ଲକ୍ଷ ୩୫ ହଜାର ଟଙ୍କା ଯୋଗାଇ ଦେଇଛନ୍ତି ।

କେନ୍ଦ୍ରରୁ ମିଳିଥିବା ଏହି ଶତପ୍ରତିଶତ ଅନୁଦାନ ଅର୍ଥ ରାଜ୍ୟରେ ଏଡ୍‍ସ ମୁକାବିଲା ଲାଗି ବ୍ୟୟ ହେଉଥିବା କୁହାଯାଉଥିବା ବେଳେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  



Powered by Catalyst IT Solutions Pvt. Ltd.