କେବେ ସରିବ ମାମଲା

ବହୁ ଚର୍ଚ୍ଚିତ କଟକ ମଦମୃତ୍ୟୁ ଦୁର୍ଘଟଣାକୁ ଇତି ମଧ୍ୟରେ ୨୬ବର୍ଷ ପୂରି ଯାଇଥିଲେ ବି ଅଦାଲତରେ ମାମଲା ଛିଡୁନାହିଁ । ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ଦେଢ ହଜାରରୁ ଅଧିକ ଅର୍କମଣ୍ୟ ହୋଇଥିଲେ ଏବଂ ଅର୍କମଣ୍ୟମାନଙ୍କ ମଧ୍ୟରୁ ଅନ୍ୟୁନ ୫୦ପ୍ରତିଶତଙ୍କର ଦୁଇବର୍ଷ ମଧ୍ୟରେ ମୃତ୍ୟୁ ହୋଇଥିଲା ।

୧୯୯୨ ମସିହା ମଇ ସାତ ତାରିଖରେ କଟକ ମଦମୃତ୍ୟୁ ଦୁର୍ଘଟଣା ଘଟିଥିଲା । ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ସେତେବେଳେ ଏହା ବେଶ୍‍ ଚର୍ଚ୍ଚିତ ହୋଇଥିଲା । କଟକ ମଦମୃତ୍ୟୁ ଦୁର୍ଘଟଣାର ତଦନ୍ତ କରିଥିବା କ୍ରାଇମବ୍ରାଞ୍ଚ ତାହାର ଏକ ରିପୋର୍ଟରେ ଖାକି ପୋଷାକ ପରିହିତ ଅବକାରୀ ଓ ପୁଲିସ୍‍ ବିଭାଗର କେତେକ କର୍ମଚାରୀ ଚୋରା ମଦବେପାରୀର ପୋଷା କୁକୁର ଭଳି କାମ କରୁଥିବାରୁ ସେ ତାହାର ନିଶା ସାମ୍ରାଜ୍ୟ ବୃଦ୍ଧି କ୍ଷେତ୍ରରେ ଏମାନଙ୍କ ଉପସ୍ଥିତି ଅନୁଭବ କରିପାରୁନଥିଲା ବୋଲି କଟୂ ମନ୍ତବ୍ୟ ଦେଇଥିଲେ ।

ସେହିପରି ଏହି ଦୁର୍ଘଟଣାର ପ୍ରଶାସନିକ ତଦନ୍ତଭାର ନେଇଥିବା ତଦାନିନ୍ତନ କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ମୋହନ ପଟ୍ଟନାୟକ ତାଙ୍କ ଦୀର୍ଘ ରିପୋର୍ଟରେ ଥାନା ଫାଣ୍ଡି ଠାରୁ ଆରମ୍ଭକରି ସରକାର ଚଳାଉଥିବା ବହୁ ବ୍ୟକ୍ତିବିଶେଷ ଚୋରା ମଦବେପାରୀ ଠାରୁ ନିୟମିତ ବଟି ନେଉଥିବା କଥା ଦର୍ଶାଇଥିଲେ ।

ଓଡିଶା ହାଇକୋର୍ଟ ଏ ପ୍ରସଙ୍ଗରେ ଆସିଥିବା ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ସଂଗେ ସଂଗେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଏବଂ କ୍ଷତିଗ୍ରସ୍ତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‍କୋର୍ଟରେ ଚ୍ୟାଲେଞ୍ଜ କରି ନିରାଶ ହେବାପରେ ବିଧାନସଭାରେ ବିଧିବଦ୍ଧ ପ୍ରସ୍ତାବ ଆଣି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବାଳକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଥିଲେ ।

ଜଷ୍ଟିସ ବେହେରା କମିଶନ ଦୀର୍ଘବର୍ଷ ଧରି ତଦନ୍ତ ଚଳାଇବାପରେ ତାଙ୍କ ରିପୋର୍ଟରେ ଚୋରା ମଦ ବ୍ୟବସାୟୀକୁ କେତେଜଣ ରାଜନେତା ପ୍ରୋତ୍ସାହନ ଦେଇଥିବା ଉଲ୍ଲେଖ କରିବା ସଂଗେ ସଂଗେ ଏହି ଘଟଣା ଯଦି ରାଜନୀତିର ଅପରାଧିକରଣ ନୁହେଁ ତାହେଲେ କଣ ଅପରାଧର ରାଜନୀତିକରଣ କି ବୋଲି ପ୍ରଶ୍ନ କରିଥିଲେ ।

କଟକ ମଦମୃତ୍ୟୁ ଦୁର୍ଘଟଣା ପରେ ରୁଜୁ ହୋଇଥିବା ଫୌଜଦାରୀ ମାମଲା ଗୁଡିକର ଏଯାବତ୍‍ ବିଚାର ସରିନାହିଁ । କିନ୍ତୁ ଏହି ଦୁର୍ଘଟଣାରେ ପଙ୍ଗୁ ହୋଇଥିବା ପ୍ରାୟ ସମସ୍ତଙ୍କର ଦେହାନ୍ତ ହୋଇସାରିଛି । ଯେଉଁମାନଙ୍କୁ ସାକ୍ଷୀ ଭାବେ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରିବାକଥା ସେମାନଙ୍କ ଭିତରୁ କେତେକ ମରିସାରିଲେଣି । ଏମିତିକି ଏହି ମାମଲାର ତଦନ୍ତକାରୀ ଅଧିକାରୀମାନେ ବି ଅବସରଗ୍ରହଣ କରିସାରିଲେଣି ।