ଜୁନ୍‍ରୁ ସବୁଜ ମହାନଦୀ ମିଶନ

ଆସନ୍ତା ଜୁନ୍‍ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ସବୁଜ ମହାନଦୀ ମିଶନ । ଏହି ଯୋଜନାରେ ମହାନଦୀ ଓ ଇବ୍‍ ନଦୀ କୂଳରେ ଥିବା ଉଭୟ ସରକାରୀ ଓ ଘରୋଇ ଜମିରେ ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜ ବଳୟ ସୃଷ୍ଟିହେବ ।

ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିଶନ ନେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି ଯେ ଏହି ଯୋଜନାରେ ୧୬,୫୦୦ ହେକ୍ଟର ଜମିରେ ବୃକ୍ଷରୋପଣ ଲାଗି ନିଷ୍ପତ୍ତି ହୋଇଥିବାବେଳେ ଏଥିରେ ଉଭୟ ସରକାରୀ ଓ ଘରୋଇ ଜମି ରହିଛି । ଜୁନ୍‍ ପ୍ରଥମ ସପ୍ତାହରୁ ମୌସୁମୀ ବର୍ଷା ଆରମ୍ଭ ହେଉଥିବାରୁ ସେହି ସମୟରେ ଏହିସବୁ ଅଞ୍ଚଳରେ ବୃକ୍ଷରୋପଣ କରାଯିବ ।

ସରକାରୀ ଜମିରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ ହେବାକୁ ଥିବାବେଳେ ୨୦୦ ବର୍ଗକିଲୋମିଟର ଘରୋଇ ଜମିରେ ଫଳଗଛ ଲାଗିବ । ଏହାଦ୍ୱାରା ୧୩୦୩ ଟି ଗାଁର ଲୋକେ ଉପକୃତ ହେବେ । କେବଳ ମହାନଦୀ ନୁହେଁ ଅନୁରୂପ ଭାବେ ଇବ୍‍ ଓ ତେଲ୍‍ ନଦୀର ଦୁଇପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି ପାଇଁ ସରକାରଙ୍କର ଯୋଜନା ରହିଛି ।

ସବୁଜ ମହାନଦୀ ଯୋଜନା ଲାଗି ରାଜ୍ୟ ସରକାର ୨୦୧୭-୧୮ ବର୍ଷରେ ୨୧ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ୨୦୧୮-୧୯ ବର୍ଷରେ ଏଥିପାଇଁ ୫୯କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରହିଛି ।

ସରକାରଙ୍କର ଏହି ସବୁଜ ବଳୟ ଯୋଜନା ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହାର କାର୍ଯ୍ୟକାରିତା ଲାଗି ଲୋକପ୍ରତିନିଧି ଓ ସମସ୍ତ ଅଂଶୀଦାରଙ୍କ ସହଯୋଗ ଲୋଡାଯାଇଛି । ଏହି ଇଲାକା ମଧ୍ୟରେ ୧୯ଟି ବନଖଣ୍ଡ ଅଞ୍ଚଳ ରହିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଉଭୟ ମହାନଦୀ, ଇବ୍‍ ଓ ତେଲ୍‍ ନଦୀ କୂଳରୁ ଏକ କିଲୋମିଟର ପରିମିତ ଅଞ୍ଚଳରେ ବୃକ୍ଷ ରୋପଣ ଲାଗି ଏହି ମିଶନ ପ୍ରସ୍ତୁତ ହୋଇଛି ।

ସେହିଭଳି ରାଜ୍ୟର ଜଙ୍ଗଲରେ ବାଘ ସଂଖ୍ୟା ବୃଦ୍ଧି ଲାଗି ମଧ୍ୟପ୍ରଦେଶରୁ ୬ଟି ବାଘ ଆଣିବାଲାଗି ସରକାର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବାଘ ଅଣାଯାଇ ସାତକୋଶିଆ ଅଭୟାରଣ୍ୟରେ ଛାଡିବାପାଇଁ ଯୋଜନା ହୋଇଛି । ମହାବଳ ବାଘଟିକୁ ପ୍ରଥମେ ଆଣି ସାତକୋଶିଆରେ ନିର୍ମିତ ସ୍ୱତନ୍ତ୍ର ଖୁଆଡରେ ଛଡାଯିବ ଓ ପରେ ତାହାକୁ ଜଙ୍ଗଲରେ ଛାଡି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।