ମୃତାହତଙ୍କ ପାଇଁ ପାଣ୍ଠି ଗଠନ

ଅଜଣା ଗାଡି ଦୁର୍ଘଟଣାରେ ମୃତାହତ ଲୋକଙ୍କୁ କ୍ଷତିପୂରଣ ଦେବାପାଇଁ ଓଡିଶା ସରକାର କୋଟିଏ ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି । ସଡକ ନିରାପତ୍ତା ସଂକ୍ରାନ୍ତୀୟ ସୁପ୍ରିମ୍‍କୋର୍ଟ କମିଟିଙ୍କ ନିର୍ଦ୍ଦେଶ କ୍ରମେ ଏହି ପାଣ୍ଠି ଗଢାଯାଇଛି । ଏ ସଂକ୍ରାନ୍ତରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି ହୋଇଛି ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ପରିବହନ କମିଶନର ଏହି ସୋଲାଟିୟମ ପାଣ୍ଠିର ପରିଚାଳନା କରିବେ ଏବଂ ଏଥିଲାଗି ସ୍ୱତନ୍ତ୍ର ବ୍ୟାଙ୍କ୍‍ ଆକାଉଣ୍ଟ ଖୋଲାଯିବ । ଦୁର୍ଘଟଣା କ୍ଷତିଗ୍ରସ୍ତଙ୍କୁ କ୍ଷତିୂପରଣ ଦେବାଲାଗି ଆରଟିଓମାନଙ୍କୁ ତଦନ୍ତକାରୀ ଅଧିକାରୀ (ସିଇଓ) ଭାବେ ଘୋଷଣା କରାଯାଇଥିବାବେଳେ ପରିବହନ କମିଶନରଙ୍କୁ କ୍ଲେମ୍‍ ସେଟେଲମେଣ୍ଟ ଅଫିସର (ସିଏସ୍‍ଓ) ଦାୟିତ୍ୱ ସରକାର ଦେଇଛନ୍ତି ।

ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ସୋଲାଟିୟମ ପାଣ୍ଠିରୁ ୨ଲକ୍ଷ ଟଙ୍କା କରି ଦିଆଯିବ । ଦୁର୍ଘଟଣାରେ ଗୁରୁତରଭାବେ ଆହତ ବ୍ୟକ୍ତିଙ୍କ ଲାଗି ଏହି ପାଣ୍ଠିରୁ ୫୦ ହଜାର ଟଙ୍କା ଦେବାଲାଗି ମଧ୍ୟ ବ୍ୟବସ୍ଥା ଅଛି । ଦୁର୍ଘଟଣା ଜନିତ କ୍ଷତିପୂରଣ ଅର୍ଥ ଦାବି ଲାଗି ଏକ ସ୍ୱତନ୍ତ୍ର ହବ୍‍ରେ ସିଇଓଙ୍କ ନିକଟରେ ୬ମାସ ମଧ୍ୟରେ ଆବେଦନ କରାଯିବ ଏବଂ ଏହାର ତଦନ୍ତକରି ବିଧିବ୍ୟବସ୍ଥା ଅନୁଯାୟୀ ସେ ପରିବହନ କମିଶନଙ୍କୁ ରିପୋର୍ଟ ଦେବେ । ରିପୋର୍ଟ ପାଇବାର ୧୫ଦିନ ମଧ୍ୟରେ ସିଏସ୍‍ଓ ଭାବେ ପରିବହନ କମିଶନର ଅର୍ଥ ପ୍ରଦାନ ଲାଗି ବ୍ୟବସ୍ଥା କରିବେ ।

ଏଠାରେ ଉଲ୍ଲେଖନୀୟ ଯେ ବର୍ଷକୁ ବର୍ଷ ଓଡିଶାରେ ସଡକ ଦୁର୍ଘଟଣା ସହିତ ମୃତାହତ ଲୋକଙ୍କ ସଂଖ୍ୟା ବି ବଢୁଛି । ୨୦୧୭ ବର୍ଷରେ ଆମ ରାଜ୍ୟରେ ୧୦,୮୫୫ଟି ମୋଟର ଦୁର୍ଘଟଣା ପଞ୍ଜିକୃତ ହୋଇଥିବାବେଳେ ଏଥିରେ ୪୭୯୦ ଜଣ ମୃତ୍ୟୁବରଣ କରିଛନ୍ତି ଓ ୫୯୯୧ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

୨୦୧୬ ମସିହାରେ ଓଡିଶାରେ ୧୦,୫୩୨ ସଡକ ଦୁର୍ଘଟଣାରେ ୪୪୬୩ ଲୋକ ମରିଥିବାବେଳେ ୨୦୧୫ରେ ୧୦,୫୪୨ଟି ସଡକ ଦୁର୍ଘଟଣା ଘଟି ୪୩୦୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଗଞ୍ଜାମ, ଖୋରଧା, କଟକ, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର, ଗଜପତି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ମୋଟ୍‍ ମୋଟରଯାନ ଦୁର୍ଘଟଣାର ୬୯ ପ୍ରତିଶତ ଘଟୁଥିବା ରେକର୍ଡ କରାଯାଇଛି ।

ରାଜ୍ୟରେ ଯେତେ ସଡକ ଦୁର୍ଘଟଣା ଘଟୁଛି ତାହାର ଅନ୍ୟୁନ ୬୦ଭାଗ ନିଶାଡିଙ୍କ ଦ୍ୱାରା ଗାଡିଚାଳନା ଓ ଉତ୍ପାତ ଯୋଗୁଁ ହେଉଛି । ଏହାଛଡା ବେପରୁଆ ଓ ଦ୍ରୁତ ଗତିରେ ଗାଡିଚାଳନା ଯୋଗୁଁ ମଧ୍ୟ ବ୍ୟାପକ ସଂଖ୍ୟକ ଦୁର୍ଘଟଣା ଘଟୁଛି । ଏହି ସମସ୍ୟାକୁ ଆଖିଆଗରେ ରଖି କିଛିଦିନ ତଳେ ସୁପ୍ରିମ୍‍କୋର୍ଟ ଜାତୀୟ ଓ ରାଜ୍ୟ ରାଜପଥ କଡର ୫୦୦ମିଟର ଦୂରତା ମଧ୍ୟରେ ମଦଦୋକାନମାନ ନରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଅବଶ୍ୟ ବିଭିନ୍ନ ରାଜ୍ୟ ସରକାରଙ୍କ ଅତ୍ୟାଗ୍ରହ ଯୋଗୁଁ ଏଥିରେ ପରିବର୍ତ୍ତନ ଅଣାଯାଇଛି ।

ମୋଟରଯାନ ଦୁର୍ଘଟଣା ସଂକ୍ରାନ୍ତରେ କ୍ଷତିପୂରଣ ଦେବାଲାଗି ଆଇନ୍‍ଗତ ବ୍ୟବସ୍ଥା ରହିଛି ଯେଉଁଥିରେ କି ବୀମା କମ୍ପାନୀ ଗୁଡିକ ଠାରୁ ଅର୍ଥ ଆଦାୟ କରାଯାଉଛି । ତେବେ ଏହା ସମୟ ସାପେକ୍ଷ ହୋଇଥିବାରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ସ୍ୱତନ୍ତ୍ର ସୋଲାଟିୟମ ପାଣ୍ଠିରୁ ତ୍ୱରିତ ସହାୟତା ପ୍ରଦାନ କରାଯାଇ ପାରିବ ।