ବିନା ଲୋକପାଳରେ ବ୍ୟୟ ୨କୋଟି ୬୫ଲକ୍ଷ ଟଙ୍କା

୨୦୧୩ ଜାନୁୟାରୀ ମାସରୁ ଖାଲି ପଡିଛି ଓଡିଶାର ଲୋକପାଳ ପଦବୀ । ଓଡିଶା ଲୋକାୟୁକ୍ତ ବିଲ୍‍ ଇତି ମଧ୍ୟରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହି ବିଲ୍‍ ଆଇନ୍‍ରେ ପରିଣତ ହେବାପରେ ନୂତନ ଲୋକାୟୁକ୍ତ ନିଯୁକ୍ତି ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ।

ଓଡିଶାରେ ଲୋକପାଳ ପଦବୀ କେବେ ଠାରୁ ଖାଲି ପଡିଛି, ନୂତନ ଲୋକପାଳ/ଲୋକାୟୁକ୍ତ କେବେ ସୁଦ୍ଧା ନିଯୁକ୍ତ ହେବେ ଏବଂ ବିନା ଲୋକପାଳରେ ଲୋକପାଳଙ୍କ ଦପ୍ତର ପାଇଁ କେତେ ଅର୍ଥ ରାଜକୋଷରୁ ବ୍ୟୟ ହୋଇଛି ସେ ସଂକ୍ରାନ୍ତରେ ବିଧାୟକ ଦିଲ୍ଲୀପ ରାୟ ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲେ । ତାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି ।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ଲୋକପାଳ ପଦବୀ ୨୩.୧.୨୦୧୩ ତାରିଖରୁ ଖାଲି ପଡିଛି । ଓଡିଶା ଲୋକାୟୁକ୍ତ ବିଲ୍‍, ୨୦୧୪ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ଏହି ବିଲ୍‍ ଆଇନ୍‍ରେ ପରିଣତ ହେବାପରେ ନୂତନ ଲୋକାୟୁକ୍ତ ନିଯୁକ୍ତି ନିମନ୍ତେ ବିହିତ ପଦକ୍ଷେପ ନିଆଯିବ ।

୨୦୧୩ ମସିହାରୁ ଏଯାବତ୍‍ ଲୋକପାଳଙ୍କ ଅନୁପସ୍ଥିତରେ ତାଙ୍କ ଦପ୍ତରରେ ୭୭୩ଟି ମାମଲା ଗ୍ରହଣ ହୋଇଛି । ସେଥି ମଧ୍ୟରୁ କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ଫଏସଲା ହୋଇନଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

ସେ ପୁଣି ଉଲ୍ଲେଖ କରିଛନ୍ତି ଯେ ଲୋକପାଳଙ୍କ ଦପ୍ତର ପରିଚାଳନା ତଥା ଏହାର କର୍ମଚାରୀଙ୍କ ବେତନ ଭତ୍ତା ଆଦି ଲାଗି ୨୦୧୩-୧୪ ବର୍ଷରେ ୬୬ଲକ୍ଷ ୧୪ ହଜାର ଟଙ୍କାର ଖର୍ଚ୍ଚ ହୋଇଥିବାବେଳେ ୨୦୧୪-୧୫ରେ ୪୩ଲକ୍ଷ ୪୭ହଜାର, ୨୦୧୫-୧୬ ରେ ୪୧ଲକ୍ଷ ୯୨ ହଜାର, ୨୦୧୬-୧୭ରେ ୫୪ଲକ୍ଷ ୩୨ ହଜାର ଓ ୨୦୧୭-୧୮ରେ ୫୯ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟାମୋଟି ଭାବେ ଲୋକପାଳ ପଦବୀଟି ଖାଲି ପଡିଥିଲେ ମଧ୍ୟ ୫ବର୍ଷରେ ଏହି ଦପ୍ତର ପରିଚାଳନା ଲାଗି ରାଜକୋଷରୁ ୨୬୫ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ ହୋଇସାରିଲାଣି ।

ଏଠାରେ ଉଲ୍ଲେଖନୀୟ ଯେ ଦୀର୍ଘଦିନ ଅସୁସ୍ଥ ରହିବାପରେ ତକ୍ରାଳୀନ ଲୋକପାଳ ଜଷ୍ଟିସ ପି.କେ.ପାତ୍ରଙ୍କର ୨୦୧୩ ଜାନୁୟାରୀ ମାସରେ ଦେହାନ୍ତ ହୋଇଥିଲା । ସେବେଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି ଖାଲି ପଡିଛି । ଲୋକପାଳ ସଂସ୍ଥାକୁ ଉଚ୍ଛେଦ କରି ବହୁ ସଦସ୍ୟ ବିଶିଷ୍ଟ ଲୋକାୟୁକ୍ତ ପ୍ରତିଷ୍ଠାପାଇଁ ରାଜ୍ୟ ସରକାର ବିଧାନସଭାରେ ଆଣିଥିବା ବିଲ୍‍ ଗୃହୀତ ହୋଇ ପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ସାରିଛି । 



Powered by Catalyst IT Solutions Pvt. Ltd.