ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ପତ୍ର  କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍କନ ମନ୍ଦିର ନିକଟରେ ଜମୁଥିବା ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ  ଜୟଦେବବିହାର, ରସୁଲଗଡ, ପଳାଶୁଣି ଓ ପାହାଳ ନିକଟରେ ଜାତୀୟ ରାଜପଥରେ ଜଳ ସମସ୍ୟା ଦର୍ଶାଇଲେ  

ନୂଆ ମଦଦୋକାନ ପାଇଁ ଗ୍ରାମସଭା ସହମତି ଜରୁରୀ

ରାଜ୍ୟର ସିଡ୍ୟୁଲ ଅଞ୍ଚଳରେ ମଦଦୋକାନ ଖୋଲିବାପାଇଁ ଗ୍ରାମସଭାର ସହମତି ଆବଶ୍ୟକ । ଏଥିପାଇଁ ଆଇନ୍‍ଗତ ବ୍ୟବସ୍ଥା ରହିଛି । ଏହାକୁ କଡାକଡି ଭାବେ ଅନୁପାଳନ କରିବାଲାଗି ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଧାୟକ ମାନସ ମାଡକାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ପଷ୍ଟଭାବେ ବିଧାନସଭାରେ ଏହା ଉଲ୍ଲେଖ କରିଛନ୍ତି ଅବକାରୀମନ୍ତ୍ରୀ ଶଶୀଭୂଷଣ ବେହେରା । ସେ କହିଛନ୍ତି ଯେ ମଦ ବିକ୍ରିକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ମଦର ଉତ୍ପାଦନ, ବଣ୍ଟନ ଓ ବିକ୍ରୟକୁ ସୁନିୟନ୍ତ୍ରିତ କରିବା ହେଉଛି ସରକାରଙ୍କ ଦାୟିତ୍ୱ ।

ବିଧାୟକ ସାଇବା ସୁଶୀଲ ହାଂସଦାଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଅବକାରୀମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଓଡିଶାରେ ପ୍ରାୟ ୧୮ହଜାର ଲିଟର ଦେଶୀମଦ ଓ ୧୩୦୦ଲିଟର ବିଦେଶୀ ମଦ ସମେତ ପ୍ରାୟ ୨୭ହଜାର ଲିଟର ଚୋରାମଦ ଜବତ କରାଯାଇଛି ।

ଗତବର୍ଷ ଏ ସଂକ୍ରାନ୍ତରେ ୨୦୧୬ଟି ମାମଲା ରୁଜୁ କରାଯିବା ସଂଗେ ସଂଗେ ୧୮୭୬ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ୟର ଅନୁଗୁଳ ଜିଲ୍ଲା ସମେତ ପଶ୍ଚିମାଞ୍ଚଳ ଜିଲ୍ଲାର ଅଗମ୍ୟ ଅଞ୍ଚଳରେ କେତେକ ଅସାଧୁ ଲୋକ ବେଆଇନ୍‍ ଭାବେ ଗଞ୍ଜେଇଚାଷରେ ଲିପ୍ତ ଥିବା ଅବକାରୀମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ବିଧାୟକ ସଞ୍ଜୀବ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବେଆଇନ୍‍ ଗଞ୍ଜେଇଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଘନ ଘନ ଚଢାଉ ସହିତ ପ୍ରତିବର୍ଷ ବହୁ ପରିମାଣର ଗଞ୍ଜେଇଗଛ ନଷ୍ଟ କରାଯାଉଛି ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏନ୍‍ଡିପିଏସ୍‍ ଆଇନ୍‍ ବଳରେ ମଧ୍ୟ ଗିରଫ କରାଯାଉଛି । (ତଥ୍ୟ)