ଗରିବଙ୍କ ଜମିରେ ଆଦର୍ଶ ବିଦ୍ୟାଳୟ

ଗରିବ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ରାଜ୍ୟ ସରକାର ଆଇନ୍‍କୁ କଡ଼ାକଡ଼ି ଭାବେ ଲାଗୁ କରୁଥିବା ବେଳେ ନିଜର ଜମି ଖଣ୍ଡକ ପାଇଁ ଜଣେ ଅନୁସୂଚିତ ଜାତି (ଏସ୍‍ସି) ବର୍ଗର ବ୍ୟକ୍ତି ପ୍ରଶାସନର ତଳୁ ଉପର ପର୍ଯ୍ୟନ୍ତ ଧାଁ ଦୌଡ଼ କରୁଥିବା ଏବେ ନଜରକୁ ଆସିଛି ।

କାଶୀପୁର ଅଞ୍ଚଳରେ ଦୟାନିଧି ନାୟକଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଏସ୍‍ସି ବର୍ଗର ଏହି ଦରିଦ୍ର ବ୍ୟକ୍ତିଙ୍କ ଜମିକୁ ଜିଲ୍ଲା ପ୍ରଶାସନ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନେଇଯିବା ପରେ ସେ ନିଜ ଜମି ପାଇବା ପାଇଁ ସଂଘର୍ଷ କରୁଛନ୍ତି । ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ବିଷ୍ଣୁପଦ ସେଠୀ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୟାନିଧି ନିଜ ଜମି ପାଇବା ଲାଗି ଶ୍ରୀ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶ୍ରୀ ସେଠୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ଗସ୍ତ କରିବା ସମୟରେ କର୍ତ୍ତୃପକ୍ଷ କିଭଳି ତାଙ୍କ ଜମିକୁ ମାଡ଼ିବସି ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ତାହା ଦୟାନିଧି ଦେଖାଇଥିଲେ । ଏହି ବିଦ୍ୟାଳୟଟି ସୁନ୍ଦର ସ୍ଥାନରେ ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଏଥିରେ ନାମଲେଖା ଆରମ୍ଭ ହୋଇଛି । ଏଥିପାଇଁ ଆବଶ୍ୟକ ପଡ଼ୁଥିବା ବ୍ୟାପକ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି ।

ବିଦ୍ୟାଳୟ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦୟାନିଧି ନାୟକଙ୍କ ବିନା ସହମତିରେ ତାଙ୍କର ୧.୮ ଏକର ଜମିକୁ କର୍ତ୍ତୃପକ୍ଷ ମାଡ଼ିବସି ସେଠାରେ ନିର୍ମାଣ ଚଳାଇଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ ଏଥିପାଇଁ କେହି ତାଙ୍କଠାରୁ ଅନୁମତି ନେଇନାହାନ୍ତି । ରାଜ୍ୟ ସରକାର କିଭଳି ଜଣେ ଗରିବ ଲୋକର ଜମିକୁ ଅଧିଗ୍ରହଣ କରିନେଲେ ତାହା ସେ ଜାଣିପାରିନାହାନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଜମି ଚିହ୍ନଟ ସମୟରେ ଯାଇଥିବା କମିଟି ତାଙ୍କ ଜମିଟିକୁ ଘରୋଇ ଜମି ବୋଲି ଦର୍ଶାଇନଥିଲେ ।

ଯେତେବେଳେ ଜମି ମାଲିକ ଶ୍ରୀ ନାୟକ ଏହାର ପ୍ରତିବାଦ କଲେ ସେତେବେଳେ ରାୟଗଡ଼ା ଆଇଟିଡିଏର ପ୍ରକଳ୍ପ ଅଧିକାରୀ, କାଶୀପୁର ବିଡ଼ିଓ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅନ୍ୟମାନେ ସାଧା କାଗଜରେ ତାଙ୍କଠାରୁ ରାଜିନାମା କରାଇନେବା ସହିତ ତାଙ୍କର ଦୁଇ ପୁଅକୁ ଏହି ବିଦ୍ୟାଳୟରେ ଠିକାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ କହିଥିଲେ । ଏହାବାଦ୍‍ ନିର୍ମାଣ କାର୍ଯ୍ୟ ଚଳାଇଥିବା ଠିକାଦାର ରଜନୀକାନ୍ତ ନାୟକ ଜମି ମାଲିକଙ୍କୁ ୫ ଲକ୍ଷ ୨୦ ହଜାର ଟଙ୍କା ଦେବ ବୋଲି ସ୍ଥିର ହୋଇଥିଲା ।

ଜମି ମାଲିକ ଶ୍ରୀ ନାୟକ ଏଭଳି ରାଜିନାମାକୁ ବିରୋଧ କରି ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ଙ୍କ ନିକଟରେ ଅଭିଯୋଗ କରିଥିଲେ । ମିଳିଥିବା ସୂଚନାନୁଯାୟୀ ଏଭଳି ଅଭିଯୋଗ ଦେଖିବା ପରେ କିଭଳି ଜମିଜମା ସଂକ୍ରାନ୍ତରେ ଠିକଣା ଅନୁଧ୍ୟାନ ନକରି କିଭଳି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା ସେଥିନେଇ ଶ୍ରୀ ସେଠୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

ଜମିଟି ଜଣେ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିଙ୍କ ହୋଇଥିବା ବେଳେ ତାଙ୍କୁ କିଭଳି ୫ ଲକ୍ଷ ୨୦ ହଜାର ଟଙ୍କା ଦେବା ପାଇଁ ଜଣେ ଘରୋଇ ଠିକାଦାରଙ୍କୁ କୁହାଗଲା ଏବଂ ଏହି ଜମି ଉପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଲା ସେ ନେଇ ଶ୍ରୀ ସେଠୀ ଅନୁଧ୍ୟାନ କରିଛନ୍ତି । ଏଭଳି କାର୍ଯ୍ୟରେ ଅନିୟମିତତା ଦେଖି ତୁରନ୍ତ ଏହି ମାମଲାର ସମାଧାନ ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ତଥ୍ୟ) 



Powered by Catalyst IT Solutions Pvt. Ltd.