ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ବନୀକରଣ ପାଇଁ କର୍ପୋରେଟ ଭରସା

ସହରାଞ୍ଚଳରେ ବନୀକରଣ ଲାଗି ଏବେ କର୍ପୋରେଟ୍‍ ସଂସ୍ଥାଙ୍କ ଉପରେ ସରକାର ନିର୍ଭରଶୀଳ । ଓଏମ୍‍ସି, ଏମ୍‍ସିଏଲ୍‍ ଭଳି କର୍ପୋରେଟ୍‍ ସଂସ୍ଥାକୁ ଏଥିପାଇଁ ଅର୍ଥ ଦେବାକୁ କୁହାଯାଉଛି ।

ରାଜ୍ୟ ସରକାର ୨୦୧୭-୧୮ ବଜେଟ୍‍ରେ ସବୁଜ ବଳୟ ସୃଷ୍ଟି ଲାଗି ବରାଦ ଅର୍ଥ ପରିମାଣକୁ ଯଥେଷ୍ଟ କମାଇ ଦେଇଛନ୍ତି । ଏହା ୧୨୫ କୋଟିରୁ ୪୪ କୋଟି ୫୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିବାରୁ ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି ।

ଅର୍ଥାଭାବ ଯୋଗୁ ଜଙ୍ଗଲ ବିଭାଗ ବୃକ୍ଷରୋପଣ ଲାଗି କର୍ପୋରେଟ୍‍ ସଂସ୍ଥାଗୁଡ଼ିକ ଉପରେ ଅଧିକ ଭାବେ ନିର୍ଭର କରିବାକୁ ବାଧ୍ୟ ହେଉଛି । ତେଣୁ ସହରାଞ୍ଚଳରେ ସବୁଜ ବଳୟ ସୃଷ୍ଟି ଲାଗି ବଜେଟ୍‍ରେ ୨୦ କୋଟି ଟଙ୍କା ମଞ୍ଜୁର କରିବାକୁ ବିଧାନସଭାର ସ୍ଥାୟୀ କମିଟି ସୁପାରିଶ କରିଛି ।

ବିଧାୟକ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଓ ପରିବେଶ ପାଇଁ ଗଠିତ ବିଧାନସଭାର ସ୍ଥାୟୀ କମିଟି ଅନୁଧ୍ୟାନ ସମୟରେ ଏହା ନଜରକୁ ଆସିଛି । ସବୁଜ ବଳୟ ପାଇଁ ଅର୍ଥ ବରାଦ ସହିତ ହେନ୍ତାଳ ବଣ ଅଞ୍ଚଳରେ ସାମୁଦ୍ରିକ ପାଟ୍ରୋଲିଂ ଲାଗି ଦ୍ରୁତଗାମୀ ନୂତନ ବୋଟ୍‍ ଖରିଦ୍‍ ସକାଶେ କମିଟି କହିଛନ୍ତି । ବର୍ତ୍ତମାନ ଥିବା ପୁରୁଣାକାଳିଆ ବୋଟ୍‍ଗୁଡ଼ିକରେ ପାଟ୍ରୋଲିଂ କରିବା ସମ୍ଭବପର ହେଉନଥିବାରୁ ସେଗୁଡ଼ିକ ସ୍ଥାନରେ ନୂତନ ବୋଟ୍‍ ମୁତୟନ ଲାଗି କୁହାଯାଇଛି ।

ସେହିଭଳି ଧାମରା ପୋର୍ଟର ବିପରୀତ ଦିଗରେ ଥିବା କାଳିଭଞ୍ଜଡ଼ିଆ ଓ କନିକା ଦ୍ୱୀପକୁ ଯେଭଳି ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସିପାରିବେ ସେଥିପାଇଁ ବ୍ୟବସ୍ଥା ଲାଗି କୁହାଯାଇଛି । ବିଶେଷ କରି ଏହିସବୁ ସ୍ଥାନକୁ ପର୍ଯ୍ୟଟକ ଆସି ଯେଭଳି ଅଧିକ ସମୟ ରହିପାରିବେ ସେଥିପାଇଁ ସୁବନ୍ଦୋବସ୍ତ କରିବାକୁ କମିଟି କହିଛନ୍ତି ।

ରାଜ୍ୟରେ ଜଙ୍ଗଲଗୁଡ଼ିକରେ ବିଭିନ୍ନ ଫଳ ଜାତୀୟ ବୃକ୍ଷ ବିଶେଷକରି ବେଲ, ମହୁଲ, କେନ୍ଦୁ ଆଦି ଗଛ ଲଗାଇବାକୁ କୁହାଯାଇଛି । ଜଙ୍ଗଲରେ ଏହି ପ୍ରଜାତିର ଗଛ ରହିଲେ ପଶୁପକ୍ଷୀମାନଙ୍କର ଖାଦ୍ୟ ଆବଶ୍ୟକତା ପୂରଣ ହୋଇପାରିବ ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସେହିଭଳି ଜଙ୍ଗଲ ଭିତରେ ଥିବା ରାସ୍ତାଗୁଡ଼ିକର ମରାମତି ଲାଗି ବର୍ତ୍ତମାନ କିଲୋମିଟର ପିଛା ମାତ୍ର ୫୦ ହଜାର ଟଙ୍କା ବ୍ୟବସ୍ଥା ଥିବାରୁ ସେଥିରେ ରାସ୍ତାଘାଟ ମରାମତି କରିବା ସହଜ ହେଉନି । ଜଙ୍ଗଲ ଭିତରେ ଥିବା ଦୁର୍ଗମ ଆଦିବାସୀ ଗାଁଗୁଡ଼ିକର ଯୋଗାଯୋଗ ବ୍ୟବସ୍ଥା ଲାଗି ବଜେଟ୍‍ରେ ଅତିକମ୍‍ରେ ୫୦ କୋଟି ଟଙ୍କା ବରାଦ ଲାଗି କମିଟି ସୁପାରିଶ କରିଛି । (ତଥ୍ୟ)