ଓଡ଼ିଶା କଂଗ୍ରେସ ପାଇଁ ୩ ନୂଆ ସମ୍ପାଦକ

ଓଡ଼ିଶା କଂଗ୍ରେସ ପାଇଁ ଏଆଇସିସି ପକ୍ଷରୁ ଆଜି ୩ ନୂଆ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି । ଏଥିସହିତ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇ ଦିଆଯାଇଛି ।

କିଛିଦିନ ତଳେ ରାଜ୍ୟ କଂଗ୍ରେସ ପ୍ରଭାରୀ ଥିବା ବି.କେ ହରିପ୍ରସାଦଙ୍କୁ ହଟାଇ ତାଙ୍କ ସ୍ଥାନରେ ଯୁବ କଂଗ୍ରେସ ନେତା ଜିତେନ୍ଦ୍ର ସିଂହଙ୍କୁ ଦାୟିତ୍ୱ ଦିଆଯିବା ପରେ ଆଜି ଏଆଇସିସି ପକ୍ଷରୁ ୩ ନୂଆ ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଆନ୍ଧ୍ରରୁ ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ କୁମାର ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ ମସ୍ତାନ ଅଲ୍ଲୀଙ୍କୁ ନିଯୁକ୍ତି ମିଳିଛି । ଏମାନଙ୍କ ସହିତ ଯୁଗ୍ମ ସମ୍ପାଦକ ଭାବେ ଆଦିତ୍ୟ ଶର୍ମାଙ୍କୁ ଏଆଇସିସି ପକ୍ଷରୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି ।

ରାଜ୍ୟ କଂଗ୍ରେସରେ ଆମୂଳଚୂଳ ପରିବର୍ତନ ପାଇଁ ଦୀର୍ଘଦିନରୁ ଖୋଦ କଂଗ୍ରେସ ବିଧାୟକ ଓ ନେତାମାନେ ଦାବି କରିଆସୁଛନ୍ତି । ଏଥିପାଇଁ ଓଡ଼ିଶାରୁ ଦିଲ୍ଲୀରୁ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ ସହିତ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଚାପ ପକାଯାଉଛି ।

ରାଜ୍ୟ କଂଗ୍ରେସର ଦାବିକୁ ଦୃଷ୍ଟିରେ ରଖି ଗତବର୍ଷ କଂଗ୍ରେସ ହାଇକମାଣ୍ଡ ଜିତେନ୍ଦ୍ର ସିଂହଙ୍କ ନେତୃତ୍ୱରେ ତିନିଜଣିଆ କମିଟି ରାଜ୍ୟକୁ ପଠାଇଥିଲେ । ଏହି କମିଟି ତାଙ୍କ ରିପୋର୍ଟ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଦେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ବିଳମ୍ବରେ ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ହଟାଯାଇଥିଲା ।

ଅଲୱାରର ରାଜା ଜିତେନ୍ଦ୍ର ସିଂହ ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ରାଜ୍ୟ କଂଗ୍ରେସରେ ବଡ଼ଧରଣର ପରିବର୍ତନ ହେବ ବୋଲି ସୂଚନା ଦେଇଥିଲେ । ଏହି କ୍ରମରେ ଆଜି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା କଂଗ୍ରେସ ଲାଗି ୩ ଜଣ ନୂଆ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକଙ୍କ ନାମ ତାଲିକା ଜାରି କରିଛନ୍ତି ।
 



Powered by Catalyst IT Solutions Pvt. Ltd.