କେବେ ଲାଗୁ ହେବ ବିଜୱାଡା ମଡେଲ ?

ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଢେର କମ୍‍ ରହୁଛି । ଦଣ୍ଡବିଧାନ ହାର ବୃଦ୍ଧି ଲାଗି ୩ବର୍ଷ ତଳେ ରାଜ୍ୟ ସରକାର ବିଜୱାଡା ମଡେଲ ପ୍ରଚଳନପାଇଁ ସ୍ଥିର କରିଥିଲେ ମଧ୍ୟ ତାହା ଏଯାବତ୍‍ କାର୍ଯ୍ୟକାରୀ ହୋଇନାହିଁ ।

ସରକାରୀ ହିସାବ ମୁତାବକ ୨୦୧୭ ରେ ୧,୦୩,୮୬୬ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ତାହାର ପୂର୍ବ ଦୁଇବର୍ଷରେ ଏହି ସଂଖ୍ୟା ଏକ ଲକ୍ଷ ୩ହଜାରରୁ ବି ଅଧିକକରି ଥିଲା । ରାଜ୍ୟରେ ବର୍ଷକୁ ବର୍ଷ ଧର୍ତ୍ତବ୍ୟ ଅପରାଧମାନ ବଢି ଚାଲିଥିବାବେଳେ ଦଣ୍ଡବିଧାନ ହାର କିନ୍ତୁ ଅତ୍ୟନ୍ତ ନିରୁତ୍ସାହଜନକ ।

ସର୍ବଶେଷ ଜାତୀୟ କ୍ରାଇମ ରେକର୍ଡବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୬ ବର୍ଷରେ ଓଡିଶାରେ ଆଇପିସି ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୦.୪ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୪୬.୮ ପ୍ରତିଶତ ଥିଲା । ସେହିଭଳି ରାଜ୍ୟପାଇଁ ଥିବା ସ୍ୱତନ୍ତ୍ର ଆଇନ୍‍ ପରିସରଭୁକ୍ତ ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ୧୯.୩ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୮୨.୪ ପ୍ରତିଶତ ଥିଲା ।

ମହିଳା ଓ ଶିଶୁଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ୨୦୧୬ବର୍ଷରେ ଓଡିଶାରେ ଦଣ୍ଡବିଧାନ ହାର ଯଥାକ୍ରମେ ୬.୨ ଓ ୯.୨ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୧୮.୯ ଓ ୩୦.୭ ପ୍ରତିଶତ ଥିଲା । ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧିକ ମାମଲା ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୩.୮ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୩୫.୯ ପ୍ରତିଶତ ରହିଥିଲା ।

ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅତ୍ୟାଚାର ସମ୍ବନ୍ଧିୟ ଅପରାଧିକ ମାମଲାରେ ଏନ୍‍ସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ଦଣ୍ଡବିଧାନ ହାର ଉକ୍ତବର୍ଷରେ ଯଥାକ୍ରମେ ୩.୩ ଓ ୫.୭ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ଯଥାକ୍ରମେ ୨୫.୭ ଓ ୨୦.୮ ପ୍ରତିଶତ ଥିଲା । କେବଳ ଭିଜିଲାନ୍ସ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତରଠାରୁ ଅଧିକ ରହିଛି ।

ବିଜୱାଡାରେ ଦଣ୍ଡ ବିଧାନ ହାର ହାରାହାରି ୬୦ପ୍ରତିଶତ ଥିବାରୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ୍‍ରେ ବିଜୱାଡା ମଡେଲ ଚଳାଇବାପାଇଁ ୨୦୧୫ ମସିହାରେ ନିଷ୍ପତ୍ତି ହୋଇଥିଲା । ସେଠାରେ ବିଚାର ସମୟରେ ପ୍ରତି ଥାନାର ଅଧିକାରୀ କୋର୍ଟରେ ଉପସ୍ଥିତ ରହିବା ସହିତ ସାକ୍ଷୀ ଓ ସରକାରୀ ଓକିଲଙ୍କ ସହିତ ସମନ୍ୱୟ ରକ୍ଷା କରିଥାନ୍ତି । ଭୁବନେଶ୍ୱର-କଟକରେ ଅନୁରୂପ ବ୍ୟବସ୍ଥା କରିବା ସହିତ ଥାନାର ଇନ୍ସପେକ୍ଟରମାନେ ଅପରାଧିକ ମାମଲା ଗୁଡିକର ନିୟମିତ ତଦାରଖ କରିବାକଥା ।

ରାଜ୍ୟରେ ଦଣ୍ଡବିଧାନ ହାର କମ୍‍ ରହୁଥିବାରୁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ବେଗପ୍ରକାଶ କରିବା ସହିତ ଏହାର ପ୍ରତିକାର ଲାଗି ଗୃହ ବିଭାଗ ବ୍ୟବସ୍ଥା ଗ୍ରହଣ କରିବାକୁ କହିଆସୁଛନ୍ତି । ଗୃହ ବିଭାଗ ଏ ପରିପ୍ରେକ୍ଷୀରେ ବିଜୱାଡା ମଡେଲ ଲାଗୁ କରିବାପାଇଁ କହିଥିଲେ ମଧ୍ୟ ଏଠାରେ ପୁଲିସ୍‍ ବାହିନୀରେ ବହୁ ପଦ ପଦବୀ ଖାଲି ପଡିଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ନିକଟରେ ଗୃହ ବିଭାଗ ଲାଗି ଥିବା ବିଧାନସଭାର ସ୍ଥାୟୀ କମିଟି ବୈଠକରେ ମଧ୍ୟ ଏକଥା ଉଠିଛି । (ତଥ୍ୟ) 



Powered by Catalyst IT Solutions Pvt. Ltd.