ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଗୋଟିଏ ଦେଶ ଗୋଟିଏ କାର୍ଡରେ ଓଡିଶା

ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନାରେ ଓଡିଶା ସାମିଲ ହୋଇଛି । ବର୍ତ୍ତମାନ ଅତି କମ୍‍ରେ ଦେଶର ୨୪ଟି ରାଜ୍ୟ ଏହି ଯୋଜନାରେ ସାମିଲ ହୋଇଥିବା ଅଧିକାରୀମାନେ ସୂଚାଇଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦନ (ଜିଏସ୍‍ଡିପି)ର ୩ରୁ ୫ ପ୍ରତିଶତ ଅତିରିକ୍ତ ଋଣ ପରିମାଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାକୁ ମାନଦଣ୍ଡ ରଖିଛନ୍ତି । ନିକଟରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶୱାନ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାର ସମୀକ୍ଷା କରିଛନ୍ତି । ଆଉ ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀର, ମଣିପୁର, ନାଗାଲ୍ୟାଣ୍ଡ ଏବଂ ଉତ୍ତରାଖଣ୍ଡର ବୈଷୟିକ ପ୍ରସ୍ତୁତି ଅନୁଧ୍ୟାନ ପରେ ଅନ୍ୟ ୨୦ଟି ରାଜ୍ୟ ସହିତ ଏହାକୁ ସାମିଲ କରିଛନ୍ତି । ଫଳରେ ଅଗଷ୍ଟ ୧ ତାରିଖରୁ ମୋଟ୍‍ ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିଛି ।

ସେହିସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ହେଲା ଓଡିଶା, ଆନ୍ଧ୍ରପ୍ରଦେଶ, ବିହାର, ଦାଦର ଏବଂ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜୁରାଟ, ହରିଆନା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକିମ୍‍, ତେଲେଙ୍ଗାନା, ତ୍ରିପୁରା, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ।

ଏମାନଙ୍କୁ ମିଶାଇ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ଥିବା ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ଅର୍ଥାତ୍‍ ପାଖାପାଖି ୬୫ କୋଟି ଲୋକ ଯୋଜନାରେ ସାମିଲ ହେବା ସହିତ ଦେଶର ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ପାଇପାରିବେ । ଅବଶିଷ୍ଟ ରାଜ୍ୟ ଗୁଡିକ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି ।

୨୦୧୩ର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ହେଉଛି ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ମୁଖ୍ୟ ଉଦ୍ଦେଶ୍ୟ । ଦେଶର କୌଣସି ସ୍ଥାନରେ ହିତାଧିକାରୀ ରହିଲେ ମଧ୍ୟ ଏହି କେନ୍ଦ୍ରୀୟ ଯୋଜନାରେ ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ଯୋଗାଯାଇ ପାରିବ । ଖାଦ୍ୟ ସୁରକ୍ଷାରେ ଥିବା ପ୍ରବାସୀ ବ୍ୟକ୍ତି ଯେଉଁମାନେ କି ଅସ୍ଥାୟୀ କର୍ମନିଯୁକ୍ତି ପାଇଁ ବାରମ୍ବାର ସ୍ଥାନ ବଦଳାଇଥାନ୍ତି ସେମାନେ ଏବେ ସୁଲଭ ବଣ୍ଟନ ବ୍ୟବସ୍ଥା ଜରିଆରେ ଦେଶର ଯେକୌଣସି ସ୍ଥାନରେ ଖାଦ୍ୟ ସାମଗ୍ରୀ ପାଇପାରିବେ । ଏଥିପାଇଁ ସେମାନଙ୍କୁ ରାସନ କାର୍ଡ ଦେଖାଇବା ସହିତ ବାୟୋମେଟ୍ରିକ ପ୍ରମାଣ ଉପସ୍ଥାପନ କରିବାକୁ ପଡିବ । ସୁଲଭ୍ୟ ମୂଲ୍ୟ ଦୋକାନ ଗୁଡିକରେ ଆଧାର ସଂଯୋଗ ଥିବା ଇ-ପୋସ୍‍ ମେସିନ୍‍ରେ ହିତାଧିକାରୀମାନେ ବାୟୋମେଟ୍ରିକ ପ୍ରମାଣ ଦେଇ ସାମଗ୍ରୀ ପାଇପାରିବେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020