ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ପାଉଁଶ ପୋଖରୀ ଦୁର୍ଘଟଣା ରୋକିବାକୁ ପରାମର୍ଶ

ରାଜ୍ୟରେ ଅଧିକରୁ ଅଧିକ କୋଇଲା ପାଉଁଶ ପୋଖରୀ ଦୁର୍ଘଟଣା ଦୃଷ୍ଟିକୁ ଆସିବାପରେ ଭବିଷ୍ୟତରେ ଯେପରି ଏହି ଧରଣର ବିପର୍ଯ୍ୟୟକୁ ଏଡାଯାଇ ପାରିବ ସେଥିପାଇଁ ଓଡିଶା ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ୨୦୧୦ ରୁ ୨୦୨୦ ମଧ୍ୟରେ ଓଡିଶାରେ ୧୯ଟି ବୃହତ୍‍ ପାଉଁଶ ପୋଖରୀ ଦୁର୍ଘଟଣା ଘଟିଥିବାବେଳେ ସମଗ୍ର ଦେଶରେ ଏହି ସମୟରେ ୭୩ଟି ପାଉଁଶ ପୋଖରୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ନିକଟରେ କୋଇଲା ପାଉଁଶ ଉପରେ ପ୍ରକାଶିତ ଏକ ରିପୋର୍ଟରେ ସମଗ୍ର ଦେଶରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ୭୩ଟି ପାଉଁଶ ପୋଖରୀର ତାଲିକା ପ୍ରକାଶ ପାଇଛି । ସଂଖ୍ୟାଧିକ ପାଉଁଶ ପୋଖରୀ କୋଇଲା ଗଚ୍ଛିତ ଥିବା ରାଜ୍ୟ ଓଡିଶା, ଛତିଶଗଡ ଓ ପଶ୍ଚିମବଙ୍ଗରେ ଘଟିଛି । ୨୦୧୦ ମସିହାରୁ ଲଗାତାର ଭାବେ ଓଡିଶାରେ ପାଉଁଶ ପୋଖରୀ ଦୁର୍ଘଟଣା ଘଟୁଥିବାବେଳେ ନିକଟରେ ଗତ ମାର୍ଚ୍ଚମାସରେ ବି ଏଭଳି ବିପର୍ଯ୍ୟୟ ଘଟିଛି । ବିଶେଷକରି ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର ଏବଂ ଢେଙ୍କାନାଳ ଜିଲ୍ଲାରେ କୋଇଲା ପାଉଁଶ ପୋଖରୀ ଦୁର୍ଘଟଣା ଘଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ।

କୋଇଲା ପାଉଁଶର ଭୁଲ୍‍ ପରିଚାଳନା ଯୋଗୁଁ ଉଭୟ ପରିବେଶ ଓ ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିବା ସହିତ ବାରମ୍ବାର ପୋଖରୀ ଭାଙ୍ଗୁଛି । କୋଇଲା ପାଉଁଶରେ ଆର୍ସେନିକ, ସୀସା, ମର୍କୁରୀ, ସେଲେନିୟମ, ହେକ୍ସାଭାଲେଣ୍ଟ କ୍ରୋମିୟମ ଭଳି ବିଷାକ୍ତ ଉପାଦାନ ରହିଛି । ପ୍ରମୁଖ ପାଉଁଶ ପୋଖରୀ ଭାଙ୍ଗୁଥିବା ନେଇ ରିପୋର୍ଟ ହେଉଥିବାବେଳେ ତାଳଚେର ତାପଜ ବିଦ୍ୟୁତ୍‍ କେନ୍ଦ୍ର ନିୟମିତ ଭାବେ ତାହାର ପାଉଁଶକୁ ନଦୀକୁ ଛାଡିଦେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପାଉଁଶ ପୋଖରୀ ବାରମ୍ବାର ଭାଙ୍ଗିବା ଏବଂ ଏଥିରେ ଥିବା ବିଷାକ୍ତ ଉପାଦାନକୁ ବିଚାରକୁ ନେଇ ବୈଜ୍ଞାନିକ ଉପାୟରେ ପାଉଁଶ ପରିଚାଳନା ଲାଗି ନିୟମାବଳୀ ପ୍ରସ୍ତୁତ ପାଇଁ ରାଜ୍ୟକୁ ଅନୁରୋଧ କରାଯାଇଛି । ଆର୍ନ୍ତଜାତୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାଉଁଶ ପରିଚାଳନାର ପ୍ରଥମ ପଦକ୍ଷେପ ହେଉଛି ଏହାକୁ ଶୁଖିଲା ରଖିବା ।

କିନ୍ତୁ ଆର୍ଥିକ ଲାଭ ଦୃଷ୍ଟିରୁ ତାପଜ କେନ୍ଦ୍ର ଗୁଡିକ କୋଇଲା ପାଉଁଠାକୁ ପାଣି ସହିତ ମିଶାଇ ବାହାରକୁ ଛାଡୁଛନ୍ତି । ବିଶେଷଜ୍ଞମାନଙ୍କ ମତରେ ପାଣିମିଶା ପାଉଁଶକୁ ପୋଖରୀରେ ପକାଇବା ଅତ୍ୟନ୍ତ ବିପଦଜନକ ହୋଇଥିବାବେଳେ ବର୍ଷାଦିନେ ବାରମ୍ବାର ପୋଖରୀ ଗୁଡିକ ଭାଙ୍ଗିଥାଏ । ପାଉଁଶପାଣି ମାଟି ଭିତରକୁ ପଶି ଭୂତଳ ଜଳକୁ ବିଷାକ୍ତ କରିଥାଏ । ପାଉଁଶକୁ ଶୁଖିଲା ଅବସ୍ଥାରେ ନିଷ୍କାସନ କରିବା ହେଉଛି ସୁବଠାରୁ ସୁରକ୍ଷିତ ଉପାୟ । ବର୍ତ୍ତମାନ ତାପଜ କେନ୍ଦ୍ର ଗୁଡିକ ଏହି ଉପାୟରେ ପାଉଁଶକୁ ନିଷ୍କାସନ କରି ଭୂତଳ ଜଳସ୍ତରକୁ ବିଷାକ୍ତରୁ ରକ୍ଷା କରିବାର ସମୟ ଆସିଯାଇଛି ।

ଓଡିଶାରେ ପାଉଁଶ ମିଶା ଜଳ ସିଧାସଳଖ ଜଳାଶୟ ଗୁଡିକରେ ପ୍ରତିଦିନ ଛଡାଯାଉଥିବାରୁ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ତୁରନ୍ତ ଏହା ବନ୍ଦ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେଉଁଠାରେ କୋଇଲା ପାଉଁଶ ଦ୍ୱାରା ପ୍ରଦୂଷଣ ହେଉଛି ସେହିସବୁ ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ସହିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ଙ୍କ ପ୍ରସ୍ତୁତ ମାର୍ଗଦର୍ଶିକା ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବା କଥା । ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲ ମଧ୍ୟ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଥିବାରୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020