ଗୋଟିଏ ଦିନରେ କରୋନା ନେଲା ୫ ମୁଣ୍ଡ  ମୋଟ କରୋନା ମୃତ୍ୟୁସଂଖ୍ୟା ୩୪ ହେଲା  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ ଖୋରଧାରୁ ୨ଜଣ  ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ  ସର୍ବାଧିକ ୨୧୬ ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ  

ନିଯୁକ୍ତ ହେବେ କୋଭିଡ ଅନୁପାଳନ ଅଧିକାରୀ

ସରକାରୀ ଦପ୍ତରଗୁଡ଼ିକରେ କୋଭିଡ ନିୟମ କିଭଳି ଠିକଣା ଭାବେ ଅନୁପାଳନ ହେବ ତାହାର ତଦାରଖ ଲାଗି ପ୍ରତ୍ୟେକ ବିଭାଗ ଓ ଦପ୍ତରରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ‘କୋଭିଡ ଅନୁପାଳନ ଅଧିକାରୀ’ ଭାବେ ନିଯୁକ୍ତି ଦିଆଯିବ । କୋଭିଡ ପ୍ରୋଟୋକଲ କିଭଳି ପାଳନ ହେଉଛି ସେ ତାହାର ଅନୁଧ୍ୟାନ କରିବେ ।

ସମ୍ପୃକ୍ତ ଅଧିକାରୀ କୋଭିଡ ପ୍ରୋଟୋକଲ ପାଳନ ନେଇ ସାପ୍ତାହିକ ଅଡିଟ୍‍ ରିପୋର୍ଟ ଦପ୍ତରର ମୁଖ୍ୟଙ୍କୁ ପ୍ରଦାନ କରିବେ । ସେଥିପାଇଁ ଫର୍ମାଟ୍‍ ପ୍ରସ୍ତୁତ ହୋଇଛି । ଏଥିରେ ଦପ୍ତର ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଶାରୀରିକ ଦୂରତା ୨ ମିଟର ଧାର୍ଯ୍ୟ ହୋଇଥିବା ବେଳେ ସେମାନେ କିଭଳି ବସୁଛନ୍ତି ଏବଂ ଅଫିସ୍‍ ଓ କରିଡର୍‍ରେ ଏକାଠି ହେଉଛନ୍ତି କି ନାହିଁ ତାହା ଉଲ୍ଲେଖ କରିବେ ।

ସେହିଭଳି କର୍ମଚାରୀମାନେ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଦପ୍ତର ପରିଷ୍କାର ପରିଚ୍ଛନ୍ନ ରହିବା, ସରକାରୀ ଅଫିସ୍‍ରେ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା, ଦପ୍ତରକୁ କୌଣସି ରୋଗଗ୍ରସ୍ତ ବ୍ୟକ୍ତି ଆସୁଛନ୍ତି କି ନାହିଁ ସେଥିପ୍ରତି ଦୃଷ୍ଟି ଦେବା, କଣ୍ଟେନ୍‍ମେଣ୍ଟ ଜୋନ୍‍ରୁ ଯେଭଳି କୌଣସି କର୍ମଚାରୀ ଦପ୍ତର ନ ଆସିବେ ଓ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବେ ତାହା ଫର୍ମାଟ୍‍ରେ ଉଲ୍ଲେଖ ରହିଛି ।

ସେହିଭଳି ସରକାରୀ ବୈଠକ ଲାଗି ସ୍ଥିର ହୋଇଥିବା ପ୍ରୋଟୋକଲର ନିୟମ ଅନୁଯାୟୀ ଅନ୍‍ଲାଇନ ବୈଠକକୁ ଅଗ୍ରାଧିକାର ଦେବା, ବୈଠକରେ ୧୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ନ ରହିବା, ୩୦ ମିନିଟ୍‍ ଭିତରେ ବୈଠକ ସାରିବା ଓ ପ୍ରଶସ୍ତ ସ୍ଥାନରେ ବୈଠକ ଆଦି କରିବାକୁ ପ୍ରୋଟୋକଲରେ ବ୍ୟବସ୍ଥା ରହିଛି ।

କୋଭିଡ୍‍ ପ୍ରୋଟୋକଲ କିଭଳି ଅନୁପାଳନ ହେଉଛି ସମ୍ପୃକ୍ତ ଅଧିକାରୀ ଫର୍ମାଟରେ ତାହା ଉଲ୍ଲେଖ କରି ଦପ୍ତରର ମୁଖ୍ୟଙ୍କୁ ଦେବେ । ରିପୋର୍ଟ ପାଇଲା ପରେ ଏ ଦିଗରେ କି କି ପଦକ୍ଷେପ ଆବଶ୍ୟକ ତାହା ଗ୍ରହଣ କରାଯିବ । ଯଦି କୌଣସି କର୍ମଚାରୀ ଜାଣିଶୁଣି କୋଭିଡ୍‍ ନିୟମକୁ ଉଲ୍ଲଙ୍ଘନ କରିବେ ତେବେ ତାଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋଭିଡ୍‍ ନିୟମ ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ଦପ୍ତରର ମୁଖ୍ୟ ଉତ୍ତରଦାୟୀ ରହିବେ । ବିଭାଗର ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ଦପ୍ତରର ଅନୁଧ୍ୟାନ କରି ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବେ ।

ସେହିଭଳି ଜୁଲାଇ ମାସରେ ବିଭିନ୍ନ ବିଭାଗ ଓ ଉପବିଭାଗ ଦପ୍ତରଗୁଡ଼ିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ସ୍ଥିର ହୋଇଛି । କେଉଁ କର୍ମଚାରୀ ଓ ଅଧିକାରୀମାନେ କେଉଁଦିନ ଦପ୍ତର ଆସିବେ ତାହା ସ୍ଥିର କରିବା ଲାଗି ବିଭାଗଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ଅଧିକାରୀ ଓ କର୍ମଚାରୀଙ୍କୁ ଭିପିଏନ୍‍ ସୁବିଧା ଦିଆଯାଇଛି ସେମାନେ ଘରେ ରହି କାମ କରିପାରିବେ । ତେବେ ଟେଲିଫୋନ ମାଧ୍ୟମରେ ଏମାନେ ଉପଲବ୍ଧ ହେବା ସହିତ ଆବଶ୍ୟକସ୍ଥଳେ ଅଫିସରେ ପହଞ୍ଚିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020