ଗୋଟିଏ ଦିନରେ କରୋନା ନେଲା ୫ ମୁଣ୍ଡ  ମୋଟ କରୋନା ମୃତ୍ୟୁସଂଖ୍ୟା ୩୪ ହେଲା  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ ଖୋରଧାରୁ ୨ଜଣ  ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ  ସର୍ବାଧିକ ୨୧୬ ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ  

ସବୁ ସେବାୟତ ନେଗେଟିଭ

କରୋନାମୁକ୍ତ ରଥଯାତ୍ରା ପାଇଁ ସେବାୟତମାନଙ୍କର ନମୂନା ପରୀକ୍ଷା ହୋଇଥିବାବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି । ଏଥି ସହିତ ବାହୁଡା ଯାତ୍ରା ସମ୍ପନ୍ନ ଲାଗି ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ସେ କହିଛନ୍ତି ।

ବାହୁଡା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦ତାରିଖ ରାତି ୧୦ଟାରୁ ୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୁରୀକୁ ସଟ୍‍ ଡାଉନ୍‍ ଘୋଷଣା କରାଯାଇଛି । ସହରର ସମସ୍ତ ପ୍ରବେଶପଥକୁ ସିଲ୍‍ କରାଯାଇଥିବାବେଳେ ପୁରୀକୁ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି ।

ବାହୁଡା ସମୟରେ ବଡଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ଲାଗି ଭଜନ ପରିବେଷଣ କରାଯିବ ବୋଲି ଡକ୍ଟର କୁମାର ସୂଚନା ଦେଇଛନ୍ତି । ଏଥି ସହିତ ବାହୁଡା ଅବସରରେ ତିନି ରଥ ସମେତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯିବ । ରଥଟଣା ସମୟରେ ବଡଦାଣ୍ଡରେ ପର୍ଯ୍ୟାପ୍ତ ପରିମାଣରେ ଜଳ ସିଞ୍ଚନ ହେବ । ଜନସ୍ୱାସ୍ଥ୍ୟ ବିଭାଗକୁ ପାନୀୟଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଅ।।ଯାଇଛି ।

ସେବାୟତ ଓ ପୋଲିସ ବ୍ୟବତୀତ ବଡ଼ଦାଣ୍ଡକୁ ଆଉ କେହି ଆସିବେ ନାହିଁ । ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୭୦ ପ୍ଲାଟୁନ୍ ଫୋର୍ସ ସହିତ ୪ଶହରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ଅଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ସେବାୟତମାନେ ଶ୍ରୀଜୀଉଙ୍କ ରଥ ଟାଣିବେ । ପୁରୀ ସହରବାସୀ ଘରେ ରହି ଟିଭିରେ ବାହୁଡ଼ା ଯାତ୍ରା ଦର୍ଶନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ।

ବାହୁଡା ଯାତ୍ରା ରୀତିକାନ୍ତି ଲାଗି ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ସମୟ ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ୱାରପାଳ ପୂଜା ସହିତ ବେଶ ଶେଷ ହେବ । ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ସକାଳଧୂପ, ୭ଟାରୁ ୭ଟା ୩୦ ମଧ୍ୟରେ ସେନାପଟା ଲାଗି, ୭ଟା ୪୫ରେ ମଙ୍ଗଳାର୍ପଣ ସରିବ । ସକାଳ ୮ଟାରେ ଶ୍ରୀଜୀଉମାନଙ୍କ ବାହୁଡା ପହଣ୍ଡି ଆରମ୍ଭ ହେବ ଏବଂ ୧୦ଟା ମଧ୍ୟରେ ଏହା ସାରିବାକୁ ଲକ୍ଷ୍ୟ ରହିଛି ।

ସେହିଭଳି ଦିନ ୧୧ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବାପରେ ଚାରମାଳ ଫିଟାଯାଇ ଦିନ ୧୨ଟାରେ ରଥଟଣା ଆରମ୍ଭ ପାଇଁ ସ୍ଥିର ହୋଇଛି । ଶ୍ରଗୁଣ୍ଡିଚା ଭଳି ବାହୁଡାରେ ମଧ୍ୟ ଶ୍ରୀଜୀଉମାନଙ୍କ କୃପାରୁ ସବୁକିଛି ଠିକ୍‍ଠାକ୍‍ ହେବ ବୋଲି ଡକ୍ଟର କୁମାର ଆଶାବ୍ୟକ୍ତ କରିଛନ୍ତି ।

 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020