ଗୋଟିଏ ଦିନରେ କରୋନା ନେଲା ୫ ମୁଣ୍ଡ  ମୋଟ କରୋନା ମୃତ୍ୟୁସଂଖ୍ୟା ୩୪ ହେଲା  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ ଖୋରଧାରୁ ୨ଜଣ  ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ  ସର୍ବାଧିକ ୨୧୬ ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ  

ରାଜ୍ୟ ବଜେଟ୍‍ର ଚେହେରା ବଦଳିବ

ରାଜ୍ୟ ବଜେଟ୍‍ର ଚେହେରା ବଦଳିବ । କରୋନା ମୁକାବିଲା ଖର୍ଚ୍ଚ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ତାଙ୍କ ବଜେଟ୍‍ ରୂପରେଖରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ପଟେ କରୋନା ମୁକାବିଲା ଖର୍ଚ୍ଚ ବୃଦ୍ଧି ଓ ଅନ୍ୟ ପଟେ ରାଜସ୍ୱ ହ୍ରାସ ପାଉଥିବାରୁ ସରକାର ଏଭଳି ପଦକ୍ଷେପ ପାଇଁ ଏକ ପ୍ରକାର ବାଧ୍ୟ ।

ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏ ବାବଦରେ କେତେ ଖର୍ଚ୍ଚ ହେବ ତାହା କେହି ପୂର୍ବାନୁମାନ କରିପାରୁ ନାହାନ୍ତି । ତେବେ ଏଥିପାଇଁ ବିପୁଳ ଅର୍ଥ ଆବଶ୍ୟକ ପଡିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେଣୁ ଗ୍ରାମାଞ୍ଚଳରେ କର୍ମସଂସ୍ଥାନ, କରୋନା ପରିଚାଳନା, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ କ୍ଷେତ୍ର ଗୁଡିକ ଉପରେ ଫୋକସ କରି ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଖର୍ଚ୍ଚ ପ୍ରସ୍ତାବକୁ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି ।

ଯଦିଓ ବଜେଟ୍‍ର ରୂପରେଖ ପରିବର୍ତ୍ତନ ସଂକ୍ରାନ୍ତରେ ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ବଜେଟ୍‍ରେ ପରିବର୍ତ୍ତନ ହୋଇପାରେ ବୋଲି ସ୍ୱୀକାର କରୁଛନ୍ତି । କେନ୍ଦ୍ର ସରକାର ତାଙ୍କର ବଜେଟ୍‍ ପ୍ରସ୍ତାବରେ ପରିବର୍ତ୍ତନ ଆଣିଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ବଜେଟ୍‍ର ଚେହେରା ବଦଳିବ । କେନ୍ଦ୍ର ସରକାର ଏବେ ସିଧାସଳଖ ଭାବେ ଗ୍ରାମ୍ୟ ନିଯୁକ୍ତି ଯୋଜନା, କରୋନା ପରିଚାଳନା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟ ସାମାଜିକ କ୍ଷେତ୍ରକୁ ଅର୍ଥ ପ୍ରଦାନ କରୁଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ରାଜ୍ୟର ରାଜସ୍ୱ ଆଦାୟ ହ୍ରାସ ପାଉଥିବା ଦୃଷ୍ଟିରୁ ଅଳ୍ପ ବ୍ୟୟ ହେଉଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରିବା ସହିତ ଅଧିକ ବ୍ୟୟ ହେବାକୁ ଥିବା ନୂଆ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ ନକରିବା ପାଇଁ ବିଶେଷଜ୍ଞମାନେ ମତ ଦେଉଛନ୍ତି । ରାଜ୍ୟ ସରକାର ଇତି ମଧ୍ୟରେ ୧୭ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବାବେଳେ ଅନୁରୂପ ବଡ ପ୍ୟାକେଜ ନହେଲେ ମଧ୍ୟ ଆଗାମୀ ଦିନରେ ଛୋଟ ଛୋଟ ପ୍ୟାକେଜର ଆବଶ୍ୟକତା ରହିଛି । ତଦନୁଯାୟୀ ଭବିଷ୍ୟତରେ ରାଜ୍ୟ ସରକାରଙ୍କୁ ଏକାଧିକ ପ୍ୟାକେଜ ଘୋଷଣା କରିବାକୁ ପଡିବ ବୋଲି ବିଶେଷଜ୍ଞମାନେ ବିଚାରୁଛନ୍ତି ।

ସେହିଭଳି ରାଜ୍ୟ ସରକାର ବ୍ୟୟ ସଙ୍କୋଚନ ନୀତି ଆପଣେଇବା ସହିତ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସର୍ବଭାରତୀୟ ସେବା ଅଧିକାରୀଙ୍କର ୫୦ ପ୍ରତିଶତ ଦରମା କାଟ୍‍ ହୋଇଥିବାବେଳେ ଅନ୍ୟ ସେବାର ଅଧିକାରୀମାନଙ୍କର ଏଭଳି ହୋଇପାରେ । ଅତି କମ୍‍ରେ ସମସ୍ତ କର୍ମଚାରୀଙ୍କର ୨୫ପ୍ରତିଶତ ଦରମା କାଟ୍‍ ବିପୁଳ ଅର୍ଥ ସଞ୍ଚୟ ହୋଇପାରିବ । ଅଯଥା ଖର୍ଚ୍ଚରୁ ରାଜ୍ୟ ସରକାର ଦୂରେଇ ରହିବେ ବୋଲି ମଧ୍ୟ ଅଧିକାରୀମାନେ ସଙ୍କେତ ଦେଲେଣି ।

ବ୍ୟୟ କ୍ଷେତ୍ରରେ ପରିବର୍ତ୍ତନ ଓ ଖର୍ଚ୍ଚ କାଟ୍‍ ଯୋଗୁଁ ଏହାର ପ୍ରଭାବ ଅଭିବୃଦ୍ଧି ଉପରେ ପଡିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଅଧିକାଂଶ ରାଜ୍ୟ ସରକାର ଖୋଲା ବାଜରରୁ ସ୍ୱଳ୍ପ ମିଆଦୀ ଋଣ କରୁଥିବାବେଳେ ଓଡିଶା ସରକାର କିନ୍ତୁ ଆରଆଇଡିଏଫ୍‍ରୁ କମ୍‍ ସୁଧରେ ଋଣ ଆଣୁଛନ୍ତି । ଚଳିତବର୍ଷ ରାଜ୍ୟ ସରକାର ଆରଆଇଡିଏଫ୍‍ରୁ ଭିତ୍ତିଭୂମି ପାଇଁ କମ୍‍ ସୁଧ ଯୁକ୍ତ ଅଧିକ ଋଣ ଆଣିବାକୁ ଚିନ୍ତା କରୁଛନ୍ତି । ନାବାର୍ଡ ନିୟନ୍ତ୍ରଣରେ ଥିବା ଏହି ପାଣ୍ଠି ରାଜ୍ୟ ପାଇଁ ବିଶେଷ ସହାୟକ ହେବ । ଅନୁରୂପ ଭାବେ ରାଜ୍ୟ ସରକାର ମଧ୍ୟ ଓଏମ୍‍ବିଏଡିସି ଓ କାମ୍ପାରୁ ଋଣ ଆଣିବାକୁ ସ୍ଥିର କରିଛନ୍ତି । କରୋନା ଜନିତ ଲକ୍‍ ଡାଉନ୍‍ର ମିଆଦ ଅଧିକ ଦିନ ବଢିବା ଆଶଙ୍କା କରାଯାଉଥିବାବେଳେ ଏଭଳି ପଦକ୍ଷେପ ରାଜ୍ୟ ପାଇଁ ବିଶେଷ ସହାୟକ ହେବବୋଲି ଅଧିକାରୀମାନେ ବିଚାରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020