ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ହୋଇନପାରେ ଛାତ୍ର ସଂସଦ ନିର୍ବାଚନ

କରୋନା ଆଳରେ ଏଥର ବି ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରସଂସଦ ନିର୍ବାଚନ ହୋଇନପାରେ । ଏହି ଆଶଙ୍କାରେ ବିଭିନ୍ନ ଛାତ୍ର ସଂଗଠନ ଓ ଛାତ୍ର ନେତାମାନେ ଏକ ପ୍ରକାର ମୁହଁ ମାଡି ଅଛନ୍ତି ।

ହିଂସାକାଣ୍ଡ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଗତବର୍ଷ ରାଜ୍ୟରେ ଛାତ୍ରସଂସଦ ନିର୍ବାଚନ ହୋଇନଥିଲା । ତାହା ପୂର୍ବବର୍ଷ ବି ଉକ୍ରଳ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନରେ ଶେଷ ମୂହୂର୍ତ୍ତରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିଲା । ତେବେ ୨୦୨୦ ରେ ନିର୍ବାଚନ ଲଢିବାପାଇଁ ଛାତ୍ର ନେତାମାନେ ଏକ ପ୍ରକାର ମନସ୍ଥିର କରି ଛଅମାସ ତଳୁ ଭିତ୍ତିଭୂମି ସଜାଡିବା ଆରମ୍ଭ କରିଥିଲେ ।

କରୋନା ପାଇଁ ମାର୍ଚ୍ଚ ମାସରୁ ବାରମ୍ବାର ଲକ୍‍ଡାଉନ୍‍, ସଟ୍‍ଡାଉନ୍‍, ଜନତା କର୍ଫ୍ୟୁ ଆଦି ଜାରି କରାଯିବା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏମିତିକି କେତେକ ପରୀକ୍ଷା ବି ହୋଇପାରି ନାହିଁ । ଦଶମ, ଯୁକ୍ତ ୨, ଯୁକ୍ତ ୩ ଓ ସ୍ନାତକୋତ୍ତର ଆଦି ପରୀକ୍ଷାର ଫଳାଫଳ କେବେ ପ୍ରକାଶ ପାଇବ ତାହା କେହି ନିର୍ଦ୍ଦିଷ୍ଟ ଭାବେ କହିପାରୁନଥିବା ବେଳେ ଯୁକ୍ତ ୨, ଯୁକ୍ତ ୩ ଓ ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମାଙ୍କନ କେବେଠାରୁ ଆରମ୍ଭ ହେବ ସେ ସମ୍ପର୍କରେ ବି ସମସ୍ତେ ଅନ୍ଧାରରେ ଅଛନ୍ତି ।

ସାଧାରଣତଃ ଛାତ୍ର ସଂସଦ ନିର୍ବାଚନରେ ନବାଗତ ଛାତ୍ରଛାତ୍ରୀମାନେ ପ୍ରାର୍ଥୀଙ୍କ ସପକ୍ଷରେ ହାୱା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏବେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଶ୍ରେଣୀ କାର୍ଯ୍ୟ ଚାଲୁନଥିଲେ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକମାନେ ଗତ ୧୭ ତାରିଖରୁ ନିୟମିତ କଲେଜ ଆସୁଛନ୍ତି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀକକ୍ଷ ଏବଂ ଛାତ୍ର ଓ ଛାତ୍ରୀ ନିବାସ ବନ୍ଦ ରହିଥିବା ପରିପ୍ରେକ୍ଷୀରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ପାଠପଢ଼ା ନ ହେଲେ ମଧ୍ୟ ଅନ୍‍ଲାଇନ୍‍ରେ ପାଠ ପଢ଼ାଯାଉଛି ।

ଏବେ ରାଜ୍ୟରେ ଯେଭଳି କରୋନା ବ୍ୟାପୁଛି ସେ ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନଗୁଡ଼ିକ ଅଗଷ୍ଟ ପୂର୍ବରୁ ଖୋଲିବ ନାହିଁ । ସେତେବେଳକୁ ଅବସ୍ଥା ଦେଖି ସରକାର ଶିକ୍ଷାନୁଷ୍ଠାନ କେବେ ଖୋଲି ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ । ତେବେ କରୋନା ଗବେଷକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ଅଗଷ୍ଟ ମାସ ପରେ ବି ପରିସ୍ଥିତି ସୁଧୁରିବାର ସମ୍ଭାବନା କମ୍‍ ଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ ଅଧିକ ଦିନ ପାଇଁ ବନ୍ଦ ରଖାଯାଇପାରେ । କିନ୍ତୁ ଫଳ ପ୍ରକାଶନ ପରେ ଯୁକ୍ତ ୨, ଯୁକ୍ତ ୩ ଓ ସ୍ନାତକୋତ୍ତର ଶ୍ରେଣୀ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ ।

କରୋନାର କରାଳ ଆକ୍ରମଣ ଯୋଗୁ ଚାରିଆଡ଼େ ହଇଚଇ ପଡ଼ିଥିବା ବେଳେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକୁ ଛାତ୍ରଛାତ୍ରୀ ଆସୁନାହାନ୍ତି ଏବଂ ଏ ଅବସ୍ଥା ଆଉ କେତେଦିନ ଜାରି ରହିବ ତାହା କେହି କହିପାରୁନାହାନ୍ତି । ଏଭଳି ସ୍ଥିତିରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ଖୁବ୍‍ କ୍ଷୀଣ । ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ତାହା ପରିବର୍ତ୍ତିତ ପରିସ୍ଥିତି ଉପରେ ନିର୍ଭର କରେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020