ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ବୁଣାକାରଙ୍କ ସ୍ଥିତି ଦୟନୀୟ

କରୋନା ମାଡରେ ଏବେ ରାଜ୍ୟର ହସ୍ତତନ୍ତ ଶିଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାବେଳେ ବୁଣାକାରମାନଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି । ଲକ୍ଷାଧିକ ବୁଣାକାର ନିଜର କୌଳିକ ବୃତ୍ତି ଛାଡି ପେଟ ପୋଷିବାପାଇଁ ଅନ୍ୟ ଧନ୍ଦା ଆଡକୁ ଢଳିଲେଣି । ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଯୋଗୁଁ ଦୋକାନ ବଜାର ଖୋଲୁନଥିବା ଏବଂ କରୋନା କଟକଣା ଯୋଗୁଁ ରପ୍ତାନି ସୁଯୋଗ ନଥିବାରୁ ବୁଣାକାରମାନଙ୍କ ଉତ୍ପାଦିତ ଲୁଗା ଓ ଅନ୍ୟ ତନ୍ତବୁଣା ସାମଗ୍ରୀ ବିକ୍ରି ହୋଇପାରୁ ନାହିଁ ।

ସରକାରୀ ହିସାବରେ ରାଜ୍ୟରେ ଏକ ଲକ୍ଷରୁ ସାମାନ୍ୟ ଅଧିକ ବୁଣାକାର ଥିବାବେଳେ ବରଗଡ, ସୋନପୁର, କଟକ, ଖୋରଧା, ପାଟଣାଗଡ, କେନ୍ଦ୍ରାପଡା, ଜଗତ୍‍ସିଂହପୁର, ପୁରୀ ଆଦି ଜିଲ୍ଲାରେ ହଜାର ହଜାର ଲୋକ ହସ୍ତତନ୍ତକୁ ନିଜର ଜୀବିକା ଭାବେ ବାଛି ନେଇଛନ୍ତି । ବର୍ଷକୁ ୪୦୦ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଥିବାବେଳେ ରାଜ୍ୟ ବାହାରେ ବି ୨୫କୋଟି ଟଙ୍କାରୁ ଅଧିକ କାରବାର ହେଉଛି । ରାଜ୍ୟ ଭିତରେ ବି ଓଡିଶା ହସ୍ତତନ୍ତର ଚାହିଦା ଢେର ରହିଛି ।

ହେଲେ କରୋନା ମହାମାରୀ ଯୋଗୁଁ ଏବେ ନା ବିଦେଶକୁ ରପ୍ତାନି ହୋଇପାରୁଛି ନା ସ୍ଥାନୀୟ ବଜାରରେ ବିକ୍ରିବଟା ପୂର୍ବଭଳି ହେଉଛି । ବ୍ୟବସାୟୀମାନଙ୍କ ନିକଟରେ ଲୁଗା ଗଦାହୋଇ ରହିଥିଲେ ବି ଗ୍ରାହକ ନାହାନ୍ତି । ଫଳରେ ସେମାନେ ଆଉ ପୂର୍ବଭଳି କାରିଗରଙ୍କଙ୍କୁ ସୂତା ଯୋଗାଉ ନାହାନ୍ତି କି ଲୁଗା ବୁଣା ହୋଇପାରୁ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟୀ ଓ ସମବାୟ ସଂସ୍ଥା ଗୁଡିକ ବୁଣାକାରମାନଙ୍କୁ ସୂତା ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥାନ୍ତି । ବୁଣାକାରମାନେ ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ବୁଣି ସେ ବାବଦରେ ଅର୍ଥ ପାଇଥାନ୍ତି । ରାଜ୍ୟର ଉପକୂଳ ବିଶେଷକରି କେନ୍ଦ୍ରାପଡା, କଟକ, ଜଗତ୍‍ସିଂହପୁର, ପୁରୀ ଆଦି ଜିଲ୍ଲାର ବୁଣାକାରମାନେ ଏହିଭଳି ଭାବେ ଭଲ ରୋଜଗାର କରୁଥିଲେ । ଜଣେ ଜଣେ ବୁଣାକାର ଦୈନିକ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଥିଲେ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନାର ହରିପୁର, ଢିହସାହି, କଳାବୁଦା, କୋରୁଆ ଆଦି ଅଞ୍ଚଳରେ ପ୍ରାୟ ୫ହଜାର ବୁଣାକାର ଏବେ କେରାନା ଯୋଗୁଁ ହାତବାନ୍ଧି ବସିଗଲେଣି । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି ।

ଅବସ୍ଥା ଏଭଳି ହୋଇଛି ଯେ ବ୍ୟବସାୟୀମାନେ ଆଉ ବୁଣାକାରଙ୍କ ନିକଟକୁ ଆସୁନାହାନ୍ତି । ଉଭୟ ବ୍ୟବସାୟୀ ଓ ବୁଣାକାରଙ୍କ ନିକଟରେ ଉତ୍ପାଦିତ ଲୁଗା ଗଦାହୋଇ ରହିଛି । ନୂଆ କାମ ତ ଦୂରରକଥା ପୁରୁଣା କାମ ବାବଦୀୟ ଅର୍ଥ ବି ବୁଣାକାରମାନେ ପାଇପାରୁ ନାହାନ୍ତି । ଫଳରେ ଏବେ ପେଟ ପୋଷିବାପାଇଁ ବହୁ ବୁଣାକାର ଅନ୍ୟ ପନ୍ଥା ଆପଣେଇବା ଆରମ୍ଭ କରିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020