୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଋଣ ପାଇଁ କେନ୍ଦ୍ରର ସର୍ତ୍ତ ବାଧକ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଅଧିକ ଋଣ ଚାହୁଁଥିବାବେଳେ ଏଥିପାଇଁ କେନ୍ଦ୍ର ସରକାର ଆରୋପ କରୁଥିବା ସଂସ୍କାର ସର୍ତ୍ତ ଏବେ ଅଡୁଆ ହୋଇଛି । କରୋନା ଭଳି ମହାମାରୀ ସମୟରେ କେନ୍ଦ୍ରର ଏଭଳି ସର୍ତ୍ତ ଯୋଗୁଁ ରାଜ୍ୟ ସରକାର ଅଧିକ ଋଣ କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି କୁହାଯାଉଛି ।

ରାଜ୍ୟ ସରକାର ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ବର୍ତ୍ତମାନ କରୋନା ମହାମାରୀ ସ୍ଥିତିରେ କେନ୍ଦ୍ର ସରକାର ଖୋଲାବଜାର ଋଣ ଲାଗି ଏଥିପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରିଛନ୍ତି ତାହା ସମସ୍ୟା ହୋଇଛି । ଖୋଲା ବଜାର ଋଣ କରିବାକୁ ହେଲେ ୪ଟି ସର୍ତ୍ତ ଆରୋପ କରାଯାଇଛି । ଏହା ପୂରଣ କରିବାପରେ ମୋଟ୍‍ ରାଜ୍ୟର ଘରୋଇ ଉତ୍ପାଦନ (ଜିଏସ୍‍ଡିପି)ର ଅତିରିକ୍ତ ୨ ପ୍ରତିଶତ ଋଣ କରିପାରିବେ । ଉଲ୍ଲେଖନୀୟ ଯେ ରାଜ୍ୟର ଜିଏସ୍‍ଡିପି ୬ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ସର୍ତ୍ତ ପୂରଣ କଲେ ରାଜ୍ୟ ସରକାର ଅଧିକ ୧୨ହଜାର କୋଟି ଟଙ୍କା ଖୋଲା ବଜାରରୁ ଉଠାଇ ପାରିବେ ।

ଚଳିତ ଆର୍ଥିକ ବର୍ଷର ୯ମାସ ପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଖୋଲା ବଜାରରଭ ୩ଲକ୍ଷ ୨୦ହଜାର କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ କରୋନା ମହାମାରୀ ସମୟରେ ସଂସ୍କାରମୂଳକ କାର୍ଯ୍ୟ କରି ଖୋଲା ବଜାରରୁ ଅଧିକ ଋଣ ଉଠାଣ କରିବା ରାଜ୍ୟ ପାଇଁ କଷ୍ଟକର ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ସର୍ତ୍ତ ପୂରଣ ସହିତ ଋଣ ଅର୍ଥର ୫୦ ପ୍ରତିଶତ ଉଠାଇ ପାରିବେ ।

ସର୍ତ୍ତ ଗୁଡିକ ମଧ୍ୟରେ ରାଜ୍ୟ ସରକାର ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’କୁ କାର୍ଯ୍ୟକାରୀ କରିବେ । ଦ୍ୱିତୀୟରେ ଶିଳ୍ପ ବ୍ୟବସାୟକୁ ସହଜ କରିବାପାଇଁ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜିନେସ୍‍କୁ ବ୍ୟାପକ କରିବା । ରାଜ୍ୟ ସରକାର ଯଦିଓ ବିଭିନ୍ନ କ୍ଷେତ୍ରରେ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜିନେସ୍‍ କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ଖୋଲା ବଜାରରୁ ଋଣ ଉଠାଣ ପାଇଁ ଏ ଦିଗରେ ଅଧିକ ପଦକ୍ଷେପ ନେବାକୁ କୁହାଯାଇଛି । ରାଜ୍ୟ ସ୍ତରରେ ସରକାର ଏହାକୁ କାର୍ଯ୍ୟକାରୀ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବାଣିଜ୍ୟ ବିଭାଗ ଇଜ୍‍ ଅଫ୍‍ ଡୁଇଙ୍ଗ ବିଜିନେସ୍‍କୁ ଜିଲ୍ଲା ସ୍ତରରେ ଲାଗୁ ପାଇଁ ମତ ଦେଉଛନ୍ତି ।

ସେହିଭଳି କେନ୍ଦ୍ର ସରକାର କେନ୍ଦ୍ରୀୟ ସ୍ତରରେ ତଦାରଖ ପ୍ରକ୍ରିୟାକୁ ବ୍ୟାପକ କରିବା ସହିତ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଲାଗୁ ପାଇଁ କୁହାଯାଇଛି । ବିଦ୍ୟୁତ୍‍ କ୍ଷେତ୍ରରେ ବୈଷୟିକ ଓ ବାଣିଜ୍ୟିକ (ଏଟିଆଣ୍ଡସି) କ୍ଷତି ରୋକିବାଲାଗି ବ୍ୟାପକ ସଂସ୍କାର ଲାଗି କୁହାଯାଇଛି । ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀ ଗୁଡିକ ଏ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରୁନଥିବାରୁ ନିୟମିତ ଭାବେ ଏହି କ୍ଷତି ବଢିବାରେ ଲାଗିଛି । ସେହିଭଳି ପୌର ସଂସ୍ଥାରେ ବ୍ୟାପକ ସଂସ୍କାର ସହିତ ଏଠାରେ ନିର୍ବାଚନ ମାଧ୍ୟମରେ ଲୋକ ପ୍ରତିନିଧିଙ୍କୁ ବାଛିବା, ସମ୍ପତ୍ତି ଟିକସ ଓ ଅନ୍ୟାନ୍ୟ ସେବା ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି । ରାଜ୍ୟ ସରକାର କୋଭିଡ-୧୯ ସହିତ ଲଢୁଥିବାବେଳେ ଏବେ ବାତ୍ୟାା ଅମ୍ଫାନକୁ ସାମ୍ନା କରୁଥିବାବେଳେ କେନ୍ଦ୍ର ସରକାର ସର୍ତ୍ତ ପୂରଣ କଷ୍ଟକର ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020