୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ରଥଯାତ୍ରା ନେଇ ଆଶା ସଞ୍ଚାର

ଆଜିକୁ ଠିକ୍‍ ମାସକ ପରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ । ପାଞ୍ଜିର ତିଥି ଅନୁଯାୟୀ ଆସନ୍ତା ଜୁନ୍‍ ୨୩ ତାରିଖକୁ ଦିନ ଧାର୍ଯ୍ୟ ହୋଇଛି । ତେବେ ରଥଯାତ୍ରାର ବିଧିବିଧାନ ଗୋଟିଏ ପରେ ଗୋଟିଏ ପ୍ରତିପାଳିତ ହେବା ସହ ବଡଦାଣ୍ଡରେ ତିନିରଥ ନିର୍ମାଣ କାର୍ଯ୍ୟ ଯେପରି ଆଗେଇ ଚାଲିଛି ସେଥିରେ କରୋନା ଭୟ ସତ୍ୱେ ରଥଯାତ୍ରା ହେବ ବୋଲି ସେବାୟତ ଓ ଭକ୍ତ ମହଲରେ ଆଶା ସଞ୍ଚାର ହୋଇଛି । ତେବେ ଶେଷ ମୂହୂର୍ତ୍ତରେ ସ୍ଥିତି କ’ଣ ହେବ ସେ ସମ୍ପର୍କରେ ନିଶ୍ଚିତ ଭାବେ କେହି କିଛି କହିପାରୁ ନାହାନ୍ତି ।

କରୋନା ଲକ୍‍ ଡାଉନ୍‍ ସମୟରେ ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀର ରୁକୁଣା ରଥଯାତ୍ରା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ରଥଦାଣ୍ଡରେ ରଥ ନିର୍ମିତ ସରିଥିଲେ ବି ସାମାଜିକ ଦୂରତା ଉଲ୍ଲଙ୍ଘନ ଆଶଙ୍କାରେ କର୍ତ୍ତୃପକ୍ଷ ଶେଷ ମୂହୂର୍ତ୍ତରେ ବାତିଲ କରାଯାଇଥିଲା । ଶ୍ରୀରାମନବମୀ, ହନୁମାନଜୟନ୍ତୀ, ପଣା ସଂକ୍ରାନ୍ତି, ବୈଶାଖି ଉତ୍ସବ, ବିଭିନ୍ନ ଦେବୀ ପୀଠରେ ଝାମୁଯାତ୍ରା ଆଦିର ପ୍ରତିପାଳନ ଉପରେ ମଧ୍ୟ କଟକଣା ଲାଗିଥିଲା । ଏମିତିକି ସାବିତ୍ରୀ ଅମାବାସ୍ୟାରେ ବହୁ ଲୋକ ମନ୍ଦିର ଯାଇନପାରି ଘରେ ପୂଜାର୍ଚ୍ଚନା କରିଛନ୍ତି ।

ଖ୍ରୀଷ୍ଟିାଆନ ସମ୍ପ୍ରଦାୟର ଗୁଡ୍‍ ଫ୍ରାଇଡେ ଓ ଇଷ୍ଟର ରବିବାର ଭଳି ଗୁରୁତ୍ୱପୂର୍ଣ୍ଣ ପର୍ବ ପର୍ବାଣୀରେ ମଧ୍ୟ ଗୀର୍ଜା ଗୁଡିକ ଖାଲି ପଡିଥିଲା । ଲୋକେ ଗରେ ରହି ଏହି ପର୍ବ ପାଳୁଥିଲେ । ବୈଶାଖିରେ ଗୁରୁଦ୍ୱାର ଗୁଡିକରେ ଓ ବୁଦ୍ଧପୂର୍ଣ୍ଣିମାରେ ବୌଦ୍ଧ ମନ୍ଦିର ଗୁଡିକରେ ମଧ୍ୟ କରୋନା ଯୋଗୁଁ ଉତ୍ସବାନୁଷ୍ଠାନ ବାତିଲ ହୋଇଥିଲା । ଏବେ ଇସଲାମ ସମ୍ପ୍ରଦାୟର ରମ୍‍ଜାନ ମାସ ଅବସରରେ ଇଦ୍‍ ମିଳନ ଉତ୍ସବ ହୋଇପାରୁ ନାହିଁ । ଘରେ ଘରେ ରୋଜା ପାଳି ଲୋକେ ରହୁଛନ୍ତି । ମସ୍‍ଜିଦ ଗୁଡିକରେ ଶୁକ୍ରବାର ଓ ଚର୍ଚ୍ଚ ଗୁଡିକରେ ରବିବାରର ପ୍ରାର୍ଥନା ହୋଇପାରୁ ନାହିଁ । ଭଉଁରୀ ଠାରୁ ଆରମ୍ଭ କରି ଶୀତଳଷଷ୍ଠି ପର୍ଯ୍ୟନ୍ତ ବିଭିନ୍ନ ପର୍ବ ପର୍ବାଣୀର ଗଣ ପ୍ରତିପାଳନ ଉପରେ ବି କରୋନା ଅଙ୍କୁଶ ଲାଗିଛି ।

ଏ ପରିପ୍ରେକ୍ଷୀରେ ଜୁନ୍‍ ୨୩ ତାରିଖରେ କିଭଳି ରଥଯାତ୍ରା ହେବ ଓ ତାହା ପୂର୍ବରୁ ସ୍ନାନଯାତ୍ରା ଓ ପରେ ବାହୁଡାଯାତ୍ରା, ସୁନାବେଶ, ଅଧରପଣା ଆଦି କାର୍ଯ୍ୟକ୍ରମ କରାଯିବ ସେଥିଘେନି ଅନେକ ନଜର ରଖିଛନ୍ତି । ପୁରୀ ସହିତ ଓଡିଶାର ବିଭିନ୍ନ ସ୍ଥାନରେ ଏମିତିକି ଦିଲ୍ଲୀ ଅହମ୍ମଦାବାଦ ଠାରୁ ଆରମ୍ଭ କରି ଆମେରିକା ଇଂଲଣ୍ଡ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ରଥଯାତ୍ରା ଉତ୍ସବ ପାଳନ କରିଥାନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଯଦି ରଥଯାତ୍ରା ହୁଏ ତେବେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଏହା ଅନୁଷ୍ଠିତ ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ । କରୋନା ତାହାର କରାଳ କାୟା ବିସ୍ତାର କରି ଚାଲିଥିବାବେଳେ ଜନସମାବେଶ ହେଲେ ଗୋଷ୍ଠି ସଂକ୍ରମଣର ଆଶଙ୍କା ଥିବା ପରିପ୍ରେକ୍ଷୀରେ ଶେଷ ମୂହୂର୍ତ୍ତରେ କର୍ତ୍ତୃପକ୍ଷ ଅବସ୍ଥା ଦେଖି ବ୍ୟବସ୍ଥା କରିବେ ବୋଲି କୁହାଯାଉଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020