୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଓଡିଶାକୁ ଅଗ୍ରୀମ ୫୦୦ କୋଟି

ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ପ୍ରଦାନ ସଂକ୍ରାନ୍ତରେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରକୁ ପଠାଇଲେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ରାଜ୍ୟକୁ ଆସି ଅନୁଧ୍ୟାନ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବାପରେ ସିଧାସଳଖ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ । ତାଙ୍କ ସହିତ ରାଜ୍ୟପାଲ ଡକ୍ଟର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ବାତ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।

ପ୍ରାୟ ଦୁଇଘଣ୍ଟା କାଳ ଆକାଶମାର୍ଗରୁ ବାତ୍ୟା ବିଭିଷୀକା ଦେଖି ଫେରିବା ପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର ଠାରେ ଏହାର ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବାତ୍ୟାରେ ଘର ଭାଙ୍ଗିବା, ଚାଷ, ବିଦ୍ୟତ୍‍ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତି ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ।

ସମୀକ୍ଷାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣମାଧ୍ୟକୁ କହିଥିଲେ ଯେ ଅଢେଇ ମାସ ଧରି କରୋନା ବିରୁଦ୍ଧରେ ଯୁଦ୍ଧ ଚାଲିଥିବାବେଳେ ଏବେ ପୁଣି ବାତ୍ୟା ବିପତ୍ତି ଆସିଛି । ତେବେ ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ କମ୍‍ ରହିଛି ।

ଓଡିଶା ସରକାର ବାତ୍ୟା ମୁକାବିଲା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ବିଶେଷକରି ଗାଁ ଗହଳର ଲୋକଙ୍କୁ ସଚେତନ କରିବା ଯୋଗୁଁ ଜନ ଜୀବନ ରକ୍ଷା ହୋଇ ପାରିଛି । ଏଥିପାଇଁ ଶ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଟିମ୍‍ଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଉଲ୍ଲେଖନୀୟ ଯେ ବାତ୍ୟା ଅମ୍ଫାନ ପ୍ରଭାବରେ ରାଜ୍ୟର ୧୦ଟି ଜିଲ୍ଲାର ୮୯ଟି ବ୍ଲକର ପ୍ରାୟ ୪୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ କୁହାଯାଉଥିବାବେଳେ ପ୍ରବଳ ପବନ ଓ ବର୍ଷାମାଡରେ ଉପକୂଳ ଓଡିଶାରେ ଚାଷବାସର ବ୍ୟାପକ କ୍ଷତି ହୋଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020