ମାଛର ହେବ ଯାଞ୍ଚ

ଓଡିଶା ବଜାରକୁ ଆସୁଥିବା ମାଛକୁ ରାଜ୍ୟ ସରକାର ଯାଞ୍ଚ କରିବେ । ଆନ୍ଧ୍ରରୁ ମାଛ ଆମଦାନୀ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡିଶା ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଥିବା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଏ ସଂକ୍ରାନ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମାଛକୁ ତାଜା ରଖିବା ପାଇଁ ଶବ ସଂରକ୍ଷଣରେ ବ୍ୟବହାର ହେଉଥିବା ବିଷାକ୍ତ ରସାୟନିକ ପଦାର୍ଥ ‘ଫର୍ମାଲିନ’ ବୋଳା ହେଉଥିବା ଅଭିଯୋଗରେ ଆନ୍ଧ୍ର ଓ ଅନ୍ୟ ରାଜ୍ୟରୁ ଆସୁଥିବା ମାଛ ବିକ୍ରି ଉପରେ ଆସାମ ସରକାର ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ।

ବଜାରରେ ମିଳୁଥିବା କେତେକ ମାଛ ନମୂନାକୁ ଆସାମ ସରକାର ପରୀକ୍ଷା କରିବାପରେ ଏଭଳି କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ମାଛ ବିକ୍ରି ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରୀ ନିର୍ଦ୍ଦେଶ ଅବମାନନା କରି ଯେଉଁମାନେ ସେଠାରେ ମାଛ ବିକ୍ରି କରିବେ ସେମାନଙ୍କୁ ଜେଲ ଦଣ୍ଡ ସହିତ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ ।

ଫର୍ମାଲିନ ଲେପନ ଦ୍ୱାରା ଶବ ଭଳି ମାଛ ଅଧିକ ଦିନ ସତେଜ ରହୁଥିବାରୁ ମତ୍ସ୍ୟଚାଷୀ ବିଶେଷକରି ମତ୍ସ୍ୟ ରପ୍ତାନୀକାରୀମାନେ ତାହାକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି ।

ଫର୍ମାଲିନ ଖାଦ୍ୟ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କଲେ ଏହା ମାରାତ୍ମକ କର୍କଟ ରୋଗର କାରଣ ହେବବୋଲି ବିଶେଷଜ୍ଞମାନେ ବାରମ୍ବାର ସୂଚାଇବାରେ ଲାଗିଛନ୍ତି ।

ପୂର୍ବରୁ ମଧ୍ୟ ଏ ନେଇ ବିଭିନ୍ନ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଆସୁଥିଲା । ହେଲେ ଏବେ ଆସାମ ସରକାର ଆନ୍ଧ୍ର ମାଛ ଉପରେ କଟକଣା ଲଗାଇବାରେ ଓଡିଶା ସରକାର ତତ୍ପର ହୋଇ ଉଠିଛନ୍ତି ।