ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ପତ୍ର  କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍କନ ମନ୍ଦିର ନିକଟରେ ଜମୁଥିବା ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ  ଜୟଦେବବିହାର, ରସୁଲଗଡ, ପଳାଶୁଣି ଓ ପାହାଳ ନିକଟରେ ଜାତୀୟ ରାଜପଥରେ ଜଳ ସମସ୍ୟା ଦର୍ଶାଇଲେ  

ଗଡିଲା ୨୬ ଟି ନୂଆ ଆମ୍ବୁଲାନ୍ସ

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ତାଲିକାରେ ଆଜି ଆଉ ୨୬ଟି ସାମିଲ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ପତାକା ହଲାଇ ଏହି ନୂତନ ୨୬ ଟି ୧୦୮ ଆମ୍ବଲାନ୍ସ ସେବା ଆରମ୍ଭ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଜରୁରୀକାଳୀନ ସେବାକୁ ଅଧିକ ପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ୯୨ଟି ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି । ଗତବର୍ଷ ଡିସେମ୍ବର ମାସରେ ୨୪ ଟି ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବାବେଳେ ଆଜି ଆଉ ୨୬ ଟିର ସେବା ଆରମ୍ଭ କରାଯାଇଛି । ଅବଶିଷ୍ଟ ୪୨ ଟି ଯଥାଶୀଘ୍ର ରାଜ୍ୟର ଏଥିରେ ସାମିଲ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ପ୍ରକାଶ ଥାଉକି ରାଜ୍ୟରେ ଗତ ୨୦୧୩ ମସିହାରୁ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି ଏବଂ ବର୍ତମାନ ସୁଦ୍ଧା ୪୪୪ ଟି ୧୦୮ ଆମ୍ବୁଲାନ୍ସ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ମାଗଣା ସେବା ଯୋଗାଇ ଦେଇ ଆସୁଛି । ଏହି ୪୪୪ ଟି ମଧ୍ୟରୁ ୩୮୮ ଟି ମୌଳିକ ଜୀବନରକ୍ଷା ସେବା( ବେସିକ୍ ଲାଇଫ୍ ସପୋର୍ଟ ) ଓ ୫୬ ଟି ଉନ୍ନତ ଜୀବନରକ୍ଷା ସେବା( ଆଡଭାନ୍ସ ଲାଇଫ ସପୋର୍ଟ) ଅଟେ ।

୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୫୦୦ ଗୋଟି ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା ରହିଛି । ଏ ପର୍ଯ୍ୟନ୍ତ ରାଜ୍ୟର ୩୫ ଲକ୍ଷରୁ ଅଧିକ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବା ବେଳେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

୨୮ ଟି ବି.ଏଲ୍.ଏସ୍ ( ବେସିକ ଲାଇଫ ସପୋର୍ଟ ) ଆମ୍ବୁଲାନ୍ସକୁ ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସକୁ ରୂପାନ୍ତରିତ କରିବା ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆବଶ୍ୟକ ଅର୍ଥ ଯୋଗାଇ ଦେଇଛନ୍ତି । ଏହି ଅତିରିକ୍ତ ଆମ୍ବୁଲାନ୍ସ ଗୁଡିକ ନିମନ୍ତେ ୫ ବର୍ଷ ପାଇଁ ୯୦ କୋଟି ଟଙ୍କା ବ୍ୟବସ୍ଥା କରାଯାଛି ।

ଆୟୋଜିତ ଏହି ଆମ୍ବଲାନ୍ସ ସେବା ଶୁଭାରମ୍ଭ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଏବଂ ସେବାପ୍ରଦାନକାରୀ ସଂସ୍ଥା ଜିକିତ୍ସାର ଅଧିକାରୀମାନେ ଉପସ୍ଥିତ ଥିଲେ ।