ଗବେଷଣା ଚେୟାର୍‍ ଉଭାନ୍‍

ଉତ୍‍କଳ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇଥିବା ୮ଟି ଗବେଷଣା ଚେୟାର୍‍ ବହୁ ବର୍ଷ ଧରି ଅଚଳ ହୋଇପଡ଼ିଛି । ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଥିବା ସତ୍ୟବାଦୀ ଚେୟାର୍‍ ଓ ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର୍‍ କର୍ତ୍ତୃପକ୍ଷଙ୍କ ଅଣଦେଖା କାରଣରୁ ପ୍ରାୟ ୨୦ ବର୍ଷ ଧରି ଅକାମୀ ହୋଇ ପଡ଼ିଛି । ଏସବୁ ଚେୟାର୍‍ ପ୍ରତିଷ୍ଠା ଲାଗି ଯେଉଁ ମୋଟା ଅଙ୍କର ପାଣ୍ଠି ରହିଥିଲା ତାହାର ସ୍ଥିତି ସମ୍ପର୍କରେ କେହି କିଛି କହିପାରୁନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ଠାରୁ ମୋଟା ଅଙ୍କର ଆର୍ଥିକ ସହାୟତା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରହଣ କରି ଗବେଷଣା ଚେୟାର୍‍ମାନ ପ୍ରତିଷ୍ଠା କରିଥିଲେ । ପ୍ରତି ଚେୟାର୍‍ ପାଇଁ ଜଣେ ଲେଖାଏଁ ବରିଷ୍ଠ ପ୍ରଫେସର ଥିବା ବେଳେ ତାଙ୍କ ଅଧିନରେ ଗବେଷଣାକାରୀ ବି କାମ କରୁଥିଲେ । କିନ୍ତୁ ଏ ସବୁ ଏବେ ଉତ୍‍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ପାଇଁ କାହାଣୀ ଭଳି ହେଉଛି ।

ଉତ୍‍କଳ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ମୟୂରଭଞ୍ଜ ଚେୟାର୍‍ ରହିଥିଲା । ମୟୂରଭଞ୍ଜ ମହାରାଜା ଏଥିପାଇଁ ୭୦ ଦଶକରେ ଅର୍ଥ ଯୋଗାଇଥିଲେ ବୋଲି କେତେକ ଅବସରପ୍ରାପ୍ତ ପ୍ରଫେସର କହୁଛନ୍ତି । କିନ୍ତୁ ଏବେ ପଦାର୍ଥ ବିଜ୍ଞାନ ବିଭାଗରେ ମୟୂରଭଞ୍ଜ ଚେୟାର୍‍ କେଉଁଠି ଅଛି ଖୋଜିଲେ ମିଳୁନାହିଁ । ଏମିତିକି ଏହାକୁ ଦୂରବୀକ୍ଷଣ କିମ୍ବା ଅଣୁବୀକ୍ଷଣ ଯନ୍ତ୍ରରେ ଖୋଜିବା ଲାଗି କେତେକ ଅଧ୍ୟାପକ ବ୍ୟଙ୍ଗୋକ୍ତି କରି କହୁଛନ୍ତି ।

ଅନୁରୂପ ଭାବେ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ପୂର୍ବତନ କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ପ୍ରାଣକୃଷ୍ଣ ପରିଜାଙ୍କ ନାମରେ ଏକ ଚେୟାର୍‍ ପ୍ରତିଷ୍ଠା ହୋଇଥିଲା । ଏହି ଚେୟାର୍‍ ମଧ୍ୟ ମୟୂରଭଞ୍ଜ ଚେୟାର୍‍ ଭଳି ଅଦୃଶ୍ୟ ହୋଇଗଲାଣି । ଏହି ଚେୟାର୍‍ ଲାଗି ପ୍ରାୟ ୨୫ ବର୍ଷ ଧରି କାହାକୁ ରଖାଯାଇନାହିଁ ।

ଏବେ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶା ସରକାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସ ଚେୟାର୍‍ ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଚେୟାର୍‍ ପ୍ରତିଷ୍ଠା କରି ଓଡ଼ିଆ ଭାଷାର ସମୃଦ୍ଧି ଯୋଜନା ରଖିଛନ୍ତି । ଏହି ଦୁଇ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ବିଭାଗ ନାହିଁ କିମ୍ବା ଏଠାରେ ଓଡ଼ିଆ ସାହିତ୍ୟ ଅଧ୍ୟୟନର ବ୍ୟବସ୍ଥା ବି ନାହିଁ । ଅନ୍ୟପକ୍ଷରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଥିବା ସତ୍ୟବାଦୀ ଚେୟାର୍‍ ଓ ଆର୍ତ୍ତବଲ୍ଲଭ ମହାନ୍ତି ଚେୟାର୍‍ ଅଚଳ ହୋଇ ପଡ଼ିଥିବା ବେଳେ ତାହାକୁ ସଚଳ କରାଯାଉନାହିଁ ।

ସେହିପରି ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଅନୁଦାନ ଓ ତାଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଆଣି ଉତ୍‍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗରେ ଜେବିଏସ୍‍ ହାଲ୍‍ଡେନ୍‍ କଳିଙ୍ଗ ଚେୟାର୍‍ ପ୍ରତିଷ୍ଠା କରାଯାଇଥିଲା । ବିଜୁବାବୁଙ୍କ ମୃତ୍ୟୁ ସହିତ ଏହି ଚେୟାର୍‍ ମଧ୍ୟ ଅପମୃତ୍ୟୁ ହୋଇଯାଇଛି । ସେହିପରି ଭୂତତ୍ତ୍ୱ ବିଭାଗରେ ଟାଟା କମ୍ପାନୀର ଆର୍ଥିକ ଅନୁଦାନରେ ପ୍ରତିଷ୍ଠା କରାଯାଇଥିବା ଟାଟା ଚେୟାର୍‍ର ଦୂରବସ୍ଥା । ଏହିସବୁ ଚେୟାର୍‍ ଚଳାଇବା ପାଇଁ ପ୍ରଫେସର ନାହାନ୍ତି କି ଗବେଷକ ନାହାନ୍ତି ।

ରିଜର୍ଭ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ଆର୍ଥିକ ସହାୟତାରେ ଉତ୍‍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଦୁଇଟି ଚେୟାର୍‍ ପ୍ରତିଷ୍ଠା କରିବା ଲାଗି ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସନୀୟ । ଏହି ସଂସ୍ଥାମାନଙ୍କ ପ୍ରଦତ୍ତ ପାଣ୍ଠିରେ ରିଜର୍ଭ ବ୍ୟାଙ୍କ ଚେୟାର୍‍ ଓ ଷ୍ଟେଟ୍‍ବ୍ୟାଙ୍କ ଚେୟାର୍‍ ପ୍ରତିଷ୍ଠା କରାଯାଇଥିଲା ।

ଓଡ଼ିଶାର ଆର୍ଥିକ ବିକାଶ କ୍ଷେତ୍ରରେ ଏହି ଚେୟାର୍‍ ଦୁଇଟି ଦିଗ୍‍ଦର୍ଶନ ଦେବ ବୋଲି ସେତେବେଳେ କୁହାଯାଇଥିଲା । ଏବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଚେୟାର୍‍ ଦୁଇଟିକୁ ଭୁଲି ଯାଇଛନ୍ତି । ଏ ସମସ୍ତ ଚେୟାର୍‍ ପ୍ରତିଷ୍ଠା ଲାଗି ଯେଉଁ ବିପୁଳ ପୁଞ୍ଜି ସଂଗ୍ରହ କରାଯାଇ ସ୍ଥାୟୀ ପାଣ୍ଠି ଗଠନ ହୋଇଥିଲା ତାହା କେଉଁ କାର୍ଯ୍ୟରେ ଲାଗୁଛି ବୋଲି ଗବେଷକମାନେ ପ୍ରଶ୍ନ କରିଛନ୍ତି ।