ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ପତ୍ର  କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍କନ ମନ୍ଦିର ନିକଟରେ ଜମୁଥିବା ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ  ଜୟଦେବବିହାର, ରସୁଲଗଡ, ପଳାଶୁଣି ଓ ପାହାଳ ନିକଟରେ ଜାତୀୟ ରାଜପଥରେ ଜଳ ସମସ୍ୟା ଦର୍ଶାଇଲେ  

ସବୁ ଥାନାରେ ବ୍ରିଦ୍‍ ଆନାଲାଇଜର୍ସ

ମଦୁଆ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଚଳିତ ବର୍ଷ ରାଜ୍ୟର ସମସ୍ତ ଥାନାକୁ ‘ବ୍ରିଦ୍‍ ଆନାଲାଇଜର୍ସ’ ଯୋଗାଇ ଦିଆଯିବ । ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ରୋକିବା ଲାଗି ପରିବହନ ଓ ପୋଲିସ ଅଧିକାରୀ ଗୁରୁତ୍ୱାରୋପ କରୁଥିବା ବେଳେ ଏବେ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ ପୋଲିସକୁ ୨୫୪ଟି ବ୍ରିଦ୍‍ ଆନାଲାଇଜର୍ସ ଦିଆଯାଇଥିବା ବେଳେ ଆଉ କିଛି ମାସ ମଧ୍ୟରେ ଅବଶିଷ୍ଟ ମିଳିିବ । ଚଳିତ ମାସ ୧୦ ତାରିଖ ଦିନ ସଡ଼କ ସୁରକ୍ଷା ସଂକ୍ରାନ୍ତରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ୨୦୧୭ ମସିହାରେ ରାଜ୍ୟର ୯ଟି ଜିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ଅଧିକାରୀମାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ୫ଟି ଜିଲ୍ଲାକୁ ହ୍ରାସ ପାଇଥିବା ଦର୍ଶାଯାଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ସରକାରଙ୍କ ତରଫରୁ ସୁପ୍ରିମ୍‍କୋର୍ଟଙ୍କ ନିକଟରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

୨୦୧୭ ମସିହାରେ ମୃତାହତଙ୍କ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୭.୩ ପ୍ରତିଶତ ବଢ଼ିଛି । ରାଜ୍ୟର ୯ଟି ଜିଲ୍ଲା ଯଥା- ସୁନ୍ଦରଗଡ଼, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, ବାଲେଶ୍ୱର, ଯାଜପୁର, କୋରାପୁଟ, ବଲାଙ୍ଗୀର ଏବଂ ମୟୂରଭଞ୍ଜରେ ଏହା ବୃଦ୍ଧି ପାଇଛି । ପରିବହନ ଏବଂ ପୋଲିସ ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ମୃତାହତଙ୍କ ସଂଖ୍ୟା ୫ଟି ଜିଲ୍ଲାରେ ୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହା ରେକର୍ଡ ପରିମାଣ ୨୪ ପ୍ରତିଶତ କମିଛି ।

ଚଳିତ ବର୍ଷ ଏପ୍ରିଲ୍‍ ମାସରୁ ଯାନବାହନ ଅପରାଧ ନିୟନ୍ତ୍ରଣ କ୍ଷମତା ରାଜ୍ୟରେ ଗ୍ରାମାଞ୍ଚଳ ପୋଲିସକୁ ଦିଆଯାଇଛି । ଟ୍ରାଫିକ୍‍ ନିୟମ ବଳରେ ଚଳିତ ବର୍ଷ ମଇ ମାସରେ ୧ଲକ୍ଷ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ବିନା ହେଲ୍‍ମେଟ୍‍ରେ ଗାଡ଼ି ଚଳାଇ ପୋଲିସ ହାତରେ ଧରାପଡ଼ିଛନ୍ତି । ପୋଲିସକୁ ଏହି କ୍ଷମତା ମିଳିବା ପରେ ସମଗ୍ର ରାଜ୍ୟରେ ମଇ ମାସରେ ୧ ଲକ୍ଷ ୩୩ ହଜାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରତି ମାସରେ ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତରେ ସମୀକ୍ଷା କରୁଥିବାରୁ ସଡ଼କ ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥା ଓ ପୋଲିସ ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା କରାଯାଇପାରୁଛି ।

ଚଳିତ ବର୍ଷ ଏପ୍ରିଲ୍‍ ଓ ମଇ ମାସରେ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୬୨୦୦ ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରାଯାଇଥିବା ବେଳେ ଗତବର୍ଷ ହାରାହାରି ଭାବେ ୪୦୦୦ଟି ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଥିଲା । ରାଜପଥ ପାଟ୍ରୋଲିଂକୁ ମଞ୍ଜୁରୀ ମିଳିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ଟି ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖାଯାଇଛି ।

ଏଠାରେ ୨୦ ପ୍ରତିଶତରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ରାଜ୍ୟ ସରକାର ରାଜପଥର କେତେକ ସ୍ଥାନକୁ ବ୍ଲାକ୍‍ ସ୍ପଟ୍‍ ଭାବେ ଚିହ୍ନିତ କରିଥିବା ବେଳେ ଏଠାରେ ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି । ୧୧,୬୫୫ କିମି ଦୈର୍ଘ୍ୟ ସଡ଼କର ସୁରକ୍ଷା ଅଡିଟ୍‍ ବି ହୋଇଛି ।

ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଆଦାୟ ହେଉଥିବା ଜରିମାନାରୁ ୨୦ ପ୍ରତିଶତ ରାଜ୍ୟ ସରକାର ଗଠନ କରିଥିବା ସଡ଼କ ସୁରକ୍ଷା ପାଣ୍ଠିକୁ ଯାଉଥିବା ବେଳେ ୨୦୧୭-୧୮ ବର୍ଷରେ ଏହି ପାଣ୍ଠିକୁ ୪୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଅଜଣା ଗାଡ଼ି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବା ପାଇଁ ରାଜ୍ୟ ସରକାର ସୋଲାଟିୟମ୍‍ ପାଣ୍ଠି ଗଠନ କରିଛନ୍ତି । ଏହି ଅର୍ଥ ମୃତାହତଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ଯୋଗାଇ ଦିଆଯାଉଛି । ତେଣୁ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ ସରକାର ସଡ଼କ ସୁରକ୍ଷା କ୍ଷେତ୍ରରେ ସମସ୍ତ ପଦକ୍ଷେପ ଗ୍ରହଣ କରି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ସଫଳ ହୋଇଥିବା ଦର୍ଶାଇଛନ୍ତି ।