ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ମିଳୁନି ଧାନ ବିହନ

କଳାହାଣ୍ଡି ଜିଲ୍ଲାରେ ବର୍ଷାର ଅଭାବରେ ସର୍ବୋପରି ଇନ୍ଦ୍ରାବତୀରେ ଜଳାଭାବ ହେତୁ କେନାଲ ପାଣି ଯୋଗାଣରେ ବ୍ୟାଘାତ ଦେଖାଦେଇଛି । ତା’ ସାଙ୍ଗକୁ ଜିଲ୍ଲା ସାରା ଧାନ ବିହନର କୃତ୍ରିମ ଅଭାବ ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି ।

ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ କଳାହାଣ୍ଡିର ଚାଷୀ ଖରିଫ ଋତୁରେ ଧାନ ଅମଳ ହେଲେ ଆଗାମୀ ଋତୁ ପାଇଁ ଆବଶ୍ୟକୀୟ ବିହନ ପ୍ରସ୍ତୃତ କରି ରଖିବା ଏକ ପ୍ରାଚୀନ ପରମ୍ପରା ଥିଲା । ହେଲେ ଇନ୍ଦ୍ରାବତୀରୁ ଜଳସେଚନ ବ୍ୟବସ୍ଥା ହେବା ପରେ ଦୁଇଫସଲି ଚାଷ ଆରମ୍ଭ ହେଲା ଓ ଏହା ପରଠାରୁ ଚାଷୀ ନିଜସ୍ୱ ବିହନ ରଖିବା ସମ୍ଭବପର ହୋଇପାରୁନାହିଁ ।

ଅନ୍ୟପକ୍ଷରେ ଚଳିତ ଖରିଫ ଚାଷ ପାଇଁ ବର୍ଷା ଦାଉ ସାଧିଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ପରିମାଣରେ ଧାନ ବିହନ ମିଳିପାରୁନଥିବାର ଅଭିଯୋଗ ହେଉଛି । ସରକାର କୃଷି ବିଭାଗ ଜରିଆରେ ସମବାୟ ସମିତି ଦ୍ୱାରା ଧାନ ବିହନ ଯୋଗଇବାର ବ୍ୟବସ୍ଥା କରିଛନ୍ତି । ଆବଶ୍ୟକ ପରିମାଣର ଧାନ ବିହନ ମିଳିପାରୁନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଲାଗି ରହିଛି ।

ସରକାର ଓଡିଶା ରାଜ୍ୟ ବିହନ ନିଗମ ଦ୍ୱାରା ପ୍ରତି ଜିଲ୍ଲାକୁ ଆବଶ୍ୟକ ପରିମାଣରେ ଧାନ ବିହନ ନିଗମର ନିଯୁକ୍ତ ପ୍ରାପ୍ତ ବିହନ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇ ଆସୁଥିଲେ । ଗତବର୍ଷ ଠାରୁ ଓଡିଶା ରାଜ୍ୟ ବିହନ ନିଗମର ପ୍ରାଧିକାରୀ ସଂସ୍ଥା ଭାବେ ସମସ୍ତ ସମବାୟ ସମିତିଗୁଡିକ ମାଧ୍ୟମରେ ଧାନ ବିହନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଚାଷୀ ସରକାରୀ ଧାନ ବିହନ ଉପରେ ନିର୍ଭର କରିଥିବା ବେଳେ ଧାନ ବିହନର କୃତିମ ଅଭାବ ଦେଖା ଦେଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ଖରିଫରେ କଳାହାଣ୍ଡି ଜିଲ୍ଲାରେ ମୋଟ ୧,୮୫,୫୫୭ ହେକ୍ଟର ଜମିରେ ଧାନ ଚାଷ କରାଯିବାର ଯୋଜନା ହୋଇଛି ।

ସେଥିପାଇଁ ୬୬,୯୪୦ କ୍ୱିଣ୍ଟାଲ ସରକାରୀ ଧାନ ପାଇଁ ଇଣ୍ଡେନ ଦିଆଯାଇଥିବା ବେଳେ ରାଜ୍ୟ ବିହନ ନିଗମ ଦ୍ୱାରା ୪୫,୯୧୮ କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାକୁ ଧାର୍ଯ୍ୟ କରିଥିବା ଜଣାପଡିଛି । ତନ୍ମଧ୍ୟରୁ କଳାହାଣ୍ଡି ଜିଲ୍ଲାକୁ ୨୧,୧୨୬ କ୍ୱିଣ୍ଟାଲ ଧାନ ବିହନ ରିହାତି ଦରରେ ଯୋଗାଇ ଦିଆଯାଇଛି ।

ସେହିପରି ରିହାତି ବିହୀନ ଭାବେ କୃଷି ବିଭାଗର ସ୍ୱୀକୃତିପ୍ରାପ୍ତ ବିହନ ଉତ୍ପାଦନକାରୀ ମାନଙ୍କ ଠାରୁ ୧୪,୬୦୦ କ୍ୱିଣ୍ଟାଲ ଏବଂ ବେସରକାରୀ ଧାନ ବିହନ ବିକ୍ରୟକାରୀ ସଂସ୍ଥା ମାନଙ୍କ ଠାରୁ ୫,୫୭୦ କ୍ୱିଣ୍ଟାଲ ଧାନବିହନ ଯୋଗାଇ ଦିଆଯାଇଥିବା ଜଣାପଡିଛି । ଆକଳନ ଅନୁସାରେ ମୋଟ ୬୬,୯୪୦ କ୍ୱିଣ୍ଟାଲ ମଧ୍ୟରୁ ସମୁଦାୟ ୪୧,୨୯୬ କ୍ୱିଣ୍ଟାଲ ଧାନ ବିହନ ଯୋଗାଣ ହୋଇଥିବା ବେଳେ ଆହୁରି ୨୫,୬୪୪ କ୍ୱିଂଟାଲ ଧାନ ବିହନର ଆବଶ୍ୟକତା ରହିଛି ।

ବାସ୍ତବ ପକ୍ଷେ ଚାଷୀମାନଙ୍କ କହିବା ମୁତାବକ ଜିଲ୍ଲାରେ ପ୍ରାୟ ୯୨,୭୫୦ କ୍ୱିଣ୍ଟାଲ ଧାନ ବିହନର ଆବଶ୍ୟକତା ରହିଛି । ଧାନ ବିହନର ଉକ୍ରଟ ଅଭାବ ଯୋଗୁ ଅନ୍ୟାନ୍ୟ ଦିଗରୁ ଚଢା ଦରରେ କ୍ୱିଣ୍ଟାଲ ପିଛା ୩୫୦୦/- ଟଙ୍କାରୁ ଅଧିକ ମୂଲ୍ୟ ଦେଇ କିଣିବାକୁ ଚାଷୀ ବାଧ୍ୟ ହେଉଛି ।

ବହୁ ବିହନ ବିକ୍ରୟକାରୀ ସଂସ୍ଥା ଜିଲ୍ଲାସାରା ଚଢାଦରରେ ଧାନ ବିହନ ବିକ୍ରି କରୁଥିବା ବେଳେ ସେମାନଙ୍କ ଉପରେ କୌଣସି ପ୍ରକାର ଅଙ୍କୁଶ ନାହିଁ । ଫଳତଃ ଅନେକ କ୍ଷେତ୍ରରେ ଚାଷୀ ହିଁ ଶୋଷଣର ଶୀକାର ହେଉଛି ।