ଜିଲ୍ଲାରେ ୟୁନିଫାଏଡ୍‍ କମାଣ୍ଡ

ବାମପନ୍ଥୀ ଉଗ୍ରବାଦୀ ଦମନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ରାଜ୍ୟର ମାଓ ପ୍ରଭାବିତ ଅଞ୍ଚଳରେ ଜିଲ୍ଲାସ୍ତରୀୟ ୟୁନିଫାଏଡ୍‍ କମାଣ୍ଡ ଗଠନ ଲାଗି କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହି ମର୍ମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏବେ ବିଭିନ୍ନ ମାଓ ପ୍ରଭାବିତ ରାଜ୍ୟରେ ରାଜ୍ୟସ୍ତରୀୟ ୟୁନିଫାଇଏଡ୍‍ କମାଣ୍ଡମାନ ରହିଛି । ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ରାଜ୍ୟ ୟୁନିଫାଏଡ୍‍ କମାଣ୍ଡ କାମ କରୁଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଏହି କମାଣ୍ଡ ତୁଳନାତ୍ମକ ଭାବେ ଢେର୍‍ ଭଲ କାମ କରୁଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ କହୁଛନ୍ତି । ଇତିମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା କରିଥିବା ଏକ ସମୀକ୍ଷା ବୈଠକରେ ଓଡ଼ିଶାର ଭୂମିକାକୁ ବେଶ୍‍ ପ୍ରଶଂସା କରାଯାଇଛି ।

ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ସମେତ ଆଉ କେତେକ ରାଜ୍ୟରେ ରାଜ୍ୟ ୟୁନିଫାଏଡ୍‍ କମାଣ୍ଡ ଥିଲେ ମଧ୍ୟ ଏହାର ବୈଠକ ନିୟମିତ ବ୍ୟବଧାନରେ ବସୁନାହିଁ । ଓଡ଼ିଶାରେ କିନ୍ତୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ବର୍ଷରେ ଅତିକମ୍‍ରେ ୩/୪ ଥର ଏହି କମାଣ୍ଡର ବୈଠକ ବସୁଛି । ଗୃହ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କ ଉଦ୍ୟମକ୍ରମେ ୨୦୧୭ରେ ଓଡ଼ିଶା ୟୁନିଫାଏଡ୍‍ କମାଣ୍ଡର ତିନୋଟି ବୈଠକ ବସିଥିବା ବେଳେ ଗତ ଜୁନ୍‍ ୪ ତାରିଖରେ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଓଡ଼ିଶାରେ ଏହି କମାଣ୍ଡ ବୈଠକରେ ଉଭୟ କେନ୍ଦ୍ର ଓ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଏବଂ ବିଏସ୍‍ଏଫ୍‍, ସିଆର୍‍ପିଏଫ୍‍ ସମେତ ରାଜ୍ୟ ପୋଲିସର କର୍ତ୍ତାମାନେ ଅଂଶଗ୍ରହଣ କରୁଛନ୍ତି । ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହିତ ଏ ଅଞ୍ଚଳରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ସେଗୁଡ଼ିକର ସମାଧାନ ଲାଗି ଆଲୋଚନା ହେଉଛି ।

ଏହାଛଡ଼ା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ କିପରି ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ସେଥିଘେନି ମଧ୍ୟ ବିଚାର ବିମର୍ଶ ହେଉଛି । କେବଳ ସେତିକି ନୁହେଁ ମାଓବାଦୀମାନଙ୍କୁ ଦମନ କରିବା ଲାଗି ନିଆଯାଉଥିବା ପଦକ୍ଷେପର ବିଭିନ୍ନ ଦିଗ ପ୍ରସଙ୍ଗରେ ସୁରକ୍ଷା ଅଧିକାରୀମାନେ ମତବ୍ୟକ୍ତ କରିବା ସହିତ ଭବିଷ୍ୟତ କର୍ମ ଯୋଜନା ସମ୍ପର୍କରେ ବି ପ୍ରସ୍ତାବ ଦେଉଛନ୍ତି ।

ଛତିଶଗଡ଼ରେ ଏବେ ଜିଲ୍ଲାସ୍ତରୀୟ ୟୁନିଫାଏଡ୍‍ କମାଣ୍ଡ ଏସ୍‍ପିମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ଏଥିରୁ ବିଶେଷ ଫଳ ମିଳୁଥିବା ଦୃଷ୍ଟିରୁ ଓଡ଼ିଶା ସମେତ ଅନ୍ୟ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ବି ଜିଲ୍ଲା ଏସ୍‍ପିଙ୍କ ନେତୃତ୍ୱରେ ଜିଲ୍ଲାସ୍ତରୀୟ କମାଣ୍ଡ ଗଠନ ଏବଂ ରାଜ୍ୟ କମାଣ୍ଡ ସହିତ ଜିଲ୍ଲା କମାଣ୍ଡର ସମନ୍ୱୟ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି ।

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ନିୟମିତ ଭାବେ ରାଜ୍ୟର ମାଓ ସମସ୍ୟା ସଂକ୍ରାନ୍ତରେ ସମୀକ୍ଷା କରୁଛନ୍ତି । ଓଡ଼ିଶାର ମାଓବାଦୀମାନେ ଯେଉଁସବୁ ସୂତ୍ରରୁ ଅର୍ଥ ସଂଗ୍ରହ କରୁଛନ୍ତି ତାହାକୁ ବନ୍ଦ କରିବା ଉପରେ ପୋଲିସ ଡିଜି ବିଶେଷ ଗୁରୁତ୍ୱ ଦେଉଛନ୍ତି । କଳାଧନ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ବସାଇଥିବା ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳର ଉପାଧ୍ୟକ୍ଷ ଜଷ୍ଟିସ୍‍ ଅରଜିତ୍‍ ପଶାୟତ ମଧ୍ୟ ଗଣମାଧ୍ୟମରେ ମତବ୍ୟକ୍ତ କରି କହିଛନ୍ତି ଯେ ସଂଗ୍ରହ କରାଯାଉଥିବା କଳାଧନରୁ କିଛି ମାଓବାଦୀ ପ୍ରଚୁର କଳା ସମ୍ପତ୍ତି ସୃଷ୍ଟି କରୁଛନ୍ତି ।

ଏ ପରିପ୍ରେକ୍ଷୀରେ ଯେଉଁସବୁ ସୂତ୍ରରୁ ମାଓ ସଙ୍ଗଠନମାନେ ଆର୍ଥିକ ସାହାୟତା ପାଉଛନ୍ତି ସେଗୁଡ଼ିକୁ ଠାବ କରାଯାଉଛି । ମାଓବାଦୀଙ୍କ ନାମରେ ବି କେତେକ ଅସାଧୁ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି । ଏଭଳି ନକଲି ମାଓବାଦୀ ମଧ୍ୟ ବାରମ୍ବାର ଧରାପଡ଼ୁଛନ୍ତି ।